କୋଟପାଡ଼ (ଟି.ଗୌରୀ ଶଙ୍କର): ନବରଙ୍ଗପୁର ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ ତାରିଖରେ ହେବ ମତଦାନ। ଏହି ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ କୋରାପୁଟ ଜିଲ୍ଲାର କୋଟପାଡ ବିଧାନସଭା ଆସନ ଗୋଟିଏ। ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। କିଏ କେଉଁ ଆସନ ପାଇବ ଏବଂ କିଏ ହାରିବ ଓ ଜିତିବ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜନୈତିକ ସ୍ଥିତି
୧୯୯୦-୯୫ ଥରଟିଏ ମାତ୍ର ଜନତା ଦଳର ପ୍ରାର୍ଥୀ ସଦନ ନାୟକ ଏହିି ଆସନରୁ ବିଜୟୀ ହୋଇଥିଲେ। ୨୦୦୦ରୁ ବିଜେଡି ଓଡ଼ିଶାରେ ଶାସନକୁ ଆସିଥିଲେ ବି ଏଯାଏଁ କୋଟପାଡ ନିର୍ବାଚନମଣ୍ଡଳୀକୁ ଅକ୍ତିଆର କରିପାରିନାହିଁ।
ଚଳିତ ନିର୍ବାଚନରେ କଂଗ୍ରେସ ଟିକଟ ପାଇଛନ୍ତି ବର୍ତ୍ତମାନର ବିଧାୟକ ଚନ୍ଦ୍ରଶେଖର ମାଝୀ । ସେ ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ବାସୁଦେବ ମାଝୀଙ୍କ ଭାଇ। ହେଲେ ବିଜେଡି ଏଠାରେ ମହିଳା କାର୍ଡ ଖେଳିଛି। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ପଦ୍ମିନୀ ଦିଆନଙ୍କୁ ବିଜେଡି ଟିକଟ ଦେଇଛି। ସେହିପରି ବିଜେପି ଯୁବ ନେତା ଖଗେଶ୍ୱର ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।
ଚଳିତ ସାଧାରଣ ନିର୍ବାଚନରେ କୋଟପାଡ ନିର୍ବାଚନମଣ୍ଡଳୀରେ ଏକ ରୋମାଞ୍ଚକର ଲଢେଇ ହେବ। ୨୦୧୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ୩୦ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେହି ବ୍ୟବଧାନ ବଜାୟ ରଖିବା ପାଇଁ ଦଳ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷେ ଯେନତେନ ପ୍ରକାରେ କଂଗ୍ରେସ ଗଡ଼କୁ ମାତ ଦେବା ପାଇଁ ଶାସକ ବିଜେଡି ତାର ରଣକୌଶଳ ପ୍ରସ୍ତୁତ କରି ଗାଁ ଗାଁରେ ସଭା ସମିତି ଜାରି ରଖିଛି।
ବିଜେଡି ପ୍ରାର୍ଥୀ ପଦ୍ମୀନି ଦିଆନ ଜୋରସୋର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ନବୀନଙ୍କ ନାଁ ଉପରେ ଭରସା କରି ସେପଟେ ବିଜେପି ପ୍ରାର୍ଥୀ ଖଗେଶ୍ୱର ପୂଜାରୀ ମଧ୍ୟ ଜୋରସୋର ସଂଗଠନ କରିବା ସହ ଗାଁ ଗାଁରେ ବୁଲି ପ୍ରଚାର ଜାରି ରଖିଛନ୍ତି।