ମୁମ୍ବାଇ: ଚଳିତ ଆଇପିଏଲର ୧୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍ କରିଛି।
ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୯ ରନ୍ ଓ କୃନାଲ ପ୍ୟାଣ୍ଡ୍ୟା ୪୨ ରନ୍ କରିଛନ୍ତି। କ୍ରମାଗତ ଚତୁର୍ଥ ବିଜୟ ହାସଲ କରିବା ପାଇଁ ଚେନ୍ନାଇକୁ ୧୭୧ ରନ୍ କରିବାକୁ ପଡ଼ିବ। ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୫୦ ରନରେ ଦୁଇ ଓପ୍ନର କ୍ୱିଣ୍ଟନ୍ ଡି'କକ୍ (୪) ଓ ଅଧିନାୟକ ରୋହିତ ଶର୍ମା (୧୩) ଓ ଯୁବରାଜ ସିଂହ (୪)ଙ୍କୁ ହରାଇଥିଲା। ତେବେ ସୂର୍ଯ୍ୟକୁମାର ଓ କୃନାଲ ସ୍ଥିତି ସମ୍ଭାଳିଥିଲେ।
ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୬୨ ରନର ପାର୍ଟନରଶିପ୍ କରି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଦଳର ସ୍କୋର ୧୧୨ ଥିବା ବେଳେ କୃନାଲଙ୍କୁ ମୋହିତ ଶର୍ମା ଆଉଟ କରିଥିଲେ। କୃନାଲ ୩୨ ବଲରେ ୫ ଚୌକା ଓ ୧ ଛକା ସହ ୪୨ ରନ୍ କରିଥିଲେ। ସୂର୍ଯ୍ୟକୁମାର ଅର୍ଦ୍ଧଶତକ ମାରି ପ୍ୟାଭିଲିୟନ୍ ଫେରିଥିଲେ। ସେ ନିଜର ଇନିଂସ୍ ମଧ୍ୟରେ ୪୩ ବଲର ସାମ୍ନା କରି ୮ ଚୌକା ଓ ୧ ଛକା ମାରିଥିଲେ।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ କାଇରାନ୍ ପୋଲାର୍ଡ ଦ୍ରୁତ ରନ୍ କରି ମୁମ୍ବାଇକୁ ୧୭୦ ରନରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୮ ବଲରେ ୧ ଚୌକା ଓ ୩ ଛକା ସହ ୨୫ ପୋଲାର୍ଡ ୭ ବଲରେ ୨ ଛକା ସହ ୧୭ ରନ୍ କରି ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର, ମୋହିତ, ଇମ୍ରାନ ତାହିର୍, ରବୀନ୍ଦ୍ର ଜାଡେଜା ଓ ଡ୍ୱେନ୍ ବ୍ରାଭୋ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଏହି ମ୍ୟାଚରେ ମୁମ୍ବାଇ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ମିଚେଲ ମ୍ୟାକକ୍ଲିନାଗନଙ୍କ ସ୍ଥାନରେ ଜେସନ୍ ବେହରେନଡଫ ଏବଂ ମୟଙ୍କ ମାର୍କଣ୍ଡେଙ୍କ ସ୍ଥାନରେ ରାହୁଲ ଚହର ସ୍ଥାନ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।