‘ଆଦିବାସୀ ନାବାଳିକା ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ପଦ୍ମିନୀ ଦିଆନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ସୁରକ୍ଷା ଯୋଗାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମନ୍ତ୍ରୀଙ୍କ ଚାପ ଯୋଗୁ ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ୍ ନିଷ୍କ୍ରିୟ ସାଜିଛି ଓ ଏହାର ପ୍ରତିବାଦରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଆଜି ପୁଲିସ ଡିଜିଙ୍କୁ ଭେଟି ପୀଡ଼ିତା ନାବାଳିକାକୁ ନ୍ୟାୟ ଦେବାକୁ ଦାବି କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା […]

padmini

Manoranjan Sial
  • Published: Saturday, 08 August 2020
  • , Updated: 09 August 2020, 07:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନ ସୁରକ୍ଷା ଯୋଗାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମନ୍ତ୍ରୀଙ୍କ ଚାପ ଯୋଗୁ ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ୍ ନିଷ୍କ୍ରିୟ ସାଜିଛି ଓ ଏହାର ପ୍ରତିବାଦରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଆଜି ପୁଲିସ ଡିଜିଙ୍କୁ ଭେଟି ପୀଡ଼ିତା ନାବାଳିକାକୁ ନ୍ୟାୟ ଦେବାକୁ ଦାବି କରିଛି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆଦିବାସୀ ନାବାଳିକାଙ୍କ ଇଜ୍ଜତ ସହ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ରାଜ୍ୟର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନଙ୍କ ଲିଙ୍କରେ ଏହି ଦୁଷ୍କର୍ମକାରୀମାନେ ଅଛନ୍ତି। ଆଉ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପୁଲିସ୍ ଓ ପ୍ରଶାସନ ଏହି ଘଟଣାକୁ ଚାପି ଦେଉଛନ୍ତି। ପୀଡ଼ିତା ପରିବାରକୁ ନ୍ୟାୟ ନମିଳିଲେ ବିଜେପି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ। ଘଟଣାରେ ୫-୬ ଜଣଙ୍କର ସମ୍ପୃକ୍ତି ରହିଛି ଓ ଏହାର ତଦନ୍ତ କରିବା ପାଇଁ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସ୍ଥାନୀୟ ବିଧାୟିକାଙ୍କ ଚାପରେ ପୁଲିସ୍ ଚୁପ୍ ରହିଛି। କେବଳ ଲୋକଦେଖାଣିଆ ଗୋଟିଏ ଯୁବକଙ୍କୁ ଉଠାଇ ଆଣି ତାଙ୍କ ନାଁରେ ୩୦୬ ଦଫା(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଲଗାଇ ଗିରଫ କରି ଚୁପ୍ ବସିଛି। ଏହି ଘଟଣାରେ ଏସସି-ଏସଟି ଆଟ୍ରୋସିଟି ଆକ୍ଟ ଓ ପୋକସୋ ଆକ୍ଟ ଲଗାଇବା ପରିବର୍ତ୍ତେ ପୁଲିସ୍ କେବଳ ୩୦୬ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଜଣେ ମହିଳା ହୋଇଥିଲେ ମଧ୍ୟ ନିଜ ଅଂଚଳରେ ଘଟିଥିବା ଏଭଳି ଏକ ଅମାନବୀୟ ଘଟଣାରେ ମୁହଁ ଖୋଲିନାହାନ୍ତି କି ମୃତାର ପରିବାର ଲୋକଙ୍କୁ ସମବେଦନା ବି ଜଣାଇନାହାନ୍ତି। ଶାସକ ଦଳ ଓ ପୁଲିସ ଚାପରେ ଡାକ୍ତର ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି ଦର୍ଶାଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବିଜେପି ଦାବି କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛି। ନଚେତ୍ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Related story