ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ବାଣପୁର ଜନସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନଧରି ତାଙ୍କୁ ସିଧାସଳଖ କଡ଼ା ସମାଲୋଚନା କରିଛନ୍ତି । ୧୦୦ବର୍ଷ ବିଜେଡିର ଶାସନ କରିବାର ଦମ୍ଭୋକ୍ତି ଓ ଜାତୀୟ ଦଳଗୁଡ଼ିକ ଓଡ଼ିଶାର ସ୍ୱାର୍ଥ ପାଇଁ କିଛି କରୁନାହାନ୍ତି ବୋଲି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା ଭିଡିଓ ବାର୍ତ୍ତାକୁ ନେଇ ଧର୍ମେନ୍ଦ୍ର କଡ଼ା ଭାଷାରେ ଜବାବ ଦେଇଥିବାବେଳେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା ଓଡ଼ିଶାର ପ୍ରଗତିରେ ଧୃତରାଷ୍ଟ୍ର ବାଧକ ସାଜିଛନ୍ତି । ଆଉ ଧୃତରାଷ୍ଟ୍ରଙ୍କ ପାଖରେ ଦୁର୍ଯ୍ୟୋଧନ କିଏ, କେଉଁମାନେ ଓଡ଼ିଶାରେ କୁଶାସନ ଚଳାଇଛନ୍ତି, ତାହା ଓଡ଼ିଶାବାସୀଙ୍କୁ ଜଣାପଡ଼ିଗଲାଣି ବୋଲି କହିଛନ୍ତି।
ଆଜି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବାଣପୁରରେ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅପ୍ରଜାତାନ୍ତ୍ରିକ ଉପାୟରେ ୧୦୦ବର୍ଷ ପର୍ଯ୍ୟନ୍ତ ଶାସନ କରିବାର ଦମ୍ଭୋକ୍ତି ମାନ୍ୟବର ବାଢ଼ିଛନ୍ତି । ୯ମିନିଟର ଭିଡିଓ ଭାଷାରେ ସେ ଯେଉଁ ବିଶୋଦଗାର କରିଛନ୍ତି ତାହା ତାଙ୍କର ଦମ୍ଭକୁ ଦର୍ଶାଉଛି । ଦମ୍ଭ ଶୋଭାପାଏନି । କଂସ ଓ ରାବଣର ଅହଙ୍କାର, ଧନବଳ-ବାହୁବଳର ଅହଙ୍କାର ଦେଖାଉଛନ୍ତି । ତେବେ ଓଡ଼ିଆ ଜାତି କାହାରି ଜାଗିର ନୁହେଁ ଯେ ଶାସନ କରିବାର ଏଭଳି ବାହାସ୍ଫୋଟ କିଏ ମାରିବ । ମହିଳାଙ୍କ ଆଶୀର୍ବାଦରେ ୧୦୦ବର୍ଷ ଶାସନ କରିବେ । କିନ୍ତୁ ନାରୀ ନିର୍ଯାତନା, ବ୍ୟଭିଚାରରେ ଏଠି ସର୍ବାଧିକ । ମମିତା ମେହେର ହତ୍ୟାକାରୀକୁ ଜେଲ୍ ଭିତରେ ନାଟକୀୟ ଢଙ୍ଗରେ ମାରିଦିଆଗଲା । ମମିତା ହତ୍ୟାକାରୀ ଯିଏ ଜେଲ ଭିତରେ ମଲେ ତାଙ୍କର ସ୍ତ୍ରୀ ଓ ଝିଅ କହୁଛନ୍ତି ଆତ୍ମହତ୍ୟା ନୁହେଁ ହତ୍ୟା । ସେହିଭଳି ମାନ୍ୟବରଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁର କେତେଜଣ ମହିଳା ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ତା’ର ହିସାବ ମାନ୍ୟବରଙ୍କ ପାଖରେ ଅଛି କି? ଏଥିରେ ପୁଣି ମାନ୍ୟବର ଦମ୍ଭ ଦେଖାଉଛନ୍ତି । ଆଉ ନରେନ୍ଦ୍ର ମୋଦିଙ୍କୁ ନାଲିଆଖି ଦେଖାଉଛନ୍ତି । ୨୦୨୨ ମସିହାରେ ୧୦୦ଜଣ ଦୁର୍ନୀତିଗ୍ରସ୍ତଙ୍କଠୁ ହଜାରେ କୋଟି ଟଙ୍କାର କଳାଟଙ୍କା ମିଳିଛି ।ଏଠି ଦୁର୍ନୀତି, ଅତ୍ୟାଚାର, ନାରୀ ନିର୍ଯାତନା,ବ୍ୟଭିଚାରରେ ଓଡ଼ିଶାବାସୀ ଅତିଷ୍ଠ ହେଲେଣି । ତେଣୁ ଏଠି ଡବଲ ଇଞ୍ଜିନର ସରକାରର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ପଣ୍ଡା କହିଥିଲେ ଯେ, ଓଡ଼ିଶା ମଧ୍ୟ ପ୍ରଗତିରୁ ବଂଚିତ ହୋଇଛି । ଦାଦନ ଖଟିବାକୁ ଓଡ଼ିଆ ଲୋକମାନେ ଏବେବି ବିଭିନ୍ନ ରାଜ୍ୟକୁ ଯାଉଛନ୍ତି । ୨୩ବର୍ଷ ଧରି କ୍ଷମତାରେ ରହି ମଧ୍ୟ ଧୃତରାଷ୍ଟ୍ର ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିନପାରିବା ଚିନ୍ତାର ବିଷୟ । ଓଡ଼ିଶା ପ୍ରଭାରୀ ପୁରନ୍ଦେଶ୍ୱରୀ ଯେଉଁ ଧୃତରାଷ୍ଟ୍ରଙ୍କ କଥା ନିଜର ହିନ୍ଦି ଭାଷଣରେ କହିଲେ ତାହା ଅନ୍ୟ କେହି ବୁଝୁ କି ନବୁଝୁ ଧୃତରାଷ୍ଟ୍ର ନିଶ୍ଚିତ ବୁଝିଥିବେ । କେନ୍ଦ୍ରର ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ ଭାରତରେ ବିରାଟ ପରିବର୍ତ୍ତନ ସମ୍ଭବପର ହେଉଛି । କିନ୍ତୁ ଓଡ଼ିଶା ଏଥିରୁ ବଂଚିତ ହେଉଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ପ୍ରତିଟି ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତାରୁ ଓଡ଼ିଶାବାସୀଙ୍କୁ ଏଠିକାର ଧୃତରାଷ୍ଟ୍ର ବଂଚିତ କରିଛନ୍ତି । ଏକମାତ୍ର କାରଣ ହେଉଛି ରାଜନୀତି । ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଧୃତରାଷ୍ଟ୍ର ଦେଉନାହାନ୍ତି । ତାଙ୍କ ପାଖରେ ଦୁର୍ଯ୍ୟୋଧନ କିଏ, ଯେଉଁମାନେ ଅଛନ୍ତି ସେମାନେ କୁଶାସନ ଚଳାଇଛନ୍ତି । ଏକଥା ଓଡ଼ିଶାବାସୀଙ୍କୁ ଜଣାପଡ଼ିଗଲାଣି।
ଓଡ଼ିଶାରେ ପରିବର୍ତ୍ତନର ଆହ୍ୱାନ ଦେବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସିଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ପାଇଁ ବିଜେପି ପୁରା ପ୍ରସ୍ତୁତିରେ ଆସିଛି । ୩ମାସ ମଧ୍ୟରେ ଦ୍ୱିତୀୟ ଥର ଶ୍ରୀ ନଡ୍ଡା ଓଡ଼ିଶା ଆସିଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ବିଜେପିର ଇଚ୍ଛାଶକ୍ତି ଅଛି ତାହା ଆପଣମାନେ ସ୍ପଷ୍ଟ ହୋଇଯିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଭାବମୂର୍ତ୍ତି ବଦଳିଛି । ଦେଶକୁ ବଦଳାଇଛି । ଓଡ଼ିଶାର ପରିବର୍ତ୍ତନ ନିଷ୍ପତ୍ତି ଓଡ଼ିଶାବାସୀ ନେବେ । ୨୩ବର୍ଷ ଶାସନ ଚଳାଇଲେଣି, ଯିଏ ଆରମ୍ଭରେ ବିଜେପି ସହାୟତା ଓ ମାର୍ଗଦର୍ଶନରେ ଶାସନ କରୁଥିଲେ । ଆମ ନେତା ଅଟଳ ବିହାରୀ ବାଜପେୟୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ପରିବର୍ତ୍ତନ ହେଉଥିଲା। ସିଏ ଗତ ୧୦-୧୨ବର୍ଷ ହେଲା ଓଡ଼ିଶାରେ କ’ଣ କରୁଛନ୍ତି ତାହା ଆପଣମାନେ ଅନୁଭବ କରିପାରୁଥିବେ । ବଳାତ୍କାର,ହତ୍ୟା, ନାବାଳିକା ଅତ୍ୟାଚାର ଆଦିରେ ସମଗ୍ର ଦେଶରେ ଓଡ଼ିଶା ଏକ ନମ୍ବରରେ ରହିଛି । କିନ୍ତୁ ତଥ୍ୟକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ବିଜ୍ଞାପନ ଦେଇ ବାହାବା ନେଉଛନ୍ତି । ଏଠି ଯେଉଁମାନେ ହତ୍ୟାରେ ସମ୍ପୃକ୍ତ ଥାନ୍ତି ସେମାନେ ମନ୍ତ୍ରୀ ହୁଅନ୍ତି । ତେଣୁ ଓଡ଼ିଶାରେ ଶାସନର ପରିବର୍ତ୍ତନର ସମୟ ଆସିଯାଇଛି । ଘରକୁ ଫେରି ନିଜ ଗାଁ, ପଡ଼ିଶା ଓ ବନ୍ଧୁବାନ୍ଧବରେ ଏସବୁକୁ ଆଲୋଚନା କରିବା ପାଇଁ ଶ୍ରୀ ପଣ୍ଡା ଉପସ୍ଥିତ ଲୋକଙ୍କୁ ବୁଝାଇବାକୁ ଆହ୍ୱାନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।