ସୁଲତାନ ଆଜଲାନ ଶାହ କପ୍: ପୋଲାଣ୍ଡ ବିପକ୍ଷରେ ଭାରତର ଗୋଲ ବର୍ଷା

ଇପୋ (ମ୍ୟାଲେସିୟା): ଚଳିତ ସୁଲତାନ ଆଜଲାନ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟଧାର ଅବ୍ୟାହତ ରହିଛି। ଶୁକ୍ରବାର ଭାରତୀୟ ପୁରୁଷ ହକି ତା’ର ଶେଷ ଲିଗ୍ ମ୍ୟାଚରେ ପୋଲାଣ୍ଡକୁ ୧୦-୦ର ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଏଥିସହ ଭାରତ ପୁଲ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ ବିଜୟ ସହ ୧୩ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି। ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ ପାଇଁ ଏହି ମ୍ୟାଚ କେବଳ ଔପଚାରିକ ଥିଲା। […]

hockey

hockey

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 04:49 PM IST

Sports

Latest News

ଇପୋ (ମ୍ୟାଲେସିୟା): ଚଳିତ ସୁଲତାନ ଆଜଲାନ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟଧାର ଅବ୍ୟାହତ ରହିଛି। ଶୁକ୍ରବାର ଭାରତୀୟ ପୁରୁଷ ହକି ତା'ର ଶେଷ ଲିଗ୍ ମ୍ୟାଚରେ ପୋଲାଣ୍ଡକୁ ୧୦-୦ର ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଏଥିସହ ଭାରତ ପୁଲ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ ବିଜୟ ସହ ୧୩ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି।

ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ ପାଇଁ ଏହି ମ୍ୟାଚ କେବଳ ଔପଚାରିକ ଥିଲା। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ୨-୦ ଗୋଲରେ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ ୧-୧, ତୃତୀୟ ମ୍ୟାଚରେ ମାଲେସିୟାକୁ ୪-୨ ଏବଂ ଚତୁର୍ଥ ମ୍ୟାଚରେ କ୍ୟାନାଡାକୁ ୭-୩ ଗୋଲରେ ପରାସ୍ତ କରିଥିଲା।

ଆଜି ମ୍ୟାଚରେ ଭାରତ ପକ୍ଷରୁ ବରୁନ କୁମାର ଦୁଇଟି (୧୮ତମ, ୨୫ତମ), ମନଦୀପ ସିଂହ ଦୁଇଟି (୫୦ତମ, ୫୧ତମ), ବିବେକ ପ୍ରସାଦ (ପ୍ରଥମ), ସୁମିତ କୁମାର (ସପ୍ତମ), ସୁରେନ୍ଦ୍ର କୁମାର (୧୯ତମ), ସିମରନଜିତ ସିଂହ (୨୯ତମ), ନୀଳକଣ୍ଠ ଶର୍ମା (୩୬ତମ), ଅମିତ ରୋହିଦାସ (୫୫ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଶନିବାର ଖେଳାଯିବାକୁଥିବା ଫାଇନାଲରେ ଭାରତର ସାମ୍ନା ଦକ୍ଷିଣ କୋରିଆ ସହ ହେବ।

ପୋଲାଣ୍ଡ ବିପକ୍ଷରେ ଭାରତ ଏକତରଫା ପ୍ରଦର୍ଶନ କରିଥିଲା। ମ୍ୟାଚର ପ୍ରଥମ ମିନିଟରେ ବିବେକ ଫିଲ୍ଡ ଗୋଲ ଦେଇ ଭାରତ ପାଇଁ ଖାତା ଖୋଲିଥିଲେ। ସପ୍ତମ ମିନିଟରେ ସୁମିତ କୁମାର ଆଉ ଏକ ଗୋଲ ଦେଇ ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ଏଥିସହ ପ୍ରଥମ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ ସହ ଅଗ୍ରଣୀ ଲାଭ କରିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଭାରତ ଚାରୋଟି ଗୋଲ ଦେଇଥିଲା। ଅଷ୍ଟାଦଶ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ବରୁନ କୁମାର ଗୋଲରେ ପରିଣତ କରିଥିଲେ। ପରବର୍ତ୍ତୀ ମିନିଟରେ ସୁରେନ୍ଦ୍ର କୁମାର ଆଉ ଏକ ପେନାଲ୍ଟି ଗୋଲ ଦେଇ ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ।

ଛଅ ମିନିଟ ବ୍ୟବଧାନରେ ଭାରତକୁ ମିଳିଥିବା ତୃତୀୟ ପେନାଲ୍ଟି କର୍ଣ୍ଣରକୁ ବରୁନ କୁମାର ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ହେବାର ଠିକ ଗୋଟିଏ ମିନିଟ ପୂର୍ବରୁ ସିମରନଜିତ ଭାରତ ପାଇଁ ଷଷ୍ଠ ଗୋଲ ସ୍କୋର କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୬-୦ ଗୋଲରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଭାରତକୁ ମାତ୍ର ଗୋଟିଏ ସଫଳତା ମିଳିଥିଲା। ମ୍ୟାଚର ୩୬ତମ ମିନିଟରେ ନୀଳକଣ୍ଠ ଶର୍ମା ଫିଲ୍ଡ ଗୋଲ ଦେଇ ଭାରତକୁ ୭-୦ରେ ଆଗୁଆ କରାଇଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମନଦୀପ ସିଂହ ଲଗାତାର ଦୁଇଟି ଫିଲ୍ଡ ଗୋଲ୍ ଦେଇ ଭାରତର ଗୋଲ ସଂଖ୍ୟାକୁ ୯ରେ ପହଞ୍ଚାଇଥିଲେ। ୫୫ତମ ମିନିଟରେ ଓଡ଼ିଆ ତାରକା ଅମିତ ରୋହିଦାସ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଭାରତକୁ ୧୦-ରେ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos