ଦ୍ୱିତୀୟ ଦିନିକିଆରେ ମଲାନଙ୍କ ଶତକ, ସିରିଜ୍ ହାତେଇଲା ଦକ୍ଷିଣ ଆଫ୍ରିକା

ବ୍ଲୋଏମଫୋଣ୍ଟେନ୍‌: ଯୁବ ବ୍ୟାଟ୍ସମ୍ୟାନ୍ ଜାନେମନ୍ ମଲାନଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଶନିବାର ଅନୁଷ୍ଠିତ ହେବ। ବୁଧବାର ରାତିରେ ଖେଳାଯାଇଥିବା ଦ୍ୱିତୀୟ ମୁକାବିଲାରେ ଘରୋଇ ଦଳର ପେସ୍ ବୋଲର ଲୁଙ୍ଗି ଏନଗିଡିଙ୍କୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ୨୭୧ […]

malan

malan

Ranjit Kumar Jena
  • Published: Thursday, 05 March 2020
  • Updated: 05 March 2020, 06:32 PM IST

Sports

Latest News

ବ୍ଲୋଏମଫୋଣ୍ଟେନ୍‌: ଯୁବ ବ୍ୟାଟ୍ସମ୍ୟାନ୍ ଜାନେମନ୍ ମଲାନଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି। ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଶନିବାର ଅନୁଷ୍ଠିତ ହେବ।

ବୁଧବାର ରାତିରେ ଖେଳାଯାଇଥିବା ଦ୍ୱିତୀୟ ମୁକାବିଲାରେ ଘରୋଇ ଦଳର ପେସ୍ ବୋଲର ଲୁଙ୍ଗି ଏନଗିଡିଙ୍କୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ୨୭୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୮.୩ ଓଭରରେ ୪ ୱିକେଟ୍ ହରାଇ ୨୭୪ ରନ୍ କରି ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକାର ମଲାନ୍ ଓ ଡେଭିଡ୍ ମିଲର୍ ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୯୦ ରନ୍ ଯୋଡ଼ି ନିଜ ଦଳକୁ ବିଜୟୀ କରାଇଥିଲେ। ମଲାନ୍ ୧୩୯ ବଲରେ ୧୨୯ ରନ୍ କରି ଅପରାଜିତ ଥିଲେ, ଯେଉଁଥିରେ ୭ ଚୌକା ଓ ୪ ଛକା ସାମିଲ୍ ଥିଲା। ସେହିପରି ମିଲର୍ ୨୯ ବଲରେ ୩ ଚୌକା ସହ ଦ୍ରୁତ ୩୭ ରନ୍ କରିଥିଲେ।

୨୭୨ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ୟାପଟେନ୍ କ୍ୱିଣ୍ଟନ୍ ଡି'କକ୍ ଇନିଂସର ତୃତୀୟ ବଲରେ ଖାତା ଖୋଲିବା ପୂର୍ବରୁ ମିଚେଲ୍ ଷ୍ଟାର୍କଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ମଲାନ୍ ଓ ଜେଜେ ସ୍ମଟ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ସ୍ମଟ୍ସ ବ୍ୟକ୍ତିଗତ ୪୧ ରନ୍ କରିଥିବା ବେଳେ ଆଡାମ ଜାମ୍ପାଙ୍କ ବଲରେ ପ୍ୟାଟ୍ କମିନ୍ସଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କାଇଲ୍ ଭେରୀନେ ମାତ୍ର ୩ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ।

ଏହା ପରେ ମଲାନ୍ ହେନରିଚ୍ କ୍ଲାସେନଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୮୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କ୍ଲାସେନ୍ ଅର୍ଦ୍ଧଶତକ ମାରିବା ପରେ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୫୨ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୫୧ ରନ୍ କରିଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ନିକଟରେ ମ୍ୟାଚକୁ ଜିତିବା ପାଇଁ ଭଲ ସୁଯୋଗ ଥିଲା, କିନ୍ତୁ ଜାମ୍ପାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ମଲାନ୍ ଓ ମିଲରଙ୍କ ଉପରେ ଚାପ ପକାଇ ପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ୨ଟି ଏବଂ ଷ୍ଟାର୍କ, କମିନ୍ସ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ଡାର୍ସି ଶର୍ଟ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ବାମହାତୀ ଓପ୍ନର ଡେଭିଡ୍ ୱାର୍ଣ୍ଣର ଆରମ୍ଭରୁ ଦ୍ରୁତ ରନ୍ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ସେ ୩୫ (୨୩ ବଲ୍‌, ୪ ଚୌକା, ୧ ଛକା) ରନ୍ କରି ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଷ୍ଟିଭ୍ ସ୍ମିଥ୍ (୧୩) ଓ ମାର୍ନସ୍ ଲାବୁଶେନ୍ (୦) ନିରାଶ କରିଥିଲେ। ଫିଞ୍ଚ୍ ଶର୍ଟଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୭୭ ରନର ପାର୍ଟନରଶିପ୍ କରିବା ପରେ ପ୍ୟାଭିଲିୟନ୍ ଫେରିଯାଇଥିଲେ।

ଫିଞ୍ଚ୍ ୬୯ (୮୭ ବଲ୍‌, ୬ ଚୌକା, ୨ ଛକା) ରନ୍ କରି ଆନରିଚ୍ ନୋର୍ଟଜେଙ୍କ ଶିକାର ହୋଇଥିଲେ। ଶର୍ଟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ, କିନ୍ତୁ ତାଙ୍କର ଆଉଟ୍ ହେବା ପରେ ଦଳର ରନ୍ ଗତି କମିଯାଇଥିଲା। ଶର୍ଟ ୮୩ ବଲରେ ୫ ଚୌକା ସହ ୬୯ ରନ୍ କରି ଆଉଟ୍ ହୋଇଥିଲେ। ମିଚେଲ୍ ମାର୍ଶ ୩୫ ଓ ଆଲେକ୍ସ କ୍ୟାରୀ ୨୧ ରନର ଯୋଗଦାନ କରିଥିବା ବେଳେ ଲୋୟର୍ ଅର୍ଡରରେ ଅଷ୍ଟନ୍ ଅଗର (୯), କମିନ୍ସ (୬) ଓ ଷ୍ଟାର୍କ (୩) ଦୁଇଅଙ୍କ ଛୁଇଁପାରିନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନଗିଡି ୫୮ ରନ୍ ଦେଇ ସର୍ବାଧିକ ୬ଟି ଓ ନୋର୍ଟଜେ ୨ଟି ୱିକେଟ୍ ହାସଲ କରିଥିଲେ। ମ୍ୟାଚରେ ଉଭୟ ଏନଗିଡି ଓ ମଲାନଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos