ପୁନମଙ୍କ ଦମରେ ଜିତିଲା ଭାରତୀୟ ମହିଳା ଟିମ୍‌

ନର୍ଥ ସାଉଣ୍ଡ: ପୁନମ ରାଉତଙ୍କ ଦମଦାର ଅର୍ଦ୍ଧଶତକ ପରେ ବୋଲରଙ୍କ ଦମରେ ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ୫୩ ରନରେ ପରାସ୍ତ କରିଛି। ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ସିରିଜକୁ ୧-୧ରେ ବରାବର କରିନେଇଛି। ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ୬ ତାରିଖରେ ଖେଳାଯିବ। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପୁନମଙ୍କ ୭୭ ରନ୍ ସହାୟତାରେ […]

poonam

poonam

Ranjit Kumar Jena
  • Published: Monday, 04 November 2019
  • Updated: 04 November 2019, 05:47 PM IST

Sports

Latest News

ନର୍ଥ ସାଉଣ୍ଡ: ପୁନମ ରାଉତଙ୍କ ଦମଦାର ଅର୍ଦ୍ଧଶତକ ପରେ ବୋଲରଙ୍କ ଦମରେ ଭାରତୀୟ ମହିଳା ଟିମ୍ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ୫୩ ରନରେ ପରାସ୍ତ କରିଛି। ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ସିରିଜକୁ ୧-୧ରେ ବରାବର କରିନେଇଛି। ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ୬ ତାରିଖରେ ଖେଳାଯିବ। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପୁନମଙ୍କ ୭୭ ରନ୍ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ଆୟୋଜକ ଟିମ୍ ୪୭.୨ ଓଭରରେ ୧୩୮ ରନରେ ଅଲଆଉଟ୍ ହୋଇଯାଇଥିଲା। ମ୍ୟାଚ୍ ବିଜୟୀ ଇନିଂସ୍ ପାଇଁ ପୁନମଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଭାରତ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇନଥିଲା। ଦୁଇ ଓପ୍ନର ପ୍ରିୟା ପୁନିଆ (୫) ଓ ଜେମିମା ରୋଡ୍ରିଗ୍ସ (୦) ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ପୁନମ ଏବଂ କ୍ୟାପଟେନ୍ ମିତାଲୀ ରାଜ୍ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ (୬୬) ଭାଗୀଦାରୀ କରି ସ୍ଥିତି ସୁଧାରିଥିଲେ। ମିତାଲୀ ୪୦ ରନର ଉପଯୋଗୀ ଯୋଗଦାନ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହରମନପ୍ରୀତ କୌର୍ ସକାରାତ୍ମକ ବ୍ୟାଟିଂ କରି ସ୍କୋରକୁ ଆଗକୁ ବଢ଼ାଇଥିଲେ।

ଅନ୍ୟପଟେ ପୁନମ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ ରଖିଥିଲେ ଏବଂ ହରମନପ୍ରୀତଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୯୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ହରମନପ୍ରୀତ ୫୨ ବଲରେ ୪ ଚୌକା ସହ ୪୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ପୁନମଙ୍କ ଲଢ଼ୁଆ ଇନିଂସରେ ଆଫି ଫ୍ଲେଚର୍ ବ୍ରେକ୍ ଲଗାଇଥିଲେ। ସେ ୧୨୮ ବଲରେ ୪ ଚୌକା ମାରିଥିଲେ। ଶେଷଭାଗରେ ଦୀପ୍ତି ଶର୍ମା ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ତାନିଆ ଭାଟିଆ (୯) ଓ ଝୁଲନ୍ ଗୋସ୍ୱାମୀ (୧) ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍ ପକ୍ଷରୁ ଆଲିୟା ଆଲେନ୍ ଓ ଫ୍ଲେଚର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହି ଚ୍ୟାଲେଞ୍ଜିଂ ସ୍କୋରର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସଓମ୍ୟାନମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲେ। ଘରୋଇ ଦଳ ପକ୍ଷରୁ ଶେମାଇନ୍ କ୍ୟାମ୍ପବେଲ୍ ସର୍ବାଧିକ ୩୯ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ଷ୍ଟାଫାନୀ ଟେଲର୍ ୨୦, ଆଲେନ୍ ୧୬, ନତାଶା ମ୍ୟାକଲିନ୍ ୧୫, ଫ୍ଲେଚର୍ ୧୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ୍‌, ପୁନମ ଯାଦବ ଓ ଦୀପ୍ତି ଶର୍ମା ୨ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ଝୁଲନ୍ ଓ ଶିଖା ପାଣ୍ଡେ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos