କଂଗ୍ରେସର ୨୦୨୪ ରୋଡମ୍ୟାପ: ସଂଗଠନ ସଜାଡ଼ିବ, ଲଢ଼ିବ ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଦୁଇ ଜନବିରୋଧୀ ସରକାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ରାଜ୍ୟବାସୀ ପ୍ରସ୍ତୁତ ହୋଇସାରିଲେଣି । ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ । ଏ ଲଢ଼େଇ କ୍ଷମତା ଦଖଲ ପାଇଁ ନୁହେଁ ଏ ଲଢ଼େଇ ବିଚାରଧାରାର ଓ ରାଜ୍ୟର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ହେବ । ଦୁଇଦିନିଆ ଚିନ୍ତନ […]

Sharat Patnaik

Ordigital Desk
  • Published: Thursday, 02 June 2022
  • , Updated: 02 June 2022, 09:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ଥିବା ଦୁଇ ଜନବିରୋଧୀ ସରକାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ରାଜ୍ୟବାସୀ ପ୍ରସ୍ତୁତ ହୋଇସାରିଲେଣି । ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ । ଏ ଲଢ଼େଇ କ୍ଷମତା ଦଖଲ ପାଇଁ ନୁହେଁ ଏ ଲଢ଼େଇ ବିଚାରଧାରାର ଓ ରାଜ୍ୟର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ହେବ । ଦୁଇଦିନିଆ ଚିନ୍ତନ ଶିବିରର ଉଦଯାପନୀ ଉତ୍ସବରେ ଦଳୀୟ ନେତାମାନଙ୍କୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଦମ୍ଭୋକ୍ତି ବାଢ଼ିଛନ୍ତି । ଏହାସହିତ କଂଗ୍ରେସ ଫେରିବା ପାଇଁ ୨୦୨୪ ରୋଡମ୍ୟାପ୍ ସମ୍ପର୍କରେ ଦଳର ପଦାଧିକାରୀ ଓ ନେତାମାନଙ୍କୁ ଅବଗତ କରାଇଛନ୍ତି । ଆସନ୍ତା ୯ ତାରିଖରୁ ପିସିସି ସଭାପତି ନିଜେ ପ୍ରତି ଜିଲ୍ଲାରେ ୭୫କିମି ପଦଯାତ୍ରା କରିବେ ।

ଆଜି ନବସଂକଳ୍ପ ଚିନ୍ତନ ଶିବିରରେ ଆୟୋଜିତ ଦ୍ୱିତୀୟ ଦିନ ଅଧିବେଶନରେ ବ୍ଲକ ସ୍ତରରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ ତଥା ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ଚିନ୍ତନ ଶିିବିରରେ ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଆଜି ଦଳୀୟ ନେତାମାନଙ୍କୁ ଉଦବୋଧନ ଦେଇ କଂଗ୍ରେସ ନିଶ୍ଚିତ ରାଜ୍ୟରେ ଫେରିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ଉଦୟପୁର ଚିନ୍ତନଶିବିର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କଂଗ୍ରେସର ୬ଟି କମିଟି ଯଥା- ରାଜନୈତିକ ବ୍ୟାପାର କମିଟି, ସଂଗଠନ କମିଟି, ଅର୍ଥନୈତିକ କମିଟି, ସାମାଜିକ ନ୍ୟାୟ କମିଟି, ଯୁବ ଛାତ୍ର କମିଟି, ମହିଳା ସଶକ୍ତିକରଣ କମିଟି, କୃଷି, କଷକ ଓ କୃଷି ଶ୍ରମିକ କମିଟି ମାନ ଗଠନ ହୋଇଛି । ଏହି ସସସ୍ତ କମିଟିରେ କଂଗ୍ରେସ ନେତାମାନଙ୍କୁ ସାମିଲ କରାଯାଇଛି ଓ ସେମାନେ ଆଜି ନିଜର ରଣନୀତି ସମ୍ପର୍କରେ ଅବଗତ କରାଇଥିଲେ ।

ଆସନ୍ତା ୯ ତାରିଖରେ କଂଗ୍ରେସ ସମଗ୍ର ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି ପାଇଁ ପଦଯାତ୍ରା କରିବ । ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ । ସଂଗଠନକୁ ସୁଦୃଢ଼ କରିବା ପାଇଁ ବୁଥ କମିଟିକୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ବୁଥରୁ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା, ନୂଆ ଯୁବକଯୁବତୀଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା, ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ପଂଚାୟତସ୍ତରରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ତଥ୍ୟ ସଂଗ୍ରହ କରାଯିବା ସହିତ ସେମାନେ କି ପ୍ରକାରର କାର୍ଯ୍ୟ କରୁଛନ୍ତି ସେମାନଙ୍କର ଅଭାବ ଅସୁବିଧାର ତଥ୍ୟ ସଂଗ୍ରହ, ସେମାନଙ୍କ ସହ ସମ୍ପର୍କ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଇଛି । ବୁଥ ସ୍ତରରେ ମହିଳା, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ ସମସ୍ତଙ୍କୁ ବୁଥ କମିଟିରେ ରଖାଯିବ । ବାରମ୍ବାର ପ୍ରଶିକ୍ଷଣ ଶିବିର ଜିଲ୍ଲା, ବ୍ଲକ ଏବଂ ଜୋନ ସ୍ତରରେ କରାଯିବ । ଯଦ୍ୱାରା କଂଗ୍ରେସର ଆଦର୍ଶ, କଂଗ୍ରେସର ଚିନ୍ତାଧାରା, କଂଗ୍ରେସ ନେତୃବର୍ଗ କଂଗ୍ରେସ କର୍ମୀଙ୍କ ସହିତ ଜଡ଼ିତ ହେବା ସହିତ କଂଗ୍ରେସ ସଂଗଠନ ଅଧିକ ସଶକ୍ତ ହୋଇପାରିବ ।

ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏକ ଗ୍ରିଭାନ୍ସ କମିଟି ରହିବ, ଯେଉଁ ଗ୍ରିଭାନ୍ସ କମିଟି ଜନସାଧାରଣଙ୍କର ଡାକ୍ତରଖାନା, ଥାନା, ତହସିଲ, ବ୍ଲକ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଯଦି କିଛି ଅସୁବିଧା ଭୋଗ କରୁଛନ୍ତି ସେ ସବୁରେ ସମାଧାନ କରିବାରେ ଅଭିଯୋଗ କମିଟି ସାହାଯ୍ୟ କରିବ । ଅର୍ଥନୈତିକ କମିଟି ରାଜ୍ୟର ସମସ୍ତ ଖଣିକୁ ରାଜ୍ୟ ସରକାର ନିଜ ଅଧିନକୁ ନେବା ଏବଂ ଖଣି ଅଂଚଳର ଜମି ଉପରେ ସେସ୍ ବସାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ରାଜ୍ୟରେ ଶିଳ୍ପ ସହିତ କୃଷି, ପର୍ଯ୍ୟଟନ, କୁଟୀର ଶିଳ୍ପ, ମଧ୍ୟମ ଓ କ୍ଷୁତ୍ର ଶିଳ୍ପକୁ ଗୁରୁତ୍ୱପ୍ରଦାନ କରିବା ଓ ଏହା କିଭଳି ଭାବରେ ରାଜ୍ୟର ଅର୍ଥନୀତିକୁ ସଜାଡ଼ିବ ତଥା ସୁଦୃଢ଼ କରିପାରିବ ସେ ଦିଗରେ ପ୍ରୟାସ ଜାରି ରହିବ । ସାମାଜିକ ନ୍ୟାୟ କମିଟି ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଜୋନ ସ୍ତରରେ କଂଗ୍ରେସ ସଂଗଠନରେ କିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗଙ୍କୁ ଜନସଂଖ୍ୟା ଆଧାରରେ ସୁଯୋଗ ମିଳିବ । ଓଡ଼ିଶାରେ ଓବିସି ସଂରକ୍ଷଣ ଜନସଂଖ୍ୟା ଆଧାରରେ କରାଯିବା ଉଚିତ୍ ବୋଲି କଂଗ୍ରେସ ଚାହୁଁଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ କଂଗ୍ରେସ, ବ୍ଲକ କଂଗ୍ରେସ, ଜିଲ୍ଲା କଂଗ୍ରେସ ଉଚ୍ଚ କ୍ଷମତାସଂପର୍ଣ୍ଣ କମିଟି ଗଠନ କରି ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ କାର୍ଯ୍ୟ କରିବ । ସହାରାଂଚଳ ଏବଂ ଗ୍ରାମାଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା କ୍ଷେତ୍ରରେ କାର୍ଯ୍ୟ କରିବେ । ୩୩% ମହିଳା ମାନଙ୍କୁ ସଂରକ୍ଷଣ ଦିଆଯାଉ ବୋଲି ନିଷ୍ପତ୍ତି ହୋଇଛି ।

ଏହି ଚିନ୍ତନ ବୈଠକରେ ରାଜ୍ୟ ପଦାଧିକାରୀ, ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଜିଲ୍ଲା , ବ୍ଲକ ଓ ନଗର କଂଗ୍ରେସର ସମସ୍ତ ସଭାପତିଙ୍କ ସମେତ ପିସିସିର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ରାଜ୍ୟ ମୁଖ୍ୟଙ୍କ ସମେତ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

Related story