ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ମହାପ୍ରଭୁଙ୍କ ଦୈନଦିନ ନୀତି ସମେତ କେତେକ ବିଶେଷ ପର୍ବାଣି ଦିନମାନଙ୍କରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ ହେଲା ‘ପ୍ରପାଣକ’। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ଅଟେ। ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ ନାମରେ ଅଭିହିତ କରାଯାଉଥିଲା।
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନଦିନ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସେହିପରି ମହାପ୍ରଭୁମାନେ ରତ୍ନ ସିଂହାସନ, ଅଣସର ପିଣ୍ଡି, ଆଡପ ମଣ୍ଡପ, ସ୍ନାନ ମଣ୍ଡପ ଓ ପହଣ୍ଡି ବିଜେ ସମୟରେ ବିରାଜମାନ କରୁଥିବା ବେଳେ ପଣା ଭୋଗ ହେବାର ବିଧି ରହିଛି।
ଦୈନଦିନ ପଣା ଭୋଗ: ମହାପ୍ରଭୁମାନଙ୍କର ପ୍ରତ୍ୟହ ଅନୁଷ୍ଠିତ ପ୍ରାୟ ୬୦ ପ୍ରକାରର ଭୋଗ ଦ୍ରବ୍ୟ ମଧ୍ୟରେ ପଣା ଭୋଗ ଅନ୍ୟତମ। ଦୈନଦିନ ମଧ୍ୟାହ୍ନ ଧୂପରେ ୫ ଓଳି ପଣା ଭୋଗ ଚତୁର୍ଦ୍ଧା ବିଗ୍ରହଙ୍କୁ ନୈବେଦ୍ୟ ରୂପେ ଦିଆଯାଇଥାଏ। ଗନ୍ଧଣ ନିକାପ ସରଘରେ ’ପାଳିଆ ମହାସୁଆର’ କ୍ଷୀର, କଦଳୀ, ନବାତ(ଖଣ୍ଡ), କର୍ପୁର, ଇତ୍ୟାଦି ସାମଗ୍ରୀମାନଙ୍କରେ ଏହି ପଣାକୁ ପ୍ରସ୍ତୁତ କରିଥାନ୍ତି। ୫ ଓଳି ପଣା ମଧ୍ୟରେ ଶ୍ରୀବଳଭଦ୍ରଙ୍କ ପନ୍ତିରେ ୧ ଓଳି, ଦେବୀ ସୁଭଦ୍ରାଙ୍କ ୧ ଓଳି, ଶ୍ରୀଜଗନ୍ନାଥଙ୍କୁ ୨ ଓଳି ଓ ଶ୍ରୀସୁଦର୍ଶନଙ୍କୁ ୧ ଓଳି ପଣା ନୈବେଦ୍ୟ ହୋଇଥାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୈନଦିନ ଏହି ପଣାରେ କେବଳ କ୍ଷୀର, ନବାତ(ଖଣ୍ଡ), କର୍ପୁର ଇତ୍ୟାଦି ପଡ଼ି ପ୍ରସ୍ତୁତ ହୋଇଥାଏ।
ପର୍ବାଣି ନୀତିରେ ପଣାଭୋଗ: ଦୈନଦିନ ନୀତି ବ୍ୟତୀତ ଅଣସର ସମୟରେ ପ୍ରତିଦିନ ୧୪ ସାନ ଓଳି ଓ ୧୪ ବଡ଼ ଓଳିକୁ ମିଶାଇ ୨୮ ଓଳି ପଣା ଅର୍ପଣ ହୋଇଥାଏ। ସେହିପରି ଚନ୍ଦନଯାତ୍ରା ୪୨ ଦିନ ଯାକ ୪ ବାଡ଼ରେ ୧୯ ଓଳି ପଣା, ପଣାସଂକ୍ରାନ୍ତି ଦିନ ୩୧ ଓଳି ପଣା, ଦୋଳପୂର୍ଣ୍ଣିମା ଦିନ ୯ ଓଳି ପଣା, ମକର ସଂକ୍ରାନ୍ତି ଦିନ ୮ ଓଳି ପଣା, ପୁଷ୍ୟାଭିଷେକ ଦିନ ୪ ଓଳି ପଣା ଭୋଗ ହୋଇଥାଏ।
ଅଣସର ପଣା ବା ‘ଡାକ ପଣା’: ଅଣସର ସମୟରେ ଦଇତାପତି ସେବକମାନଙ୍କ ଦ୍ୱାରା ଅଣସର ପଟିଦିଅଁଙ୍କ ପାଖରେ ‘ସର’ ଭୋଗ କରାଯିବା ପରେ ଏଥିରେ ସେବକମାନେ ଜଳ, ଚିନି, କର୍ପୂର ଇତ୍ୟାଦି ମିଶ୍ରିତ କରି ଅଣସର ପଣା ପ୍ରସ୍ତୁତ କରନ୍ତି। ସେବକମାନେ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ପଣା ପ୍ରସ୍ତୁତ କରି ବିଭିନ୍ନ ଭକ୍ତ, ବ୍ୟକ୍ତି ବିଶେଷ ତଥା ସେବକମାନଙ୍କ ଘରକୁ ପଠାଇଥାନ୍ତି। ସେହିପରି ଦଇତାପତି ନିଯୋଗ ପକ୍ଷରୁ ମଧ୍ୟ ଏହି ପଣା ବିଭିନ୍ନ ସେବକ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନକୁ ପଠାଯାଇଥାଏ। ଏହି ପଣାକୁ ମଧ୍ୟ ‘ଡାକ ପଣା’ ନାମରେ ଅଭିହିତ କରାଯାଇଥାଏ। ଏହି ପଣା ବଣ୍ଟନ ପ୍ରାୟ ୧୪ ଦିନ ଧରି ହୋଇଥାଏ। ଏହାର ସ୍ୱାଦ ଓ ବାସ୍ନା ଅଦ୍ଭୂତ। ଏହି ପଣା ଅନ୍ୟ ଦିନମାନଙ୍କରେ ହୋଇନଥାଏ।
ଅଧରପଣା: ଉପରୋକ୍ତ ଦୁଇପ୍ରକାର ପଣା ଭୋଗ ବ୍ୟତୀତ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ତିନି ରଥ ଉପରେ ସ୍ୱତନ୍ତ୍ର ଭାବେ ଅଧର ପଣା ଭୋଗ ନୈବେଦ୍ୟ ହୋଇଥାଏ। ଅତୀତରେ ଏହି ସର୍ବବୃହତ ପଣା ଭୋଗ ଦଶମୀ, ଏକାଦଶୀ ଏବଂ ଦ୍ୱାଦଶୀ ଦିନ ଏହିପରି କ୍ରମାଗତ ଭାବେ ତିନିଦିନ ଧରି ଅନୁଷ୍ଠିତ ହେଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ବାହୁଡ଼ାଯାତ୍ରା ଦିନ ସମୟ ଅଭାବରୁ ଏହି ପଣା ଏକାଦଶୀ ଓ ଦ୍ୱାଦଶୀରେ ଠାକୁରଙ୍କ ପାଖରେ ହେଉଥିଲା। ମାତ୍ର ବିଗତ ୮୦ ବର୍ଷରୁ ଅଧିକ ସମୟ ଧରି ଏହି ପଣା ଭୋଗ କେବ ଦ୍ୱାଦଶୀ ତିଥିରେ ହେଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଡ଼ ଓଡ଼ିଆ ମଠରୁ ପ୍ରାପ୍ତ ପ୍ରାଚୀନ ହୁକୁମନାମାରୁ ମିଳିଥିବା ତଥ୍ୟ ଅନୁସାରେ ପୂର୍ବେ ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ତିଥିରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ସର୍ବମୋଟ ୯ ହାଣ୍ଡି ସମେତ ତାଳଧ୍ୱଜ ରଥରେ ଉପବିଷ୍ଟ ରାମ, କୃଷ୍ଣ ଏବଂ ନନ୍ଦିଘୋଷ ଉପରେ ମଦନମୋହନଙ୍କ ନିମିତ୍ତ ଗୋଟାଏ ଲେଖାଏଁ ଛୋଟ ହାଣ୍ଡିରେ ପଣା ଭୋଗ ହେଉଥିଲା।
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ କରାଯାଇଛି, ଅଧରପଣା ଦଶମୀଦିନ ରଥ ସିଂହଦ୍ୱାରସ୍ଥ ହେଲେ ବଢ଼ିବା କଥା। କିନ୍ତୁ ସମୟ ଅଭାବରୁ ଏକାଦଶୀଦିନ ଅନୁଷ୍ଠିତ ହେଉଛି। ସଂପ୍ରତି ସମୟ ଅଭାବରୁ ବାହୁଡ଼ା ଯାତ୍ରା ପରେ ଦ୍ୱାଦଶୀ ଦିନ ତିନି ହାଣ୍ଡି ଅଧର ପଣା ପ୍ରଚଳିତ ହୋଇଆସୁଛି।
ପରମ୍ପରା ଅନୁଯାୟୀ ଏବେ ରଘବଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ତିନି ହାଣ୍ଡି ଲେଖାଏଁ ମୋଟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି। ସେହିପରି ରାମ, କୃଷ୍ଣ ଓ ମଦନ ମୋହନଙ୍କୁ ଏକ ଗୋଟି ଲେଖାଏଁ ଛୋଟ ହାଣ୍ଡି(ବଡ଼ ମଠ କୁଡ଼ୁଆରେ) ଅଧର ପଣା ଭୋଗ ହୋଇଥାଏ।
ମହାପ୍ରଭୁମାନଙ୍କ ଅର୍ପିତ ସ୍ୱତନ୍ତ୍ର ହାଣ୍ଡିମାନଙ୍କରେ ଅଧର ପଣା ଦ୍ରବ୍ୟ ରଖାଯାଇଥାଏ। ସେହି ହାଣ୍ଡିଗୁଡ଼ିକ ବହୁ ପ୍ରଚୀନ ସମୟରୁ ପୁରୀ କୁମ୍ଭାରପଡ଼ାରେ ପାରମ୍ପରିକ କୁମ୍ଭକାରମାନେ ପ୍ରସ୍ତୁତ କରନ୍ତି। ଅକ୍ଷୟ ତୃତୀୟା ଠାରୁ ଏହି ହାଣ୍ଡି ନିର୍ମାଣ ଶୁଭାରମ୍ଭ ହୁଏ। ହାଣ୍ଡିଗୁଡ଼ିକର ବର୍ଣ୍ଣ ଈଷତ୍ ଲାଲ ରଙ୍ଗର ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଅଧର ହାଣ୍ଡିର ଉଚ୍ଚତା ୫ ଫୁଟ, ଶ୍ରୀବଳଭଦ୍ରଙ୍କର ୪.୧/୨ ଫୁଟ, ସୁଭଦ୍ରା ଦେବୀଙ୍କର ୪ ଫୁଟ। ହାଣ୍ଡିର ମୁହଁ ବା ଫାନ୍ଦ ୧୫ ଇଞ୍ଚ ବିଶିଷ୍ଟ। ମହାପ୍ରଭୁମାନଙ୍କ ଅଧର ଉଚ୍ଚ ସଦୃଶ ତୁମ୍ଭ ଆକୃତିର ହାଣ୍ଡିଗୁଡ଼ିକ ଆସି ଶ୍ରୀମନ୍ଦିରରେ ପହଞ୍ଚିଥାଏ।
ଉକ୍ତ ଅଧର ହାଣ୍ଡି ପଣା ଭୋଗ ମହାପ୍ରଭୁମାନଙ୍କୁ ସମର୍ପଣ ପରେ ରଥ ପାର୍ଶ୍ୱ ଦେବାଦେବୀ, ଯକ୍ଷ, କିନ୍ନର, ଚଣ୍ଡି, ଚାମୁଣ୍ଡାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। କେତେକଙ୍କ ମତରେ ଏହା ରଥସ୍ଥ ପାର୍ଶ୍ୱ ଦେବଦେବୀ, ଋଷି, ଗନ୍ଧର୍ବ ଓ ଅଶରୀରିମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଶାକ୍ତମାନେ ଏହାକୁ ମହା ପଞ୍ଚତନ୍ତ୍ର ବିଧି ବୋଲି ପ୍ରକାଶ କରିଥାନ୍ତି। ମହାପ୍ରଭୁମାନଙ୍କୁ ଅର୍ପଣ କରିସାରିବା ପରେ ରଥ ଉପରେ ଘଣ୍ଟି ସାହାଯ୍ୟରେ ପୂଜାପଣ୍ଡା ସେବକ ଅଧରପଣା ଭର୍ତ୍ତି ହାଣ୍ଡିଗୁଡ଼ିକୁ ଭାଙ୍ଗି ଦେଇଥାନ୍ତି।
ସାଧାରଣତଃ ଦୁଗ୍ଧ, ଜଳ, ସର, ଛେନା, କର୍ପୂର, ନବାତ, ଗୋଲମରିଚ, ଅଳେଇଚ ଓ ପାଚିଲାକଦଳୀ ଇତ୍ୟାଦି ସାମଗ୍ରୀରେ ଅଧରପଣା ପ୍ରସ୍ତୁତ ହୋଇଥାଏ। ଦୁଇଗୋଟି ମଠ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅଧର ପଣା ନିମନ୍ତେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଏ।
ବଡ଼ ଓଡ଼ିଆ ମଠ ପକ୍ଷରୁ ୩ କେଜି ସର, ୩ କେଜି ଛେନା, ୩୦୦ ଗ୍ରାମ ଗୋଲମରିଚ, ୧୮୦ ଗ୍ରାମ କର୍ପୂର, ୪୨ଟି ପାଚିଲା କଦଳୀ, ୪୨ ଢଳା କଡୁଆରେ ନବାତ ବା ଚିନି(ପ୍ରାୟ ୫ କେଜି), ନୂଆ ନାଲି ଧରି ମୁହଁ ଥିବା ୫ ହାତିଆ ଗାମୁଛା ୯ଟି ଓ ୩ଟି ଅଧର ହାଣ୍ଡି ଯୋଗାଇ ଦିଆଯାଇଥାଏ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଅଧର ହାଣ୍ଡି, ୩ଟି ବଡ ମଠ କୁଡ଼ୁଆ, ୨୫ କେଜି ୭୨୫ ଗ୍ରାମ୍ ଚିନି, ୩୦ଟି ସାନ ମଠ କୁଡ଼ୁଆ, ଛେନା ୬ କେଜି ୧୨୫ ଗ୍ରାମ, ଦେଶୀ କଦଳି ୮୦ଟା, ଅଳେଇଚ ୬୧୨ ଗ୍ରାମ, ଦୁଗ୍ଧ ପ୍ରାୟ ୪ ସେର, ଗୋଲମରିଚ ୨୩୦ ଗ୍ରାମ, କର୍ପୂର ୫୦ ଗ୍ରାମ, ପାଞ୍ଚ ହାତି ଧଳା ଗାମୁଛା ୩ଟି ଯୋଗାଇ ଦିଆଯାଏ। ସାଧାରଣତଃ ପ୍ରତି ରଥରେ ରହୁଥିବା ୩ଟି ଅଧର ହାଣ୍ଡି ମଧ୍ୟରୁ ମଧ୍ୟ ଭାଗରେ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ହାଣ୍ଡିଟି ରହିଥାଏ।
