ଧାମନଗରରେ ନବୀନଙ୍କ ଭର୍ଚୁଆଲ ପ୍ରଚାର: ଭୋଟରଙ୍କୁ ଦେଲେ ଲଲିପପ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭର୍ଚୁଆଲ ମୋଡରେ ଧାମନଗରର ୧୩ଟି ସ୍ଥାନରେ ନବୀନ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆଉ ନିଜର ପୁରୁଣା ଢଙ୍ଗରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ପାଟକୁରା ସମେତ ବିଜେପୁର, ପିପିଲି ଓ ବାଲେଶ୍ୱର ଆଦି […]

CM Naveen Patnaik

Ordigital Desk
  • Published: Monday, 31 October 2022
  • , Updated: 31 October 2022, 10:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭର୍ଚୁଆଲ ମୋଡରେ ଧାମନଗରର ୧୩ଟି ସ୍ଥାନରେ ନବୀନ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆଉ ନିଜର ପୁରୁଣା ଢଙ୍ଗରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ପାଟକୁରା ସମେତ ବିଜେପୁର, ପିପିଲି ଓ ବାଲେଶ୍ୱର ଆଦି ବିଧାନସଭା ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏଭଳି ପ୍ରତିଶ୍ରୁତି ନବୀନ ଦେଇଥିଲେ ମଧ୍ୟ ସେସବୁ ସ୍ଥାନରେ ଅପେକ୍ଷାକୃତ ଅଧିକ ବିକାଶ କ’ଣ ହୋଇଛି ଓ କିଭଳି ଦାୟିତ୍ୱ ସେ ତୁଲାଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି । ତେବେ ନିର୍ବାଚନୀ ପ୍ରଚାରରେ ବିରୋଧୀ ବିଜେପି ଓ କଂଗ୍ରେସ ସମ୍ପର୍କରେ ପଦୁଟିଏ ବି କହିନଥିବା ନବୀନଙ୍କ ଧାମନଗରବାସୀଙ୍କୁ ଏହି ରାଜନୀତିକ ଲଲିପପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ଆଜି ଧାମନଗର ନିର୍ବାଚନମଣ୍ଡଳୀର ତିହିଡ଼ି ବ୍ଲକର ୨ଟି ଜୋନରେ ୪ଟି ସଭା, ଧାମନଗର ବ୍ଲକର ୪ଟି ଜୋନରେ ୮ଟି ସଭା ଓ ଧାମନଗର ଏନଏସିରେ ଗୋଟିଏ ସଭା କରିଥିବା ବିଜେଡିର ଏହି ସଭାରେ ଭର୍ଚୁଆଲ ମୋଡରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ନବୀନ ପ୍ରଚାର କରିଥିଲେ । ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ସପକ୍ଷରେ ବିପୁଳ ଜନସମର୍ଥନ ମିଳିଥିବାରୁ ଓ ଦଳ ବିଜୟୀ ହୋଇଥିବାରୁ ଏହି ଧାରା ମଧ୍ୟ ଉପନିର୍ବାଚନରେ ବଜାୟ ରହିବ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି । ନବୀନ କହିଥିଲେ ଯେ, ଏ ଉପନିର୍ବାଚନରେ ବି ସେ ବିଜୟ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ବର୍ତ୍ତମାନ ସାଧାରଣ ନିର୍ବାଚନ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ପାଂଚ ବର୍ଷର କାମ କରିପାରିବା । ଏହି ବିକାଶ କଥା ସେ ନିଜେ ଦେଖିବେ ଓ ଧାମନଗରର ବିକାଶ ଆହୁରି ଆଗକୁ ବଢିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, କାଳିଆ ଯୋଜନା ଓ ମିଶନ ଶକ୍ତିର ସଫଳତା ସମ୍ପର୍କରେ ନବୀନ ତାଙ୍କ ଭାଷଣରେ କହିବା ସହ ଜଣେ ମହିଳାଙ୍କୁ ବିଧାୟିକା ଭାବେ ସେ ଦେଖିବାକୁ ଚାହୁଁଛନ୍ତି । ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ଦେଇଛି । ମହିଳାମାନେ ସବୁ ଦାୟିତ୍ୱକୁ ସୁନ୍ଦର ଭାବେ ନିର୍ବାହ କରିପାରୁଛନ୍ତି । ମା’ ମାନେ ସଶକ୍ତ ହେଉଛନ୍ତି ବୋଲି ନବୀନ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ, ସୁଖ ଦୁଃଖରେ ଆପଣମାନଙ୍କ ସାଥିରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଧାମନଗରବାସୀ ୨୦୧୯ ନିର୍ବାଚନରେ ଯେଉଁ ମତ ରଖିଥିଲେ, ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି । ଶଙ୍ଖ ଚିହ୍ନରେ ବିଶ୍ୱାସ ରଖିଛନ୍ତି । ଗତ ପଂଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ଋଣୀ ବୋଲି ନବୀନ କହିଛନ୍ତି । ଏହାସହିତ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନବୀନ ନିବେଦନ କରିବା ସହ ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ତାଙ୍କର ବୋଲି କହିଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷଦିନ ଥିବାବେଳେ ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଗତ ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ନଥିବା ନବୀନ ଆଜି ଧାମନଗରରେ ଦଳ ପାଇଁ ପ୍ରଚାର କରିବା ସିଧାସଳଖ ଭାବେ ବିଜେଡିର ସ୍ଥିତି ଦୁର୍ବଳ ଥିବା ଦଳ ଆଶା-ଆଶଙ୍କା ମଧ୍ୟରେ ରହିଥିବାକୁ ପ୍ରମାଣିତ କରାଇଛି । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାରରେ ସାମିଲ ବିଜେଡି ନେତାମାନେ ଯଦି ସ୍ଥିତି ସମ୍ଭାଳିପାରିବେ ନାହିଁ ତା’ହେଲେ ପ୍ରଚାର ମଇଦାନକୁ ନବୀନ ଓହ୍ଲାଇବେ ବୋଲି ବିଜେଡିର ବରିଷ୍ଠ ଉପସଭାନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତ କିଛିଦିନ ତଳେ ଗଣମାଧ୍ୟମକୁ ବୟାନ ଦେଇଥିଲେ । ଆଜି ପ୍ରଚାରକୁ ନବୀନ ଓହ୍ଲାଇବା ପରେ ବିଜେଡି ଧାମନଗରରେ ଦୁର୍ବଳ ସ୍ଥିତିରେ ଥିବାର ପ୍ରମାଣିତ କରାଇଛି ।

