ନୟାଗଡ଼ ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କା ହରିଲୁଟ୍ : ପରିଚାଳନା କମିଟି ନିଲମ୍ବିତ, ଖୋଳତାଡ଼ କରିବ କ୍ରାଇମବ୍ରାଂଚ

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ବିରୁଦ୍ଧରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ଥମିନଥିବାବେଳେ ପୁଣି ଦୁର୍ନୀତି ଓ ଅର୍ଥ ତୋଷାରପାତ ଅଭିଯୋଗରେ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ଗୁରୁବାର ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।

state cooperative bank

ରାଜ୍ୟ ସମବାୟ ବ୍ୟାଙ୍କ

Ordigital Desk
  • Published: Thursday, 06 February 2025
  • , Updated: 06 February 2025, 09:04 PM IST

ରାଜ୍ୟରେ ଦୁର୍ନୀତିର ଆଡାସ୍ଥଳୀ ପାଲଟିଛି ସମବାୟ ବ୍ୟାଙ୍କ । ଗରିବ ଚାଷୀ ଓ ସାଧାରଣ ଲୋକଙ୍କ ଟଙ୍କାକୁ ପୈତୃକ ସମ୍ପତ୍ତି ଭଳି ଆହରଣ କରିବାକୁ ପଛାଉନାହାନ୍ତି ସମବାୟ ବ୍ୟାଙ୍କ ପରିଚାଳନା କମିଟିର ପଦାଧିକାରୀମାନେ । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ବିରୁଦ୍ଧରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ଥମିନଥିବାବେଳେ ପୁଣି ଦୁର୍ନୀତି ଓ ଅର୍ଥ ତୋଷାରପାତ ଅଭିଯୋଗରେ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ଗୁରୁବାର ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ବ୍ୟାଙ୍କରେ ହୋଇଥିବା ଅର୍ଥ ତୋଷାରପାତର ଅଧିକ ତଦନ୍ତ କରି ଦୋଷୀଙ୍କୁ ଧରିବା ଓ ଅର୍ଥ ଆଦାୟ କରିବାକୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)କୁ ଚିଠି ଲେଖିଛି ରାଜ୍ୟ ସମବାୟ ବିଭାଗ ।

ରାଜ୍ୟ ସମବାୟ ବ୍ୟାଙ୍କ ରେଜିଷ୍ଟ୍ରାର ସନ୍ତୋଷ କୁମାର ଦାଶ ଗୁରୁବାର ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଧାରା -୩୨(୭)ୋ ପ୍ରଦତ୍ତ କ୍ଷମତାର ଉପଯୋଗ କରି ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିକୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି । ଆଉ ବ୍ୟାଙ୍କର ପରିଚାଳନା ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ଏପଟେ ରାଜ୍ୟ ସମବାୟ ବିଭାଗର ଯୁଗ୍ମ ସଚିବ ସଂଗ୍ରାମ କେଶରୀ ରାଉତ ଫେବୃୟାରୀ ୪ତାରିଖରେ ଭୁବନେଶ୍ୱରସ୍ଥିତ ଅର୍ଥନୀତିକ ଅପରାଧ ଶାଖା ଏସପିଙ୍କୁ ଚିଠି ଲେଖି ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଆର୍ଥିକ ଅନିୟମିତତାର ଅଭିଯୋଗ ପରେ ବିଭାଗ ଦ୍ୱାରା ଗଠିତ ତଦନ୍ତ ଟିମ୍ ଏହାର ଯାଂଚ କରି ଲୋକଙ୍କ କୋଟିକୋଟି ଟଙ୍କାକୁ ଜାଲିଆତି ଢଙ୍ଗରେ ଲୁଟ୍ କରାଯାଇଥିବା ଜାଣିବାକୁ ପାଇଛନ୍ତି । ତେଣୁ ଏହି ଅର୍ଥକୁ ଠାବ କରିବା ସହ ଅପରାଧରେ ସାମିଲ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରିବା ନିମନ୍ତେ ବିଭାଗ ଅନୁରୋଧ କରିଛି ।

