ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ସର୍ବସମ୍ମତି ପ୍ରାର୍ଥୀ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ବରିଷ୍ଠ ବିଜେପି ନେତା ତଥା ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ନବୀନ ପଟ୍ଟନାୟକଙ୍କ […]

Naveen

Ordigital Desk
  • Published: Wednesday, 15 June 2022
  • , Updated: 15 June 2022, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ସର୍ବସମ୍ମତି ପ୍ରାର୍ଥୀ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ବରିଷ୍ଠ ବିଜେପି ନେତା ତଥା ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ନବୀନ ପଟ୍ଟନାୟକଙ୍କ ସମେତ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂ ଯାଦବ ଓ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଅବଶ୍ୟ ରାଜନାଥ-ନବୀନଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ବିଜେଡି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନି, ମାତ୍ର ଦୁଇ ନେତାଙ୍କ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିଜେଡି ଏହି ବୈଠକରେ ସାମିଲ ହୋଇନି । କେବଳ ବିଜେଡି ନୁହେଁ, ଟିଆରଏସ୍ , ୱାଇଏସଆରସିପି, ଅକାଳୀ ଦଳ, ଆପ୍ ଏହି ବୈଠକରେ ସାମିଲ ହୋଇନଥିବା ଜଣାପଡ଼ିଛି। ଯଦିଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା କରିନି, କିନ୍ତୁ ସଂଖ୍ୟା ଓ ସମର୍ଥନ ଦୃଷ୍ଟିରୁ ଏନଡିଏ ସମର୍ଥିତ ପ୍ରାର୍ଥୀ ସହଜ ବିଜୟ ଲାଭ କରିବେ । ତେବେ ବିଜେପି ଏବେ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ମୋଟ ୫ଲକ୍ଷ ୨୫ହଜାର୮୯୩(୪୮.୬୭%) ଭୋଟ୍ ଥିବାରୁ ଏହାର ରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ପାଇଁ ମାତ୍ର ୧୩୮୧୦ଖଣ୍ଡ ଭୋଟ ଆବଶ୍ୟକ । ନବୀନଙ୍କ ବିଜେଡି ଓ ଜଗନ ରେଡ୍ଡୀଙ୍କ ୱାଇଏସଆରସିପି ସମର୍ଥନ ଦେବାକୁ ପ୍ରସ୍ତୁତ ଥିବାରୁ ଏନଡିଏ ପ୍ରାର୍ଥୀଙ୍କୁ ସହଜ ବିଜୟ ମିଳିବ । କାରଣ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୨୪.୦୨% ଭୋଟ୍ (୨,୫୯,୨୯୦ ଖଣ୍ଡ) ଥିବାବେଳେ ଅଣୟୁପିଏ ଓ ଅଣଏନଡିଏ ପାଖରେ ୨୭.୩୧% (୨୯୩୮୩୨ଖଣ୍ଡ) ଭୋଟ୍ ରହିଛି । ତେବେ ବିଜେଡି ନିଜର ୩୧୬୮୬ଖଣ୍ଡ(୨.୯୪%) ଓ ଜଗନଙ୍କ ୱାଇଏସଆରସିପି ୪୫୫୫୦ ଖଣ୍ଡ(୪.୨୨%) ଭୋଟ୍ ଏନଡିଏ ପ୍ରାର୍ଥୀଙ୍କୁ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

ଏପରିକି ବିଜେଡି ନିଜର ସମର୍ଥନ ନଦେଲେ ମଧ୍ୟ ଏନଡିଏ ସମର୍ଥିତ ରାଷ୍ଟ୍ରପତି ସହଜରେ ବିଜୟୀ ହେବେ । ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ୨୦୧୪ ମସିହାରୁ ଗଠନ ହେବା ପରଠୁ ବିଜେଡି ଉପରେ ପଡ଼ି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ନିଜର ସମର୍ଥନ ଦେଇଆସୁଛି।

ସୂଚନାଯୋଗ୍ୟ, ଏବେ ଜାମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ବଳବତ୍ତର ଥିବାବେଳେ ସେଠାର ୪ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି । ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟ୍ ୧୦ଲକ୍ଷ ୭୯ହଜାର୩୯୪ ଖଣ୍ଡ ରହିବ । କାରଣ ଲୋକସଭାରେ ୩ଟି, ରାଜ୍ୟସଭାରେ ୫ଟି, ଅନ୍ୟ ବିଧାନସଭାରେ ୧୦ଟି(ଜାମ୍ମୁ କାଶ୍ମୀର ବ୍ୟତୀତ) ଆସନ ଖାଲି ପଡ଼ିଛି ।

Related story