ଗୁରୁବାରଠୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ୍‌, ରୋହିତଙ୍କ ଉପରେ ନଜର

ମୁମ୍ବାଇ: ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ତେବେ ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ଓ ଭାରତର ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ବୋର୍ଡ ପ୍ରେସିଡେଣ୍ଟ ଏକାଦଶର ନେତୃତ୍ୱ ନେବେ ରୋହିତ ଶର୍ମା। ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଓପନର ଭାବେ ଚୟନ କରାଯାଇଛି। ଆସନ୍ତାକାଲି ଟିମ୍‌ରେ ନିଜର ସ୍ଥାନ ପକ୍କା କରିବା […]

c

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 04:32 PM IST

ମୁମ୍ବାଇ: ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ତେବେ ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ଓ ଭାରତର ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ବୋର୍ଡ ପ୍ରେସିଡେଣ୍ଟ ଏକାଦଶର ନେତୃତ୍ୱ ନେବେ ରୋହିତ ଶର୍ମା। ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଓପନର ଭାବେ ଚୟନ କରାଯାଇଛି।

ଆସନ୍ତାକାଲି ଟିମ୍‌ରେ ନିଜର ସ୍ଥାନ ପକ୍କା କରିବା ପାଇଁ ରୋହିତ କେମିତି ଖେଳ ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରୋହିତ ସୀମିତ ଓଭର ମ୍ୟାଚ୍‌ରେ ଓପନର ଭାବେ ଟିମ୍‌ ଇଣ୍ଡିଆରେ ଖେଳୁଥିଲେ ହେଁ ଟେଷ୍ଟ ଟିମ୍‌ରେ ତାଙ୍କୁ ଅଧିକ ସୁଯୋଗ ମିଳିନାହିଁ। ନିକଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ରୋହିତଙ୍କୁ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲା। ହେଲେ ସେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳି ନଥିଲେ।

ଏବେ ବିସିସିଆଇ ଚୟନ କମିଟି ଟିମ୍‌ ଇଣ୍ଡିଆ ପାଇଁ ଟେଷ୍ଟରେ ଇନିଂସ୍‌ ଆରମ୍ଭ କରୁଥିବା କେଏଲ ରାହୁଲଙ୍କୁ ବାଦ୍‌ ଦେଇଛନ୍ତି। ରାହୁଲଙ୍କ ବଦଳରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ହିଁ ଟେଷ୍ଟରେ ଓପନ କରିବେ। ତେଣୁ ପରବର୍ତ୍ତୀ ୫ଟି ମ୍ୟାଚ୍‌ ହିଁ ରୋହିତଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ।

ଏହି ୫ଟି ମ୍ୟାଚ୍‌ରେ ୩୨ ବର୍ଷୀୟ ରୋହିତ କେମିତି ବ୍ୟାଟିଂ କରୁଛନ୍ତି, ତା’ ଉପରେ ତାଙ୍କ ଟେଷ୍ଟ କ୍ୟାରିୟର ନିର୍ଭର କରିବ। ରୋହିତ ଏଯାଏ ୨୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୩୯.୬୨ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଶତକ ରହିଛି। ରୋହିତ ପୂର୍ବରୁ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ ଭାବେ ଖେଳୁଥିଲେ। ହେଲେ ଖରାପ ଫର୍ମ ତଥା ମଧ୍ୟକ୍ରମରେ ହନୁମା ବିହାରୀ ଆସିବାରୁ ରୋହିତ ବେଞ୍ଚରେ ବିସିବାକୁ ନଚେତ୍‌ ଟେଷ୍ଟ ସ୍କ୍ୱାଡ୍‌ରୁ ବାଦ ପଡ଼ୁଛନ୍ତି। ହେଲେ ଏବେ ଘରୋଇ ପରିବେଶରେ ରୋହିତ ନିଜ ଦକ୍ଷତାର ପରିଚୟ ଦେବାକୁ ଭରପୂର ସୁଯୋଗ ପାଇଛନ୍ତି।

ଟେଷ୍ଟ ମ୍ୟାଚ୍‌ରେ ବ୍ୟବହୃତ ହେଉଥିବା ଏସ୍‌ଜି, ଡ୍ୟୁକ୍ସ୍ କିମ୍ବା କୋକାବୁରା ବଲ ନୂଆ ଥିବା ବେଳେ ରୋହିତ ଏହାକୁ ଠିକ୍‌ ଭାବେ ଖେଳି ପାରନ୍ତି ନାହିଁ ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଛି। ତଥାପି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀ ଓ ଚୟନକର୍ତ୍ତାମାନେ ରୋହିତଙ୍କ ଉପରେ ଭରସା କରିଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଭ୍ୟାସ ମ୍ୟାଚ୍‌ରେ ହିଁ ରୋହିତ ନାଲି ନୂଆ ବଲରେ କେମିତି ଖେଳୁଛନ୍ତି, ତାହା ସ୍ପଷ୍ଟ ହୋଇଯିବ।

ରୋହିତଙ୍କ ବ୍ୟତୀତ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଥିବା ଉମେଶ ଯାଦବଙ୍କ ଉପରେ ମଧ୍ୟ ନଜର ରହିବ। ଯଶପ୍ରୀତ ବୁମ୍ରା ଆହତ ହେବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଉମେଶ ଯାଦବଙ୍କୁ ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ତେଣୁ ଫାଫ ଡୁଫ୍ଲେସିସି ଓ ଆଡେନ୍‌ ମାର୍କମ ଯୋଡ଼ିଙ୍କୁ ଉମେଶ ଯାଦବ କେମିତି ଅଡ଼ୁଆରେ ପକାଉଛନ୍ତି, ତା’ ଉପରେ ବି ସମସ୍ତଙ୍କ ନଜର ରହିବ।

ଦକ୍ଷିଣ ଆଫ୍ରିକା ପାଖରେ କାଗିସୋ ରବାଡା, ଭେରନନ୍‌ ଫିଲାଣ୍ଡର ଓ ଲୁଙ୍ଗି ଏନ୍‌ଗିଡି ରହିଛନ୍ତି। ତେଣୁ ଅଭ୍ୟାସ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନ୍‌ମାନେ ଏମାନଙ୍କ ବୋଲିଂକୁ କେମିତି ଖେଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ଦକ୍ଷିଣ ଆଫ୍ରିକା: ‍ଫାଫ ଡୁପ୍ଲେସିସି(ଅଧିନାୟକ), ତେମ୍ବା ବାଭୁମା, ଥେଉନିସ ଡେ ବ୍ରୁୟନ, କ୍ୱିଣ୍ଟନ ଡି କକ୍‌, ଡେନ୍‌ ଏଲଗାର, ଜୁବାୟର ହାମଜା, କେଶବ ମହାରାଜ, ଆଡେନ୍‌ ମାର୍କମ, ସେନୁରାନ ମୁଥୁସାମି, ଲୁଙ୍ଗି ଏନ୍‌ଗିଡି, ଅନରିଚ ନୋଟ୍ରେଜ, ଭେରନନ୍‌ ଫିଲାଣ୍ଡର, ଡେନ ପେଇଡେଟ୍‌, କାଗିସୋ ରବାଡା ଓ ରୁଡି ସେକେଣ୍ଡ।

ବୋର୍ଡ ପ୍ରେସିଡେଣ୍ଟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ଏଆର ଈଶ୍ୱରନ୍‌, କରୁଣ ନାଏର, ସିଦ୍ଧିଶେ ଲାଡ, କେଏସ୍‌ ଭାରତ, ଜଲଜ ସାକ୍ସେନା, ଧର୍ମେନ୍ଦ୍ର ସିଂହ ଜାଡେଜା, ଅଭେଶ ଖାନ, ଈଶାନ ପୋରେଲ, ଶର୍ଦ୍ଦୁଲ ଠାକରୁ ଓ ଉମେଶ ଯାଦବ।

Related story