କଟକ, (ଓଡ଼ିଶା ରିପୋର୍ଟର୍): ଜବାହରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନଶିପର ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଅହିକା ମୁଖାର୍ଜୀ।
ସୋମବାର ଉଦଯାପନୀ ଦିବସରେ ଆୟୋଜିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଅହିକା ୪-୦ (୧୧-୬, ୧୧-୪, ୧୧-୯, ୧୯-୧୭)ରେ ମଧୁରିକା ପାଟକରଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲ୍ ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ତିନୋଟି ଗେମକୁ ଅହିକା ସହଜରେ ଜିତି ନେଇଥିବା ବେଳେ ଚତୁର୍ଥ ଗେମ୍ ରୋମାଞ୍ଚକର ହୋଇଥିଲା। କିନ୍ତୁ ଶେଷ ଗେମକୁ ଅହିକା ୧୯-୧୭ରେ ଜିତି ମ୍ୟାଚକୁ ନିଜ କବଜାରେ କରିଥିଲେ।
ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲରେ ଅହିକା ୪-୧ (୧୧-୬, ୧୧-୬, ୭-୧୧, ୧୧-୪, ୧୧-୪)ରେ ଇଂଲଣ୍ଡର ହୋ ଟିନ୍-ଟିନଙ୍କୁ ହରାଇଥିବା ବେଳେ ଅନ୍ୟଏକ ସେମିରେ ମଧୁରିକା ୪-୨ (୧୧-୫, ୧୧-୫, ୧୧-୯, ୧୭-୧୯, ୬-୧୧, ୧୭-୧୫)ରେ ନିଜ ଦେଶଶ ଶ୍ରୀଜା ଅକୁଳାଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ।