ଅକଲ୍ୟାଣ୍ଡ୍: ଦିନିକିଆ ସିରିଜରେ ପରାଜୟରୁ ଆରମ୍ଭ କରିଥିବା ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଶନିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ହ୍ୱାଇଟୱାଶ୍ ହେବା ପରେ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। କିୱି ଟିମ୍ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ୪ ୱିକେଟରେ ଭାରତକୁ ହରାଇ ଲୟ ହାସଲ କରିଛି। ଯେହେତୁ ଆଉ ଦୁଇଟି ମ୍ୟାଚ୍ ବାକି ଅଛି, ଏହି ଦୃଷ୍ଟିରୁ ଭାରତ ପାଇଁ ଅକଲ୍ୟାଣ୍ଡ୍ ଦିନିକିଆ 'କର ବା ମର' ସ୍ଥିତି ସୃଷ୍ଟି କରିଛି।
ହାମିଲଟନରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ୍ ୩୪୮ ରନର ବିଶାଳ ଟାର୍ଗେଟକୁ ସହଜରେ ପିଛା କରିଥିଲା। ଅକଲ୍ୟାଣ୍ଡର ଇଡେନ୍ ପାର୍କ ଗ୍ରାଉଣ୍ଡ ଛୋଟ ଥିବାରୁ ଦ୍ୱିତୀୟରେ ବ୍ୟାଟିଂ କରିବାକୁଥିବା ଟିମ୍ ପାଇଁ ଫାଇଦା ହେବ। ନ୍ୟୁଜିଲ୍ୟାଣ୍ଡ୍ ଏଠାରେ ଦୁଇଟି ଯାକ ଟି-୨୦ ମ୍ୟାଚରେ ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଭାରତ ଭିନ୍ନ ଭିନ୍ନ ପରିସ୍ଥିତିରେ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା। ତେବେ ହାମିଲଟନରେ ଭାରତକୁ ନିରାଶ ହେବାକୁ ପଡିଥିଲା।
ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ପ୍ରଥମ ମ୍ୟାଚ୍ ହାରିବା ପରେ ଜବରଦସ୍ତ କମବ୍ୟାକ୍ କରି ଦିନିକିଆ ସିରିଜ୍ ଜିତିଥିଲା ଏବଂ ଏଠାରେ ମଧ୍ୟ ସେଭଳି କିଛି ହେବାର ସମ୍ଭାବନା ଦେଖା ଦେଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଚେନ୍ନାଇ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ମୁମ୍ବାଇରେ ଖେଳାଯାଇଥିବା ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ହାମିଲଟନ୍ ଦିନିକିଆ ପରାଜୟ ପଛରେ ବୋଲରଙ୍କ ଖରାପ ପ୍ରଦର୍ଶନ ନିର୍ଣ୍ଣାୟକ ଭୂମିକା ବହନ କରିଥିଲା ମଝି ଓଭର ଗୁଡ଼ିକରେ ଭାରତୀୟ ବୋଲରମାନେ ୱିକେଟ୍ ନେବାରେ ବିଫଳ ହୋଇଥିଲେ, ଯାହାର ଫାଇଦା ଉଠାଇଥିଲେ ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ୍।
ପ୍ରଥମ ଦିନିକିଆରେ ୱିକେଟ୍ ସନ୍ଧାନରେ କ୍ୟାପଟେନ୍ କୋହଲି ବାରମ୍ବାର ଯଶପ୍ରୀତ ବୁମ୍ରାଙ୍କ ଉପରେ ଭରସା ଦେଖାଇଥିଲେ। କିନ୍ତୁ ବୁମ୍ରା ଭାରତକୁ ସେଭଳି ସଫଳତା ଦେଇପାରିନଥିଲେ। ଦ୍ୱିତୀୟ ମ୍ୟାଚରେ ଭାରତକୁ ଏଭଳି ଅତ୍ୟଧିକ ନିର୍ଭରଶୀଳତାରୁ ବଞ୍ଚିବାକୁ ପଡ଼ିବ। ଏହାଛଡ଼ା ଭାରତର ଫିଲ୍ଡିଂ ମଧ୍ୟ ନିମ୍ନମାନର ଥିଲା। ଚେନ୍ନାଇ, ମୁମ୍ବାଇ ଓ ହାମିଲଟନ୍ ମ୍ୟାଚରେ ନିର୍ଣ୍ଣାୟକ ସମୟରେ ଖରାପ ଫିଲ୍ଡିଂ ଭାରତ ପାଇଁ କାଳ ହୋଇଛି। ବାଂଲାଦେଶ ବିପକ୍ଷ ସିରିଜ୍ ପରେ ଭାରତର ଫିଲ୍ଡିଂ ସ୍ତର ନିମ୍ନଗାମୀ ହେବାରେ ଲାଗିଛି ଏବଂ ଟିମକୁ ଏଥିରେ ସୁଧାର ଆଣିବାକୁ ପଡିବ। ଶୁକ୍ରବାର ଭାରତୀୟ ଖେଳାଳିମାନେ ଅପ୍ସନାଲ୍ ଟ୍ରେନିଂ ସେସନରେ ଜୋରଦାର ଅଭ୍ୟାସ କରିଥିଲେ।
ନଭଦୀପ ସାଇନି ଓ ଶାର୍ଦ୍ଦୁଲ ଉଭୟ ବୋଲିଂ ଓ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ। ଠାକୁର ଇଡେନ୍ ପାର୍କରେ ଖେଳାଯାଇଥିବା ଟି-୨୦ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଦିନିକିଆରେ ମଧ୍ୟ ସେ ପ୍ରଚୁର ରନ୍ ବ୍ୟୟ କରିଥିଲେ। ତେଣୁ ଆସନ୍ତାକାଲି ହୁଏତ ତାଙ୍କ ସ୍ଥାନରେ ନଭଦୀପ ସାଇନିଙ୍କୁ ସୁଯୋଗ ମିଳିପାରେ। ଏହାବ୍ୟତୀତ କେଦାର ଯାଦବଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଚୟନକର୍ତ୍ତା ଟିମରେ ସନ୍ତୁଳନ ବଜାୟ ରଖିବା ପାଇଁ ତାଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ଦେଇଛି, କିନ୍ତୁ କୋହଲି ହାମିଲଟନରେ ତାଙ୍କୁ ଗୋଟିଏ ଓଭର ବି ବୋଲିଂ କରିବାକୁ ଦେଇନଥିଲେ। ହୁଏତ ଛୋଟିଆ ବାଉଣ୍ଡ୍ରୀ କାରଣରୁ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳିନଥାଇପାରେ କିନ୍ତୁ ଇଡେନ୍ ପାର୍କର ମଇଦାନ ଆହୁରି ଛୋଟ। ଏଭଳି ସ୍ଥିତିରେ ଶିବମ ଦୁବେ କିମ୍ବା ମନିଷ ପାଣ୍ଡେଙ୍କୁ ଖେଳାଇବା ଫଳପ୍ରଦ ହୋଇପାରେ।
ପ୍ରଥମ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ରହିଥିଲା। ଶ୍ରେୟସ ଆୟର୍ ନିଜର ପ୍ରଥମ ଦିନିକିଆ ଶତକ ମାରିଥିବା ବେଳେ ଲୋକେଶ ରାହୁଲ୍ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଓପନିଂ କରି ଦିନିକିଆ ଡେବ୍ୟୁ କରିଥିବା ପୃଥ୍ୱୀ ଶ' ଓ ମୟଙ୍କ ଅଗ୍ରୱାଲ୍ ଭଲ ଆରମ୍ଭ କରିଥିଲେ ହେଁ, ଏହାକୁ କାଏମ ରଖିପାରିନଥିଲେ। କୋହଲି ପୁଣିଥରେ ଏହି ଓପନିଂ ଯୋଡ଼ିକୁ ସୁଯୋଗ ଦେଇପାରନ୍ତି। କ୍ୟାପଟେନ୍ କୋହଲି ମଧ୍ୟ ନିଜେ ବଡ଼ ଇନିଂସ୍ ଖେଳିବାକୁ ବ୍ୟଗ୍ର ଥିବେ।
ଅନ୍ୟପକ୍ଷରେ ଟି-୨୦ ସିରିଜରେ ହାରିବା ପରେ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପରିବର୍ତ୍ତନ ସଠିକ୍ ସାବ୍ୟସ୍ତ ହୋଇଛି। ଟମ୍ ଲାଥମ ମଧ୍ୟକ୍ରମରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ହେନରୀ ନିକୋଲ୍ସ ମଧ୍ୟ ଆଶାମୁତାବକ ପ୍ରଦର୍ଶନ କରିଥିଲେ। ରସ୍ ଟେଲର ନିଜ ଅଭିଜ୍ଞତାର ପରିଚୟ ଦେଇ ଶତକ ହାସଲ କରିଥିଲେ। ଟେଲର୍ ଏଠାରେ ମଧ୍ୟ ନିଜର ସେହି ଫର୍ମକୁ ଜାରି ରଖିବାକୁ ଚାହିଁବେ। ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ସ୍ଥାନରେ ଲାଥମ ସୁଚାରୁରୂପେ ଟିମକୁ ସଂଗଠିତ କରିଛନ୍ତି। ସ୍ପିନର ଇଶ ସୋଢୀଙ୍କ ସ୍ଥାନରେ ୬ଫୁଟ୍ ୮ଇଞ୍ଚ୍ ବିଶିଷ୍ଟ କାଇଲ୍ ଜେମିସନ୍ ଆସନ୍ତାକାଲି ନିଜର ଘରୋଇ ଗ୍ରାଉଣ୍ଡରେ ଡେବ୍ୟୁ କରିପାରନ୍ତି।
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ପୃଥ୍ୱୀ ଶ', ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର୍, କେଦାର ଯାଦବ।
ନ୍ୟୁଜିଲ୍ୟାଣ୍ଡ୍: ଟମ୍ ଲାଥମ୍ (କ୍ୟାପଟେନ୍), ମାର୍ଟିନ୍ ଗପ୍ଟିଲ୍, ରସ୍ ଟେଲର୍, କଲିନ୍ ଡି'ଗ୍ରାଣ୍ଡହୋମ୍, ଜେମ୍ସ ନିଶାମ, ଟମ୍ ବ୍ଲଣ୍ଡେଲ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର୍, ହାମିଶ୍ ବେନେଟ୍ଟ, ଇଶ ସୋଢୀ, ଟିମ୍ ସାଉଦୀ, କାଇଲ୍ ଜେମିସନ୍, ମାର୍କ ଚାପମ୍ୟାନ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।