ବିଜେଡିରେ କ୍ରୀତଦାସଙ୍କ ‘ଦାସ’ କିଏ, ୟେ ଦାସତ୍ୱ କାହିଁକି, କେବେ କରିବେ ଆତ୍ମସମୀକ୍ଷା?

ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା ନହେବା ଓ ପୁଣିଥରେ ପାଣ୍ଡିଆନ-ବବି ସକ୍ରିୟ ହେବାଯୋଗୁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ଧରୁନି।

ଶଙ୍ଖ ଭବନ(ଫାଇଲ ଫଟୋ)

  • Published: Saturday, 19 October 2024
  • , Updated: 19 October 2024, 10:22 PM IST

ବିଜେଡିରେ କିଏ କ୍ରୀତଦାସ ଓ କ୍ରୀତଦାସଙ୍କ ‘ଦାସ’ କେଉଁମାନେ? କାହିଁକି ଏଭଳି ଦାସତ୍ୱରେ ବାନ୍ଧି ହୋଇଛନ୍ତି ବରିଷ୍ଠ ନେତାମାନେ? କ’ଣ ସେମାନଙ୍କ ବାଧ୍ୟବାଧକତା? ଯେଉଁମାନଙ୍କ ପରିଶ୍ରମ ଓ କଷ୍ଟରେ ବିଜେଡି ଏତେ ବିଶାଳ ହୋଇପାରିଛି କାହିଁକି ସେମାନଙ୍କୁ ଅଲୋଡ଼ା କରିଦିଆଯାଉଛି? ବିଜେଡି ଗଠନ, ପ୍ରାରମ୍ଭିକ ସଂଘର୍ଷ ଓ ସଫଳତାରେ ସାମାନ୍ୟତମ ଅବଦାନ ନଥିବା ବ୍ୟକ୍ତିମାନେ ଏବେ ବିଜେଡିକୁ ଜାବୁଡ଼ି ଧରି ଦଳକୁ ପତନ ଆଡ଼େ ଟାଣି ନେଉଥିଲେ ମଧ୍ୟ କାହିଁକି ଦଳର ଆଗଧାଡ଼ିର ନେତାମାନେ ସେମାନଙ୍କ ‘ଦାସତ୍ୱ’ ସ୍ୱୀକାର କରିଛନ୍ତି?  କାହିଁକି ଏହି ଆଗଧାଡ଼ିର ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି? ଆଉ ସେହି ଆତ୍ମଘୋଷିତ ‘କ୍ରୀତଦାସ’ଙ୍କ  ‘ଦାସ’ ପାଲଟି ନିଜର ଆତ୍ମସ୍ୱାଭିମାନକୁ ଭୁଲି କାହିଁକି ସଖିକଣ୍ଡେଇ ଭଳି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ବିଜେଡିର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନରେ ପରାଜୟ ପରଠୁ କିଛିଦିନର ବ୍ୟବଧାନ ପରେ ପୁଣିଥରେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଆକ୍ରୋଶ ବଢ଼ିବାରେ ଲାଗିଛି । ପାଣ୍ଡିଆନ ନିଜେ ସମ୍ମୁଖକୁ ଆସୁନଥିଲେ ମଧ୍ୟ ତାଙ୍କ ‘ଆତ୍ମଘୋଷିତ କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମାଧ୍ୟମରେ ପୂର୍ବଭଳି ଦଳକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି । ଆଉ ‘କ୍ରୀତଦାସ’ ବି ପ୍ରଚ୍ଛଦପଟ୍ଟରେ ରହି ନିଜର  ‘ଦାସ’ ଟିମ୍ ମାଧ୍ୟମରେ ଏବେ କାହାକୁ କାରଣଦର୍ଶାଅ ନୋଟିସ୍ ପଠାଉଛନ୍ତି ତ ଆଉ କେଉଁ ବରିଷ୍ଠ ନେତାଙ୍କୁ ‘ଦଳ ଛାଡ଼ି ପଳାଅ’ ବୋଲି ଚେତାବନୀ ଦେଉଛନ୍ତି । ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଯେଉଁ ପାଣ୍ଡିଆନ ଓ ବବି ଦାସଙ୍କୁ ଦାୟୀ କରାଯାଉଛି ସେମାନେ ପୁଣି କିଭଳି ଦଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଛନ୍ତି ତାକୁ ନେଇ କର୍ମୀ ଓ ନେତାମହଲରେ ଆକ୍ରୋଶ ବଢ଼ୁଥିବାବେଳେ ‘ଦାସ’ ଟିମ୍ ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦେଉଥିବା ଜଣାପଡ଼ିଛି । ଦେବୀ ମିଶ୍ର,ଅତନୁ ସବ୍ୟସାଚୀ ନାୟକ,ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ କଥା । Debi Mishra(D) , Atanu Sabyasachi(A), Sanjaya Dasburma(S), Arun Sahoo(A) ଅର୍ଥାତ୍ ‘ଦାସ’ (DASA) । ଯେଉଁମାନେ କି ଏବେ ବବିଙ୍କ ନିର୍ଦ୍ଦେଶରେ ଶଙ୍ଖଭବନରେ ବସି ସାଂଗଠନିକ କାର୍ଯ୍ୟକୁ ଆଗେଇ ନେଉଥିବା ଜଣାପଡ଼ିଛି । ଯଦିଓ ଏହି ୪ଜଣ ନେତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତା ରହିଛି ତଥା ସେମାନେ ଚାହିଁଲେ ଦଳର ସବୁଗୋଷ୍ଠୀର ନେତାମାନଙ୍କୁ ଏକଜୁଟ ରଖିପାରିବେ । ଦଳର ଆଗଧାଡ଼ିର ନେତା ଭାବେ ସେମାନେ ଦୁଇଦଶନ୍ଧିରୁ ଅଧିକ ସମୟ ଧରି ସାଂଗଠନିକ କାର୍ଯ୍ୟ ମଧ୍ୟ କରୁଛନ୍ତି ।

ତଥାପି ଏହି ନେତାମାନେ କାହିଁକି ‘କ୍ରୀତଦାସ’ଙ୍କ ‘ଦାସ’ ପାଲଟିଛନ୍ତି ତାହା ଏବେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଦଳ ଏବେ ବିଭାଜନ ଓ ପତନାଭିମୁଖୀ ହୋଇଥିବାବେଳେ ଏହି ନେତାମାନେ ନିରବ ରହି ଓଲଟା ‘କ୍ରୀତଦାସ’ଙ୍କ ସଖିକଣ୍ଢେଇ ସାଜିବାକୁ ସାଧାରଣରେ ନାପସନ୍ଦ କରାଯାଉଛି ।

ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା ନହେବା ଓ ପୁଣିଥରେ ପାଣ୍ଡିଆନ-ବବି ସକ୍ରିୟ ହେବାଯୋଗୁ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନାଁ ଧରୁନି । ଜଣକ ପରେ ଜଣେ ନେତା ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । ପ୍ରଫୁଲ୍ଲ ଘଡ଼େଇଙ୍କଠୁ ଆରମ୍ଭ କରି ପଦ୍ମନାଭ ବେହେରାଙ୍କ ପର୍ଯ୍ୟନ୍ତ ବରିଷ୍ଠ ନେତାମାନେ ବୁଲେଇବଙ୍କେଇ ନିର୍ବାଚନ ପରାଜୟର ସମୀକ୍ଷା କଥା କହୁଛନ୍ତି । ତଥାପି ଦଳର ଚେତା ପଶୁନି କିମ୍ବା ଦଳକୁ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାମାନ୍ୟତମ ପଦକ୍ଷେପ ନେଉନାହାନ୍ତି । ନବୀନଙ୍କ ଏଭଳି ନିରବତା,ଅପାରଗତା ଓ ଅସହାୟତାକୁ ନେଇ ବିଜେଡି ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନବୀନ ନିବାସରେ ରହି ‘ବିଜେଡି’କୁ ତାଙ୍କର ଆତ୍ମଘୋଷିତ ‘କ୍ରୀତଦାସ’ଙ୍କ ମାଧ୍ୟମରେ ଜାବୁଡ଼ି ଧରିରଖିଛନ୍ତି । ଆଉ କ୍ରୀତଦାସଙ୍କ ନିର୍ଦ୍ଦେଶରେ ଓ ତାଙ୍କୁ ସହଯୋଗ ପାଇଁ ଏହି ‘ଦାସ’ ଟିମ୍ ଫୁଲ୍ ସ୍ପିଡରେ କାର୍ଯ୍ୟ କରୁଥିବାରୁ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।

୧- ବିଜେଡିର ଏହି ‘ଦାସ’ ଟିମ୍ ଏବେ ଶଙ୍ଖଭବନରେ ବସି ଡଜନେରୁ ଅଧିକ ନେତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇବାକୁ ଯାଇ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି । କିନ୍ତୁ ଏପଟେ ଯାଜପୁରରେ କର୍ମୀ ସମ୍ମିଳନୀରେ ବବି ଖୋଲାଖୋଲି ଭାବେ ବିଜେଡି କହିଲେ ‘ବବି-ଜିତୁ-ଡାନି’ମତ ଦେଇ ଅନ୍ୟ ନେତାମାନଙ୍କୁ ନିଚ୍ଚା ଦେଖାଇବା ସହ ସେମାନଙ୍କର ଦଳରେ ଅବଦାନ ନାହିଁ କହି ଜିଲ୍ଲାରେ ଗୋଷ୍ଠୀବିବାଦକୁ ବଢ଼ାଇଛନ୍ତି । ଏଭଳି ଅପରିପକ୍ୱ ମନ୍ତବ୍ୟ ପାଇଁ କାହିଁକି ଏହି ଟିମ୍ ବବିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରୁନି?

୨- ବବିଙ୍କ ଏହି ବୟାନ ପରେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଗଣମାଧ୍ୟମରେ ନିଜର ମତ ରଖି ପରାଜୟର ସମୀକ୍ଷା କଥା କହିଲେ । ବଡ଼ଚଣାରେ ତାଙ୍କୁ ହଟାଇ ନିଜ ଫାଇଦା ପାଇଁ ପାଣ୍ଡିଆନ-ବବି ଜଣେ ଅଭିନେତ୍ରୀଙ୍କୁ ରାତିରାତି ଟିକେଟ୍ ଦେଲେ । ସେ ପରାଜିତ ହେଲାପରେ ମଧ୍ୟ ବଡ଼ଚଣାରେ ଅମରଙ୍କୁ କୋଣଠେସା କରାଗଲା । ଦଳରେ ତ ଫୋରମ୍ ନାହିଁ କି କହିବାର ସୁଯୋଗ ମିଳୁନି । ୬ମାସ ପରେ ଦଳର ବରିଷ୍ଠ ନେତା ଭାବେ ଏଭଳି ପରାମର୍ଶ ଦେବାରେ ଭୁଲ୍ ରହିଲା କେଉଁଠି? ଲେନିନ୍ ମହାନ୍ତିଙ୍କ ଭଳି ଜଣେ ଅପରିପକ୍ୱ କନିଷ୍ଠ କର୍ମୀଙ୍କ ମାଧ୍ୟମରେ ଅମରଙ୍କୁ ‘ଦଳ ଛାଡ଼ି ପଳାଅ’ ବୋଲି କେମିତି କୁହାଗଲା? ଏହା କ’ଣ ବିଜେଡିର ରାଜନୀତିକ ସଂସ୍କାର କି? କାହିଁକି ଲେନିନଙ୍କୁ ଏଥିପାଇଁ କାରଣଦର୍ଶାଅ ନୋଟିସ୍ ଜାରି ହେଉନି? କିମ୍ବା ଅମରଙ୍କୁ ଡାକି ବୁଝାଇବା କାର୍ଯ୍ୟ ହେଉନି?

୩- ୨୪ବର୍ଷ ଧରି ଗୋଟିଏ ରାଜନୀତିକ ଦଳ କ୍ଷମତାରେ ଥିଲା । ରାଜ୍ୟରେ ଦଳ ସର୍ବାଧିକ ଭୋଟ୍ ମଧ୍ୟ ପାଇଛି । କିନ୍ତୁ କାହିଁକି ଦଳ କ୍ଷମତାଚ୍ୟୁତ ହେଲା ଓ ୬ମାସ ପରେ ବି ସମୀକ୍ଷା କାହିଁକି ହେଉନି? ଏହା କ’ଣ ଜାଣିବାର ଅଧିକାର ଲକ୍ଷଲକ୍ଷ ବିଜେଡି କର୍ମୀ ଓ ନେତାଙ୍କର ନାହିଁ କି?

୪- ବୟାସାଧିକ ଯୋଗୁ ନବୀନ ଏବେ ଯଦି ଦଳର ସକ୍ରିୟ ନେତୃତ୍ୱ ନେବାକୁ ଅସମର୍ଥ, ତା’ହେଲେ ବିଜେଡି କାହିଁକି ଏକ ଟିମ୍ ଗଢ଼ି ସେମାନଙ୍କୁ ଦାୟିତ୍ୱ ଦେଉନି? ଓଲଟା ଯାହାଙ୍କ ମାମଲାତି ଓ ଔଦ୍ଧତ୍ୟ ପାଇଁ ଦଳ ପରାଜିତ ହେଲା ଏବଂ ଏବେ ବିଭାଜନ ଆଡ଼େ ମୁହାଁଉଛି କାହିଁକି ତାଙ୍କରି ଟିମ ପୁଣିଥରେ ଦଳକୁ ଜାବୁଡ଼ି ଧରିଛି?

୫- ଦଳରେ ସମନ୍ୱୟ କମିଟି,ଉପଦେଷ୍ଟା କମିଟି, ମୁଖପାତ୍ର କମିଟି, କାର୍ଯ୍ୟାନ୍ୱୟନ କମିଟି  ଆଦି ହେଲା । ବିଧାୟକମାନଙ୍କୁ ବିଭାଗ ବଂଟା ହେଲା । ଏସବୁ ମଧ୍ୟରୁ କାହିଁକି କେଉଁ ଗୋଟିଏବି ଠିକ୍ ଭାବେ କାର୍ଯ୍ୟ କରିବାରେ ସକ୍ଷମ ହେଉନି?

ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଏହି ସମସ୍ତ ପ୍ରଶ୍ନ ଏବେ ବିଜେଡି ମହଲରେ ଉଙ୍କିମାରୁଛି । ଆଉ କ୍ରୀତଦାସଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ‘ଦାସ’ଟିମ ଏସବୁକୁ ନେଇ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । ଦଳ କିଭଳି ଶୃଙ୍ଖଳିତ ହେବ, ଦଳୀୟ ପାଣ୍ଠିର ସୁବିନିଯୋଗ ହେବ ଓ ଏବେ ଉପୁଜିଥିବା ‘ଗୃହଯୁଦ୍ଧ’ ପରିସ୍ଥିତିରୁ ମୁକୁଳିବ ସେ ନେଇ ଆଗଧାଡ଼ିର ନେତାମାନେ ଶାଣିତ ସ୍ୱର ଉତ୍ତୋଳନ ନକଲେ ବିଜେଡିର ପତନ ସୁନିଶ୍ଚିତ ବୋଲି ମତପ୍ରକାଶ ପାଇଛି ।

 

Related story