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପୂର୍ବରୁ ରାଜ୍ୟରେ ହୋଇଥିବା ଉପନିର୍ବାଚନଗୁଡ଼ିକରେ ସମାନ ଢଙ୍ଗରେ ସେସବୁ ବିଧାନସଭା ମଣ୍ଡଳୀର ବିକାଶର ଦାୟିତ୍ୱ ନିଜେ ନେବେ ବୋଲି ସେଠାର ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବିଜେପୁର ଓ ପାଟକୁରା ନିର୍ବାଚନର ଦୀର୍ଘ ଦିନ ପରେ ସେଠାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋଟିଏ ପ୍ରତିନିଧି ଦଳ ପଠାଇ ଗଣମାଧ୍ୟମରେ ବାହାବା ନେବା ପରେ ସେଠାର ବିକାଶ କଥାକୁ ନିଜେ ନବୀନ ଭୁଲି ଯାଇଛନ୍ତି। ପିପିଲି ଓ ବାଲେଶ୍ୱରର ଦାୟିତ୍ୱ ନବୀନ କ’ଣ ତୁଲାଉଛନ୍ତି ଓ ସେଠାରେ ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକ ତୁଳନାରେ ଅଧିକ କ’ଣ ବିକାଶ ହୋଇଛି ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି ।

Related story