କାହିଁକି ନିଲମ୍ବନ ହେଲା ପରିଚାଳନା କମିଟି

ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଶ୍ରୀ ଦାଶଙ୍କ ନିର୍ଦ୍ଦେଶାନାମା ଅନୁସାରେ ପ୍ୟାନ୍ କାର୍ଡ ନମ୍ବର ଅସଙ୍ଗତି ଯୋଗୁ ଆୟକର ବିଭାଗ ଦ୍ୱାରା ନୟାଗଡ଼ ବ୍ୟାଙ୍କକୁ ୩୬୨.୫୬କୋଟି ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇଥିଲା । ଏହି ଜୋରିମାନା ବିବାଦର ସମାଧାନ ପାଇଁ ବ୍ୟାଙ୍କ ପରିଚାଳନା କମିଟି ଏକ ବୈଠକ କରି ୨୦୨୩ ଡିସେମ୍ବର ୧୪ତାରିଖରେ ନୟାଗଡ଼ସ୍ଥିତ ଏସଏସ୍ ଦାଶ ଆଣ୍ଡ ଆସୋସିଏଟସକୁ ବେଆଇନ ଭାବେ ନିଯୁକ୍ତି ଦେଲେ । ୨୦୨୪ ଫେବୃୟାରୀ ୨୧ତାରିଖରେ ସବୁ ନିୟମକୁ ଫୁ’କରି ସାଧାରଣ ପରିଚାଳନା ବୈଠକରେ ଏକ ପ୍ରସ୍ତାବ ପାରିତ କରାଇଲେ, ଯେଉଁଥିରେ ଏସଏସ୍ ଦାଶ ସଂସ୍ଥାକୁ ମୋଟ ଜୋରିମାନା ଅର୍ଥର ୧ପ୍ରତିଶତ କନସଲଟାନ୍ସି ଫି’ ଦେବାକୁ ନିଷ୍ପତ୍ତି ହେଲା । ଆଉ ପରିଚାଳନା କମିଟି ମଧ୍ୟ ଗୋଟିଏ ଥରରେ ୨.୧୦କୋଟି ଟଙ୍କା ଏହି ସଂସ୍ଥାକୁ ହସ୍ତାନ୍ତର କଲେ । ଏହି ୧ପ୍ରତିଶତ କେଉଁ ଆଧାରରେ ନିର୍ଦ୍ଧାରଣ କରାଗଲା ଓ କାହିଁକି ଅନ୍ୟ କୌଣସି ଫାର୍ମ ଓ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଗଲାନି ତାହା ସନ୍ଦେହଘେରରେ । ଏତେ ପରିମାଣର ଟଙ୍କା ଦେବା ପଛରେ   ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ିଥିଲା ।

୨- ପରିଚାଳନା କମିଟି ୨୦୨୩ ସେପ୍ଟେମ୍ବର ୨୯ତାରିଖରେ ଏକ ପ୍ରସ୍ତାବ ପାରିତ କରାଇ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ପବିତ୍ର ମୋହନ ପ୍ରଧାନଙ୍କୁ ମାସିକ ୧୦ହଜାରଟଙ୍କା ପରିଶ୍ରମିକରେ ସଭାପତିଙ୍କ ଓଏସଡି ଭାବେ ନିଯୁକ୍ତି ଦେଲା । ଏହି ନିଯୁକ୍ତି ଖୋଲାଖୋଲି ଭାବେ ସମବାୟ ରେଜିଷ୍ଟ୍ରାରଙ୍କ ୨୦୧୦ ଅକ୍ଟୋବର ୧ତାରିଖର ନିର୍ଦ୍ଦେଶନାମାର ଉଲ୍ଲଘଂନ । ଏହା ସମ୍ପୂର୍ଣ୍ଣ ବେଆଇନ ଓ ବ୍ୟାଙ୍କ ଉପରେ ଅଯଥା ଆର୍ଥିକ ବୋଝ ମଧ୍ୟ ।

୩- ପରିଚାଳନା କମିଟି ୨୦୨୨ ଡିସେମ୍ବର ୨୮ତାରିଖରେ ଏକ ପ୍ରସ୍ତାବ ପାରିତ କରି ସଭାପତି ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ଦୈନିକ ଭତ୍ତା ୪ହଜାର ଟଙ୍କା ନିର୍ଦ୍ଧାରଣ କଲେ । ଆଉ ଏହି ଭତ୍ତାବାବଦରେ ମାସିକ ମୋଟା ଅଙ୍କ ପାଇବା ପାଇଁ ସଦସ୍ୟମାନେ ବେଆଇନ ଭାବେ ବ୍ୟାଙ୍କର ବିଭିନ୍ନ ଶାଖା ଓ ପ୍ରାଥମିକ କୃଷି ସମବାୟ ସଂସ୍ଥାକୁ ଗସ୍ତ କଲେ । ଯାହାଫଳରେ ବ୍ୟାଙ୍କ ଉପରେ ଆର୍ଥିକ ବୋଝ ବଢ଼ିବା ସହ ଗରିବ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଲେ ।

୪- ଓଡ଼ିଶା ସମବାୟ ସୋସାଇଟି ଆଇନ-୧୯୬୨ର ଉଲ୍ଲଘଂନ କରି ମନମୁଖୀ ଭାବେ ପରିଚାଳନା କମିଟିରେ ନିଜର ସମ୍ପର୍କୀୟମାନଙ୍କୁ ଥଇଥାନ କରିଛନ୍ତି ।

ରାଜନୀତିକ ଦିଗ

ବିଜେଡି ଶାସନରେ ଥିବାବେଳେ ଏହି ପରିଚାଳନା କମିଟି ଗଠିତ ହୋଇଥିଲା । ବିଜେଡି ସମର୍ଥିତ ଅଧିକାଂଶ ସଦସ୍ୟ ଏଥିରେ ଥିବାବେଳେ ଏହି ଆର୍ଥିକ ତୋଷାରପାତ ଉପରେ ଲଗାମ ଦେବାକୁ ପ୍ରୟାସ କରିଛନ୍ତି ଜିଲ୍ଲାର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଆଧାରରେ ଓ ବାଚସ୍ପତିଙ୍କ ହସ୍ତକ୍ଷେପ ଯୋଗୁ ଏହି ମୋଟାଅଙ୍କର ଅର୍ଥ ତୋଷାରପାତ ଉପରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରିଥିବା ଚର୍ଚ୍ଚା ହେଉଛି ।

Related story