/odisha-reporter/media/post_attachments/uploads/2021/06/pradeep-purohit.jpg)
pradeep-purohit
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲର୍ସମାନଙ୍କ ସହାୟତାରେ କୋଟି କୋଟି ଟଙ୍କା ହରିଲୁଟ୍ କରୁଛନ୍ତି। ଚଳିତ ରବି ଚାଷ ଧାନ କିଣାବିକାରେ ୫୦୦ କୋଟି ଟଙ୍କାର ଚାନ୍ଦା ଶାସକ ବିଜେଡିକୁ ଦେବା ପାଇଁ ଓଡିଶା ସରକାର ମିଲର୍ସମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏଥି ପାଇଁ ପ୍ରାକ୍ ପ୍ରସ୍ତୁତ କରିଛନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।
ଶ୍ରୀ ପୁରୋହିତ କହିଛନ୍ତି, ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେବାକୁ ଥିବା ୨୦ହଜାର କୋଟି ଟଙ୍କା ଉପରେ ରାଜ୍ୟ ସରକାର ଓ ମିଲର୍ସଙ୍କ ଆଖି। ଗତ ଥର ରାଜ୍ୟରେ ୫୯୦୦ଟି ମଣ୍ଡି ଖୋଲିଥିବାବେଳେ ଚଳିତ ସିଜନ ପାଇଁ ବର୍ତ୍ତମାନ ସୁଦ୍ଧା ୧୧ରୁ ଊର୍ଦ୍ଧ୍ୱ ଜିଲ୍ଲାରେ ଗୋଟିଏ ହେଲେ ମଣ୍ଡି ଖୋଲାଯାଇ ନାହିଁ ଏବଂ ସମଗ୍ର ରାଜ୍ୟରେ ମାତ୍ର ୧୮୦୦ଟି ମଣ୍ଡି ଖୋଲାଯାଇଛି ଏବଂ ପାଖାପାଖି ୭୦ ପ୍ରତିଶତ ମଣ୍ଡି ବର୍ତମାନ ସୁଦ୍ଧା ଖୋଲାଯାଇନାହିଁ। ମଣ୍ଡି ନଖୋଲିଥିବା କାରଣରୁ ଚାଷୀ ଅଭାବି ବିକ୍ରୀର ଶିକାର ହୋଇ ବାଧ୍ୟବାଧକତାରେ ଧାନ କ୍ୱିଂଟାଲ ପ୍ରତି ୯୦୦ / ୧୦୦୦ ଟଙ୍କାରେ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି। କାଗଜପତ୍ରରେ ମଣ୍ଡିରେ ପ୍ରବେଶ ଦେଖାଇ ସିଧାସଳଖ ମିଲକୁ ଯାଉଥିବା ଧାନରେ କ୍ୱିଂଟାଲ ପ୍ରତି ୧୨ ଟଙ୍କା ଆଏମସି ଓ ପାକ୍ସକୁ ଲାଂଚ ଦେଉଛି ଚାଷୀ। ତେଣୁ ରାଜ୍ୟ ସରକାର ଦୁର୍ନୀତି କରୁଥିବା ମିଲର୍ସମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି ।
ଗତ ୧୬ ତାରିଖରେ ରାଜ୍ୟର ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଓଡ଼ିଶା ରାଜ୍ୟର ଧାନ କିଣାବିକାର ଅବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଓ ଏଫସିଆଇ ଅଧିକାରୀମାନେ ରାଜ୍ୟର ବିଭିନ୍ନ ମଣ୍ଡିକୁ ଯାଇ ସରଜମିନ ତଦନ୍ତ କରି ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୧୫୧ ଦିନ ପର୍ଯ୍ୟନ୍ତ ମଣ୍ଡି ଖୋଲିବା, ମିଲର୍ସଙ୍କ ଦ୍ୱାରା ଚାଷୀଙ୍କ ଧାନ କଟନୀ ଛଟନୀକୁ ବନ୍ଦ କରିବା, କେନ୍ଦ୍ର ସରକାର ପଠାଉଥିବା ଅଖା, ପରିବହନ ଖର୍ଚ୍ଚ ଆଦି ଚାଷୀଙ୍କୁ ସୁରୁଖୁରୁରେ ଯୋଗାଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଚଳିତ ମାସ ୨୨ ତାରିଖରେ ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପୁଣିଥରେ ଓଡ଼ିଶାର ସାଂସଦମାନେ ଭେଟି ଧାନ କିଣାବିକାର ଅବ୍ୟବସ୍ଥା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ରାଜ୍ୟ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ଅନୁରୋଧ ଜଣାଇଛନ୍ତି।
ଛାଷୀ ନିଜ ଅମଳ ଧାନକୁ କେବେ ବିକ୍ରି କରିବ ଧାନ ବିକ୍ରି ପାଇଁ ପଂଜୀକରଣ ସମୟରେ ଏକ ସ୍ୱତନ୍ତ୍ର ଫର୍ମରେ ଉଲ୍ଲେଖ କରୁଥିଲେ ମଧ୍ୟ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ନିଜ ମନଇଚ୍ଛା ମୁତାବକ ଟୋକନ ବଂଟନ କରୁଛନ୍ତି। ମଧ୍ୟସ୍ଥିଙ୍କଠାରୁ କମ୍ ଦରରେ ଧାନ କିଣିବା ପରେ ଚାଷୀ ପାଇଥିବା ଟୋକନକୁ ୧୦୦-୨୦୦ ଟଙ୍କାରେ କିଣି ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାର ଲାଭ ଉଠାଉଛି ମିଲର୍ସ। କମ୍ ଦରରେ ଧାନ କିଣିଲେ ମିଲର୍ସମାନଙ୍କୁ ଗିରଫ କରାଯିବ ବୋଲି ରାଜ୍ୟର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ବକ୍ତବ୍ୟରୁ ରାଜ୍ୟ ସରକାର ମିଲର୍ସମାନଙ୍କୁ ଧାନ କିଣିବାର ସଂପୂର୍ଣ୍ଣ ଦାୟୀତ୍ୱ ଦେଇଥିବା ପରୋକ୍ଷରେ ସ୍ୱୀକାରୋକ୍ତି କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶ୍ରୀରଂଜନ ମଙ୍ଗରାଜ, ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ, ଗଣମାଧ୍ୟମ ରାଜ୍ୟ ସହ ପ୍ରମୁଖ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