ସେହିପରି ରାଘବଦାସ ମଠ ପକ୍ଷରୁ କୂପରୁ ଅଧରପଣା ଭୋଗ ନିମନ୍ତେ ପାଣି ବୁହା ଯିବା ପାଇଁ ୨୦ଟା ବାଇ ହାଣ୍ଡି, ପ୍ରାୟ ୫୦ଟି ଢଳା କୁଡ଼ୁଆ, ଚିନି ୪୨ କେଜି, ଜାଲି ଧଳା ଗାମୁଛା ୩ଟି, ୩ ଅଧର ହାଣ୍ଡି, ଦେଶୀ ପାଟକପୁରା କଦଳୀ ୧ କାନ୍ଧି, ଗୋଲମରିଚ ୨୫୦ ଗ୍ରାମ, କର୍ପୂର ୧୦ ଭରି, ଛେନା ୩ କେଜି, ସର ୩ କେଜି, କ୍ଷୀର ୩ ସେର ଯୋଗାଇଥାନ୍ତି।
ମହାସୁଆରମାନେ ବଡ ବଡ ହଣ୍ଡାରେ ଏହି ସାମଗ୍ରୀ ସବୁକୁ ଫେଣ୍ଟି ପଣା ପ୍ରସ୍ତୁତ କରି ତତ୍ପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଥିବା ବୃହତ୍କାୟ ମଳା ଓ ମାଟି ଦ୍ୱାରା ରଖାଯାଇଥାବା ଅଧର ହାଣ୍ଡିଗୁଡ଼ିକରେ ଧୀରେଧୀରେ ଢାଳନ୍ତି। ପଣା ଭୋଗର ଶୁଦ୍ଧତା ପାଇଁ ଉଭୟ ଭିତରଚ୍ଛ, ତଳୁଚ୍ଛ ଓ ପାଳିଆ ପୁଷ୍ପାଳକ ଏକ ବସ୍ତ୍ର ଧରି ଠାକୁରମାନଙ୍କ ଶ୍ରୀମୁଖ ସମ୍ମୁଖରେ ଅଢୁଆଳ ହୋଇ ଦଣ୍ଡାୟମାନ ରହିଥାନ୍ତି। ଯେପରି ପଣା ସାମଗ୍ରୀ ଅଧର ହାଣ୍ଡିରେ ରଖାଯିବା ସମୟରେ ସେଥିରୁ ପଣା ଦ୍ରବ୍ୟ ଛିଟିକି ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଉପରେ ନ ପଡ଼େ ସେଥିନିମନ୍ତେ ସେମାନେ ଧ୍ୟାନ ରଖନ୍ତି। ପଣା ପ୍ରସ୍ତୁତ ହୋଇ ହାଣ୍ଡିମାନଙ୍କରେ ରଖାଯିବା ପରେ ପୂଜାପଣ୍ଡା ସେବକମାନେ ତିନି ରଥ ଉପରେ ଏହାକୁ ପଞ୍ଚୋପଚାର ବିଧିରେ ଅର୍ପଣ କରନ୍ତି। ପରେ ପଣା ହାଣ୍ଡିକୁ ଭାଙ୍ଗି ରଥ ଦେବାଦେବୀଙ୍କୁ ଉତ୍ସର୍ଗ କରନ୍ତି। ଏହି ପଣା ଭୋଗ ପ୍ରସ୍ତୁତି ଓ ଅର୍ପଣ କରିବାରେ ପ୍ରାୟ ୫୦ ଜଣ ସେବକଙ୍କ ସମ୍ପୃକ୍ତି ରହିଥାଏ।
ପଣା ଭୋଗ ସମ୍ପର୍କରେ ମଦଳାପାଞ୍ଜିରେ କୁହାଯାଇଛି, ଅମୃତ କୁଣ୍ଡ, ଛେନା ପଣା, ସର ପଣା, ଫାଟ ପଣା, ଆମ୍ୱ ପଣା, ପଣସ ପଣା, ଟଭା ପଣା ଗୋଲାଇ ବୋହି ଆଣି ପନ୍ତିରେ ବାଢ଼ିବ ବୋଲି ଉଲ୍ଲେଖ ରହିଛି। ପର୍ବଯାତ୍ରାମାନଙ୍କରେ ଯେତେ ଅମୃତ କୁଣ୍ଡ ଅଙ୍ଗବାସ ପଣା ହୋଇବ ତାହା ରୁଯୁ କରିବ ଓ ପନ୍ତିରେ ମହାସୁଆରଙ୍କୁ ଗଣାଇବ ବୋଲି ମଧ୍ୟ ସୂଚତି କରାଯାଇଛି।
ଏହିପରି ଭାବେ ଶ୍ରୀମନ୍ଦିରର ଭୋଗ ପରମ୍ପରା ମଧ୍ୟରେ ପଣାଭୋଗର ସ୍ୱାତନ୍ତ୍ର ଓ ପ୍ରସିଦ୍ଧି ରହିଆସିଛି।
ରିପୋର୍ଟ- ନିରଞ୍ଜନ ମିଶ୍ର