ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ସୁକାନ୍ତ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ମିଶିଥିଲେ।
ଏହା ସହିତ ବିଧାୟକ ସୁକାନ୍ତ କୁମାର ନାୟକଙ୍କର ଘର ବାହୁଡ଼ା ହୋଇଛି। ସେ ବିଜେଡିରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ଓ ବିଜେପିରେ ମିଶି ପୁଣି ନୀଳଗିରିରୁ ଲଢ଼ିଥିଲେ। ୨୦୧୯ରେ ସେ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଉ ଚଳିତ ନିର୍ବାଚନ ବେଳେ ସେ ପୁଣି ବିଜେଡିକୁ ଫେରି ଯାଇଛନ୍ତି।
ବିଜେଡିରେ ମିଶିବା ପରେ ନିଜେ ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ ଯେ ତାଙ୍କର ଘରବାହୁଡ଼ା ହେଲା। ସେ କହିଥିଲେ, ବିଜୁବାବୁଙ୍କ ଆଦର୍ଶରେ ମୁଁ ପ୍ରଥମରୁ ଅନୁପ୍ରାଣିତ। କୌଣସି କାରଣରୁ ଅଭିମାନ କରି ୨୦୧୯ରେ ବିଜେଡି ଛାଡ଼ିଥିଲି। ଏବେ ପୁଣି ବିଜେଡିକୁ ଫେରିଲି। ତେଣୁ ଘରବାହୁଡ଼ା ହେଲା।
ସୂଚନାଯୋଗ୍ୟ, ଆଜି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ସେ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ।