ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ନିଜ ଦମରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିଛି। ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବାର ୫ମାସ ପୁରିଲାଣି କିନ୍ତୁ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଛି । ଦଳ ଓ ସଂଗଠନ ପାଇଁ ଦୀର୍ଘବର୍ଷ ଧରି କଠିନ ପରିଶ୍ରମ କରିଥିବା ଆଗଧାଡ଼ିର ନେତାମାନେ ନିଜ ଦଳର ସରକାରରେ ପଦପଦବୀ ପାଇବେ ବୋଲି ରଖିଥିବା ଆଶା ଏବେ ହତାଶରେ ପରିଣତ ହେବାରେ ଲାଗିଲାଣି । ପଦ୍ମ ଘୁଂଚି ଘୁଂଚି ଯିବାଭଳି ଦୀର୍ଘ ୪ମାସରୁ ଅଧିକ ସମୟ ଧରି ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦବୀ ସମେତ ଜିଲ୍ଲା ଯୋଜନା ବୋର୍ଡ, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ରାଜ୍ୟ ମହିଳା ଆୟୋଗ, ଲୋକାୟୁକ୍ତ ସଦସ୍ୟ ଓ ଅଧ୍ୟକ୍ଷ, ରାଜ୍ୟ ନିର୍ବାଚନ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପୂରଣ କରିବାରେ ମୋହନ ସରକାର ସକ୍ଷମ ହୋଇପାରିନାହାନ୍ତି । ଦଳ ଭିତରେ ଏହାକୁ ନେଇ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଥିଲେ ମଧ୍ୟ ଜାନୁୟାରୀରେ ଦଳର ସାଂଗଠନିକ ନିର୍ବାଚନ ସରିବା ପୂର୍ବରୁ ଏସବୁ ରାଜନୀତିକ ନିଯୁକ୍ତି ମିଳିନପାରେ ବୋଲି ଚର୍ଚ୍ଚା ହେଉଛି ।
ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ । କିନ୍ତୁ ବିଜେପି ସରକାର ଗଠନକୁ ୫ମାସ ପୁରିଗଲାଣି, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । କେବଳ କ୍ଷମତାକୁ ଆସିବା ପରେ ପୂର୍ବ ସରକାରରେ ଏସବୁ ପଦବୀରେ ରାଜନୀତିକ ନିଯୁକ୍ତି ପାଇଥିବା ବିଜେଡି ସମର୍ଥିତ ନେତାମାନଙ୍କୁ ହଟାଇ ଦିଆଯାଇଛି ।
ବିଜେପି ସୂତ୍ର ଅନୁସାରେ, ବିିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇ ଆଗ୍ରହୀ ଥିବା କିଛି ଆଗଧାଡ଼ିର ନେତାମାନଙ୍କୁ ଇତିମଧ୍ୟରେ ଦିଲ୍ଲୀରୁ ଡକରା ଆସିଥିଲା । ସେଠାରେ ୭-୮ଜଣ ଆଗଧାଡ଼ିର ନେତାଙ୍କୁ ରାଜ୍ୟ ସରକାରରେ ଥଇଥାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି । କିନ୍ତୁ ଏବେ ଯେହେତୁ ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ତେଣୁ ଏହି ନିଯୁକ୍ତିରେ ବିଳମ୍ବ ହେଉଛି । ଦଳରେ ଆଶାୟୀଙ୍କ ଲମ୍ବା ଧାଡ଼ି ଥିବାବେଳେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମଧ୍ୟ ସହଜ ହେବନି । ତେଣୁ ସାଂଗଠନିକ ନିର୍ବାଚନ ପରେ ହିଁ କିଛି ନେତାଙ୍କୁ ସରକାରୀ ପଦବୀରେ ଥଇଥାନ କରିବାର ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଗତ ସପ୍ତାହରେ ହାଇକୋର୍ଟରେ ସରକାରୀ ଓକିଲ ନିଯୁକ୍ତି ଦେବାବେଳେ ଦଳୀୟ ନେତା ଓ ସମର୍ଥକମାନଙ୍କ ମଧ୍ୟରେ ଛକାପଞ୍ଝା ଓ ଟଣାଓଟରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ମୋହନ ମାଝୀ ସରକାର ଆଉ ମାତ୍ର ୧୫ଦିନ ପରେ ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ବାର୍ଷିକ ବଜେଟ୍ ପରେ ଅତିରିକ୍ତ ବଜେଟ୍ ଆଣିବାକୁ ଯାଉଥିବା ସରକାର କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ଯୋଜନା ବୋର୍ଡ ଗଠନ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରଶାସନିକ କଳ ମାଧ୍ୟମରେ ଜିଲ୍ଲା ଯୋଜନାଗୁଡ଼ିକୁ ଅନୁମୋଦନ କରାଇବାରେ ଲାଗିଛନ୍ତି ସରକାର ।
ସେହିପରି ବିଭିନ୍ନ ନିଗମ ଓ ବୋର୍ଡର ମୁଖିଆ(ଅଧ୍ୟକ୍ଷ ଓ ସଭାପତି) ଦାୟିତ୍ୱରେ ସରକାରୀ ଅଫିସରମାନେ ରହିଛନ୍ତି । ଯେଉଁଥିପାଇଁ ଏସବୁ ସରକାରୀ ସଂସ୍ଥା ପେଷାଦାର ଢଙ୍ଗରେ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରୁନି । ରାଜନୀତିକ ନେତୃତ୍ୱ ନଥିବାରୁ ସଂସ୍ଥା ଦାୟିତ୍ୱରେ ଥିବା ପ୍ରଶାସନିକ ଅଫିସରମାନେ ବି କୌଣସି ରିସ୍କ ନନେଇ କେବଳ କାମଚଳା ଜାରି ରଖିଥିବା ଜଣାପଡ଼ିଛି ।
ବିଜେପି ସୂତ୍ର ଅନୁସାରେ, ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କେଉଁମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରାଯିବ ତା’ର ତାଲିକା ପ୍ରସ୍ତୁତି ଚାଲିଛି । ଦୀର୍ଘବର୍ଷ ଧରି ସଂଗଠନ ସହ ଜଡ଼ିତ ଥିବା ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବାକୁ ଯୋଜନା ଚାଲିଛି । ଯେଉଁ କିଛି ନେତା ଅନ୍ୟ ଦଳରୁ ବିଜେପିକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ରାଜନୀତିକ ପ୍ରଭାବ ଥିବା ନେତାଙ୍କୁ ମଧ୍ୟ ଥଇଥାନ ପାଇଁ ଚାପ ପଡ଼ୁଛି । ଦଳର ମହିଳା ଓ ଯୁବ ମୋର୍ଚ୍ଚାର ଆଗଧାଡ଼ିର ନେତାମାନେ ନିଜ ନିଜସ୍ତରରେ ଲବି ଜୋରଦାର କରିବାରେ ଲାଗିଛନ୍ତି । ଆଶାୟୀଙ୍କ ଲମ୍ବା ତାଲିକା ଥିବାରୁ ଦଶହରା ଓ ପରେ ଦୀପାବଳୀରେ ବି ଏହି ଘୋଷଣା ସମ୍ଭବପର ହୋଇପାରିଲା ନାହିଁ ।
ରାଜ୍ୟ ସରକାରରେ କାହାକୁ ଥଇଥାନ କରାଯିବ ସେ ନିଷ୍ପତ୍ତି ମୋହନ ସରକାର ନୁହେଁ ବରଂ ସଂଗଠନସ୍ତରରେ ନିଆଯିବ ବୋଲି ଚର୍ଚ୍ଚା ହେଉଛି । ଯେହେତୁ ଏବେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନରେ ଦଳୀୟ ନେତୃତ୍ୱ ବ୍ୟସ୍ତ ରହିଛନ୍ତି ଓ ରାଜ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ତେଣୁ ଏସବୁ ସରିବା ପରେ ହିଁ ବିଭିନ୍ନ ସରକାରୀ ପଦପଦବୀ ପାଇଁ ଦଳୀୟ ନେତାମାନଙ୍କ ନିଯୁକ୍ତିର ପୂର୍ଣ୍ଣାଙ୍ଗ ତାଲିକା ଆସିବାର ସମ୍ଭାବନା ରହିଛି । ଏପଟେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଚଳିତମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଆଗଧାଡ଼ିର ୭-୮ଜଣ ନେତାମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରାଯାଇପାରେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।