ବିଜେଡି ନେତାମାନେ ‘ମହିଳା ସଶକ୍ତିକରଣ’ ନୁହେଁ ‘ମାଇଣ୍ଡଫ୍ରେସ୍‌’କୁ ଦେଉଛନ୍ତି ଗୁରୁତ୍ୱ : ବିଜେପି

ନିମାପଡ଼ା ବିଧାୟକ ସମୀର ଦାଶ ତାଙ୍କ ଦଳର ଜଣେ ମହିଳା କର୍ମକର୍ତ୍ତାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱରକୁ ଡକେଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ଘୃଣ୍ୟ ମାନସିକତା ।

representational image

  • Published: Tuesday, 17 October 2023
  • , Updated: 17 October 2023, 10:28 PM IST

ବିଜେଡି ନେତାମାନେ ରାଜ୍ୟରେ ମହିଳା ସଶକ୍ତିକରଣ ନୁହେଁ ବରଂ ମହିଳାଙ୍କ ସହ ମାଇଣ୍ଡଫ୍ରେସକୁ ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ଓଡ଼ିଶା ଏବେ ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବେ ପରିଗଣିତ ହୋଇସାରିଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ମହିଳାମାନଙ୍କର ସୁରକ୍ଷା, ସମ୍ମାନ, ସ୍ୱାଭିମାନ, ଅଧିକାର ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛିି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି କଥା କହୁଛନ୍ତି । କିନ୍ତୁ ତାଙ୍କ ଦଳର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମହିଳା ନିର୍ଯାତନା ଓ ହିଂସାରେ ସମ୍ପୃକ୍ତ ଥିବାର ଜଳଜଳ ପ୍ରମାଣ ଥାଇ ବି କାର୍ଯ୍ୟାନୁଷ୍ଠାନ ହେଉି । ଏହା କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ନିମାପଡ଼ା ବିଧାୟକ ସମୀର ଦାଶ ତାଙ୍କ ଦଳର ଜଣେ ମହିଳା କର୍ମକର୍ତ୍ତାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱରକୁ ଡକେଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ଘୃଣ୍ୟ ମାନସିକତା । ଧର୍ମେନ୍ଦ୍ର ସାହୁଙ୍କ ଅପମୃତ୍ୟୁରେ ସଂପୃକ୍ତିକୁ ନେଇ ପୂର୍ବରୁ ବିଧାୟକ ଶ୍ରୀ ଦାଶ ବିବାଦରେ ଅଛନ୍ତି। ସେହିପରି ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ, ବିଜୟଶଙ୍କର ଦାସ, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ତାଳଚେର ଓ ଜୟଦେବ ବିଧାୟକଙ୍କ  ବିରୁଦ୍ଧରେ ମହିଳା ଅସଦାଚରଣ, ନିର୍ଯାତନା ଅଭିଯୋଗ ଥିଲେ ମଧ୍ୟ  କୌଣସି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।  ସେହିପରି ଯାଜପୁର ଜିଲ୍ଲାରେ ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ଦେବା ଯାଜପୁର ବିଜେଡି କାର୍ଯ୍ୟାଳୟକୁ ମାଇଣ୍ଡଫ୍ରେସ୍ ପାଇଁ ଆସିବାକୁ ବାଧ୍ୟ କରାଯାଇଥିଲା ।

ଏ ସମସ୍ତ ଘଟଣାରୁ ଜଣାପଡୁଛି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ।  ବିଜେଡି ପାଇଁ ଜଣେ ମହିଳା ‘ମାଇଣ୍ଡଫ୍ରେସର’ ଏକ ବସ୍ତୁ ହେବା ନିଶ୍ଚନ୍ତ ଦୁର୍ଭାଗ୍ୟଜନକ । ବିଜେଡିନେତାମାନଙ୍କର ଏଭଳି ମହିଳାବିରୋଧୀ ଆଚରଣକୁ  ବିଜେପି ଦୃଢ଼ ନିନ୍ଦା କରୁଛି । ଏଭଳି ଅମାନୁଷିକ କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ସେମାନଙ୍କୁ ପରାମର୍ଶ ଦେଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ଧ ଧ୍ରୁତରାଷ୍ଟ୍ର ନସାଜି ମହିଳାଙ୍କ ପ୍ରତି ଘଟୁଥିବା ହିଂସା, ନିର୍ଯାତନା ଆଦି ଘଟଣାରେ ସଂପୃକ୍ତ ବିଜେଡି ନେତାମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ଦାବି କରିଛି ।

Related story