ରାଜ୍ୟର ଅଧିକାଂଶ ପ୍ରମୁଖ ସହରର ବାୟୁର ମାନ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ ଏବେ ୩୦୦ ଉପରେ ରହୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି ପକ୍ଷରୁ ରାଜ୍ୟର କେତେକ ପ୍ରମୁଖ ସହରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାପିତ ୧୭ଟି ଅନଲାଇନ ଷ୍ଟେସନରୁ ତଥ୍ୟ ନେଇ ଏଭଳି ଚିତ୍ର ଦର୍ଶାଯାଇଛି। ଏମିତିକି ତାଳଚେର, ଅନୁଗୋଳ ଭଳି ସହରର ବାୟୁ ପ୍ରଦୂଷଣ କେତେକ ଦିନରେ ଦିଲ୍ଲୀକୁ ଟପିଯାଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରତିଦିନ ଅନ୍ଲାଇନରେ ଏୟାର କ୍ୱାଲିଟି ବୁଲେଟିନକୁ ସର୍ବସାଧାରଣରେ ୱେବସାଇଟରେ ଛଡ଼ା ଯାଉଛି। ଲୋକଙ୍କୁ ବାୟୁର ମାନ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ବା ଏକ୍ୟୁଆଇର ମାନ କେତେ ଖରାପ ହେଉଛି ସେ ନେଇ ସଚେତନ କରାଯାଉଛି। ଗତ ତିନି ୩ ଦିନର ଏୟାରକ୍ୱାଲିଟି ବୁଲେଟିନ ଦେଖିଲେ, ଭୁବନେଶ୍ୱର, କଟକ, ତାଳଚେର, ଅନୁଗୋଳ, ବାଲେଶ୍ୱର ଭଳି ସହରର ଏକ୍ୟୁଆଇର ସ୍ତର ୩୦୦ ଉପରେ ରହୁଛି। ଅର୍ଥାତ ଏହାର ସ୍ତର ଅତି ଖରାପ ସ୍ଥିତିରେ ପହଁଚିଥିବା ଦେଖାଯାଉଛି।
ରାଜ୍ୟ ସରକାର ବିଧାନସଭାରେ ବାରମ୍ବାର ସବୁ ସହରର ଏକ୍ୟୁଆଇ ପ୍ରାୟ ୧୦୦ରୁ ୧୫୦ ଭିତରେ ରହୁଥିବା ଦେଖାଇଥାନ୍ତି। ଅର୍ଥାତ ସନ୍ତୋଷଜନକ ବା ଚଳନୀୟ ଦେଖାଇଥାନ୍ତି। ଅନଲାଇନ୍ ମୋନିଟରରେ 24-ଘଣ୍ଟିଆ ତଥ୍ୟ କାହିଁକି ୩୦୦ରୁ ଅଧିକ ଦେଖାଉଛି ତାହା ପ୍ରଶ୍ନ ସୃଷ୍ଟି କରୁଛି।
ଉଦାହରଣସ୍ୱରୂପ ଜାନୁଆରୀ ୩ ତାରିଖରେ ଭୁବନେଶ୍ୱରର ଏକ୍ୟୁଆଇ ୨୮୮ ଅର୍ଥାତ ଖରାପ ଥିବା ବେଳେ, ତାଳଚେରରେ ୨୯୪ ଖରାପ, କଟକରେ ୩୦୩ ଅତି ଖରାପ, ବାଲେଶ୍ୱରରେ ୩୧୨ ଅତି ଖରାପ ଓ ଅନୁଗୋଳରେ ୩୫୪ ଅତି ଖରାପ ଥିବା ଦେଖାଯାଉଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ ସ୍ତରକୁ ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଥାଏ।
ପ୍ରଦୂଷଣ ସ୍ତରକୁ ଦେଖି ୦-୫୦ ଭିତରେ ଥିବା ବାୟୁ ଭଲ ଓ ଏଥିପାଇଁ ନୀଳ ଚିହ୍ନ ବ୍ୟବହାର କରାଯାଏ। ୫୧-୧୦୦ ଚଳନୀୟ (ମଡରେଟ), ୧୦୧ରୁ ୧୫୦ କେତେକ ରୋଗୀଙ୍କ ପାଇଁ ଅସ୍ୱାସ୍ଥ୍ୟକର ଓ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ୩୦୧ରୁ ଅଧିକ ମାତ୍ରାକୁ ଅତି ଖରାପ ସ୍ତରରେ ରଖାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡ. ପ୍ରକାଶ ମହାପାତ୍ର କହିଛନ୍ତି, “ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାନୁଆଲ ବା ଅଫଲାଇନ ଡାଟାକୁ ନେଇ ଏକ୍ୟୁଆଇ ସ୍ତର ତିଆରି କରୁଛନ୍ତି। ମାତ୍ର ଅନଲାଇନ ତଥ୍ୟକୁ ନେଇ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁଲେଟିନ ଜାରି କରୁଛି। ବର୍ତ୍ତମାନ ଶୀତ ଋତୁ ହୋଇଥିବାରୁ ବାୟୁମଣ୍ଡଳରେ ସକାଳ ବେଳା ଅଧିକ ଭାସମାନ କଣିକା ଭାସି ରହୁଛି।”
କମ୍ୟୁନିଟି ମେଡିସିନ ବିଶେଷଜ୍ଞ ଡାକ୍ତର ରଂଜିତ କୁମାର ପଣ୍ଡା କହିଛନ୍ତି, “ବାୟୁ ପ୍ରଦୂଷଣ ଯୋଗୁ ଚକ୍ଷୁ ରୋଗ, ଫୁସଫୁସ କ୍ୟାନସର, ଟିବି, ମାଲାରିଆ ଭଳି ଅନେକ ରୋଗ ହେଉଛି। ଲୋକେ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବା ଉଚିତ।”
ଓଡ଼ିଶାରେ ବର୍ତ୍ତମାନ ବାୟୁର ମାନ ଯାଞ୍ଚ ପାଇଁ ୩୦ଟି ଜିଲ୍ଲାରେ ୧୭ଟି ଅନଲାଇନ ଷ୍ଟେସନ ଓ ୪୩ଟି ଅଫଲାଇନ ଷ୍ଟେସନ (ମାନୁଆଲ ଷ୍ଟେସନ) ରହିଛି। ଯାହାକି ବାୟୁ ପ୍ରଦୂଷଣର ମାନ ସଂପର୍କରେ ତଥ୍ୟ ଦେଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କେବଳ ମାନୁଆଲ ଷ୍ଟେସନରୁ ତଥ୍ୟ ନେଇ ରିପୋର୍ଟ ପ୍ରସ୍ତୁତ କରୁଛି। ଏଡସ, ଟିବି ଓ ମାଲାରିଆରେ ଯେଉଁ ପରିମାଣରେ ଲୋକଙ୍କ ମୃତ୍ୟୁ ହେଉଛି, ତା’ଠାରୁ ଅଧିକ ଲୋକ ବାୟୁ ପ୍ରଦୂଷଣରେ ଶିକାର ହୋଇ ପ୍ରାଣ ହରାଉଥିବା ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି। ଅନ୍ୟପଟରେ ବାୟୁ ପ୍ରଦୂଷଣ ଯୋଗୁ ଭାରତର ଜିଡିପିରେ ୧.୩୬% କ୍ଷତି ହେଉଛି। ଯାହାକି ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରିଛି ବିଶ୍ୱବ୍ୟାଙ୍କ। ଓଡ଼ିଶାର ବାୟୁରେ ଅଧିକ ମାତ୍ରାରେ ଛୋଟ ଭାସମାନ କଣିକା ଅର୍ଥାତ୍ ସସପେଣ୍ଡେଡ୍ ପାର୍ଟିକୁଲେଟ ମ୍ୟାଟର ୨.୫ ରହୁଥିବା ଦେଖାଯାଉଛି। ପିଏମ୍ ୨.୫ ପାର୍ଟିକୁଲେଟ ମ୍ୟାଟରର ମୋଟେଇ ଗୋଟିଏ ଚୁଟିର ୩୦ ଭାଗରୁ ଭାଗେ ହେବ। ତେଣୁ ଏହା ଅତି ସହଜରେ ଫୁସଫୁସକୁ ଚାଲି ଯାଉଛି। ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କେତେକ କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ଥିତିରେ ପହଁଚିଛି।
ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