୨୩ ଦିନ ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ମିଳିଲା ପିଏସ୍‌, ଏବେବି ଅପେକ୍ଷାରେ ଆଉ ୨ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୩ ଦିନ ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । କିନ୍ତୁ ଏପର୍ଯ୍ୟନ୍ତ ନବନିଯୁକ୍ତ ମନ୍ତ୍ରୀମାନେ ନିଜର ବିଭାଗ କାର୍ଯ୍ୟ ଠିକ୍ ଭାବେ ଆରମ୍ଭ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଚଳିତ ମାସ ୫ତାରିଖରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ ବିଭାଗ ଆବଂଟନ ହୋଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଆଜି ପିଏସ(ବ୍ୟକ୍ତିଗତ ସଚିବ) ଆବଂଟିତ ହୋଇଛି । ଆଉ ୨ଜଣ ମନ୍ତ୍ରୀ ରୋହିତ ପୂଜାରୀ ଓ ରୀତା […]

Pritiranjan Ghadei

Ordigital Desk
  • Published: Tuesday, 28 June 2022
  • , Updated: 28 June 2022, 10:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ୩ ଦିନ ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । କିନ୍ତୁ ଏପର୍ଯ୍ୟନ୍ତ ନବନିଯୁକ୍ତ ମନ୍ତ୍ରୀମାନେ ନିଜର ବିଭାଗ କାର୍ଯ୍ୟ ଠିକ୍ ଭାବେ ଆରମ୍ଭ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଚଳିତ ମାସ ୫ତାରିଖରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ ବିଭାଗ ଆବଂଟନ ହୋଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଆଜି ପିଏସ(ବ୍ୟକ୍ତିଗତ ସଚିବ) ଆବଂଟିତ ହୋଇଛି । ଆଉ ୨ଜଣ ମନ୍ତ୍ରୀ ରୋହିତ ପୂଜାରୀ ଓ ରୀତା ସାହୁ ଏବେବି ନିଜର ବ୍ୟକ୍ତିଗତ ସଚିବ(ବରିଷ୍ଠ ଓଏଏସ) ଅପେକ୍ଷାରେ ରହିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ କଳ୍ପତରୁ ବେହେରାଙ୍କୁ ସଂସଦୀୟ ବ୍ୟାପାର ବିଭାଗରେ ମୁତୟନ କରାଯିବା ସହ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି । କଟକସ୍ଥିତ ଏସସିବି ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଥିବା ଶ୍ରୀ ବେହେରାଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ଭାବେ ବଦଳି ହୋଇଥିଲା । ଉକ୍ତ ବଦଳି ଆଦେଶକୁ ଆଜି ବାତିଲ କରାଯାଇଛି । ଶ୍ରୀ ବେହେରାଙ୍କ ନିଯୁକ୍ତି ସହ ୩ଟି ଦଫାରେ ମୋଟ ୧୯ଜଣ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଂଚମ ପାଳି ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ଜୁନ୍ ୫ତାରିଖରେ କରିଥିବାବେଳେ ଏହାର ୧୨ଦିନ ପରେ ୧୭ଜଣ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସଚିବ ଆବଂଟିତ ହୋଇଥିଲା । ଗତ ୫ଦିନ ପୂର୍ବରୁ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଆଜି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଘଡ଼େଇଙ୍କୁ ବ୍ୟକ୍ତିଗତ ସଚିବ ଯୋଗାଇ ଦିଆଯାଇଛି । ମାତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଏବେବି ବ୍ୟକ୍ତିଗତ ସଚିବ ପାଇନାହାନ୍ତି । ଯଦିଓ ଜୁଲାଇ ୨ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି ଓ ମନ୍ତ୍ରୀମାନଙ୍କ ଅଫିସ୍ ଉପରେ ଅଧିକ କାର୍ଯ୍ୟ ଚାପ ରହିବ, ତଥାପି ଦୁଇଜଣ ମନ୍ତ୍ରୀ ଏବେବି ନିଜର ବ୍ୟକ୍ତିଗତ ସଚିବ ଅପେକ୍ଷାରେ ରହିଛନ୍ତି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ସରକାରରେ ବ୍ୟକ୍ତିଗତ ସଚିବମାନଙ୍କ ମାଧ୍ୟମରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ନିୟନ୍ତ୍ରଣ କରି ପରୋକ୍ଷରେ ମନ୍ତ୍ରୀମାନଙ୍କ ଭୂମିକାକୁ ଗୌଣ କରାଇବାର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଯେଉଁଥିପାଇଁ ମନ୍ତ୍ରୀମାନେ ନିଜ ପସନ୍ଦର ବ୍ୟକ୍ତିଗତ ସଚିବ ନେଇପାରୁନାହାନ୍ତି ଓ ତୃତୀୟ ମହଲା ଦ୍ୱାରା ଚୟନ ହେଉଥିବା ଅଫିସର ହିଁ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ।

Related story