ଗୁରୁପ୍ରିୟା ସେତୁ ପରେ ବଦଳିଥିଲା ନାଁ। ଆଉ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ନାଁ ବଦଳି ଥିଲେ ମଧ୍ୟ ବଦଳିନି ଚିତ୍ର। ଏବେ ମଧ୍ୟ ଅନେକ ଗାଁର ଲୋକମାନେ ନାଳ ପାଣିରେ ଶୋଷ ମେଣ୍ଟାଉଛନ୍ତି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ପାନୀୟ ଜଳ ମୁନ୍ଦାଏ ଯୋଗାଇ ପାରିଲେ ନାହିଁ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ମାଲକାନଗିରି ଜୀବନ ରେଖା ଯେଉଛି ଚିତ୍ରକୋଣ୍ଡା ଜଳଭଣ୍ଡାର। ଏହି ଜଳ ଭଣ୍ଡାରରୁ ପଡୋଶୀ ଆନ୍ଧ୍ରପ୍ରଦେଶର ସିଲେରୁ ଜଳଭଣ୍ଡାରକୁ ଯାଉଛି ପାଣି। ହେଲେ ଦୁଃଖ ଓ ପରିତାପର ବିଷୟ ଚିତ୍ରକୋଣ୍ଡା ଜଳଭଣ୍ଡାର ତଳ ପାର୍ଶ୍ୱରେ ଥିବା ବିଶୋଇଗୁଡ଼ା ଗାଁର ଲୋକମାନେ ଆଜି ଶୋଷିଲା। ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ଦିନେ ଯେଉଁ ନଳକୂଅ ଦୁଇଟି ଶୋଷ ମାଣ୍ଟାଉଥିଲା, ତାହା ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି।
ଏ ନେଇ ଅଭିଯୋଗ ହେବା ପରେ ଦୁଇ ବର୍ଷ ତଳେ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ଶୋଲାର ମୋଟର ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ସାହି ସାହିକୁ ପାନୀୟ ଜଳ ଯୋଗାଇବା ପାଇଁ ମାଟି ତଳେ ପାଇପ୍ ବିଛା ଯାଇଥିଲା। ପ୍ରତି ସାହିରେ ଟ୍ୟାପ୍ ନିର୍ମାଣ କରାଯାଇଥିଲା। ହେଲେ ଦୁଃଖର ବିଷୟ ଏହି ପ୍ରକଳ୍ପ ଠିକ୍ ଭାବେ କାମ କରୁନାହିଁ। ଦିନକୁ ସେହି ମୋଟରରୁ ବାଲ୍ଟିଏ ବା ଦୁଇ ବାଲ୍ଟି ପାଣି ବାହାରୁଛି। କହିବାକୁ ଗଲେ ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ତେଣୁ ଗାଁ ଲୋକେ ବିପଦ ପୂର୍ଣ୍ଣ ଭାବେ ପାହାଡ଼ ଚଢ଼ି ଡ୍ୟାମକୁ ପାଣି ଆଣିବାକୁ ଯାଉଛନ୍ତି। ପାଦେ ପାଦ ବିପଦ ସତ୍ତ୍ୱେ ଖାସ୍ ପରିବାର ପାଇଁ ମହିଳାମାନେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ପାଣି ପାଇଁ ନାନା ଦହଗଞ୍ଜ ହେଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ କାହିଁକି ଶୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ?
ଗାଁର ପଦ୍ମା ପାଙ୍ଗି କହିଛନ୍ତି, ନଳକୂଅ ଖରାପ ହୋଇ ଯାଇଛି। ଶୋଲାର ପାଣି ଆସୁନି। ପାଣି ପାଇଁ ବହୁ ଅସୁବିଧାରେ ପଡ଼ୁଛୁ। ତେଣୁ ନଈ ପାଣି ବ୍ୟବହାର କରୁଛୁ। ଯେଉଁଥିପାଇଁ ନାନା ରୋଗରେ ପଡ଼ୁଛୁ ବୋଲି ପଦ୍ମା କହିଛନ୍ତି।
ଇଏ ତ ଗଲା ସ୍ୱାଭିମାନ ଅଞ୍ଚଳର ବିଶୋଇଗୁଡ଼ା ଗାଁ କଥା। ତା’ଠାରୁ ଆହୁରି ସଙ୍ଗିନ ହୋଇଛି ପାପରମେଟଳା ପଞ୍ଚାୟତର ରୁମା ଗାଁର ଚିତ୍ର। ଏହି ଗାଁରେ ୩୭ରୁ ଅଧିକ ପରିବାର ବାସ କରୁଛନ୍ତି। ଚାଷବାସ କରି ପରିବାର ଭରଣ ପୋଷଣ କରୁଛନ୍ତି। ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ବର୍ଷକ ବାର ମାସ ଲୋକମାନେ ପାନୀୟ ଜଳ ମୁନ୍ଦାଏ ପାଇଁ ନାନା ଅସୁବିଧାରେ ପଡୁଛନ୍ତି। ଗାଁ ଲୋକେ ଏନେ ବହୁବାର ପ୍ରଶାସନ ଓ ନେତାଙ୍କ ପାଖରେ କେତେ ଗୁହାରୀ କରିଛନ୍ତି। ହେଲେ ଗାଁ ଲୋକଙ୍କ ଅଭିଯୋଗ ପ୍ରତି ପ୍ରଶାସନ ତୀଳେ ମାତ୍ର ନଜର ଦେଉନି। ତେଣୁ ଲୋକମାନେ ବାଧ୍ୟ ହୋଇ ଗାଁ ପାର୍ଶ୍ୱ ଦେଇ ବୋହି ଯାଇଥିବା ନାଳ ଉପରେ ନିର୍ଭର କରୁଛନ୍ତି। ନାଳ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ନାନା ରୋଗରେ ପଡ଼ୁଥିବା ଅଭିଯୋଗ ହୋଇଛି।
ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବଦଳିଥିଲା ନାଁ। ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ଏଥିସହ ଅଞ୍ଚଳର ବିକାଶ ହୋଇଥିଲା ବୋଲି ରାଜ୍ୟ ସରକାର ଡିଡିମ୍ୱ ପିଟୁଥିଲେ। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ଲୋକଙ୍କୁ ପାନୀୟ ମୁନ୍ଦେ ଯୋଗାଇ ପାରିଲେ ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ- ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନ