ଅଷ୍ଟ୍ରେଲିଆନ୍ ଓପନ୍‌: ଅନ୍ତିମ-୮ରେ ରାଫେଲ୍ ନାଡାଲ୍‌

ମେଲବର୍ଣ୍ଣ: ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ୍ ନାଡାଲ୍ ଚଳିତବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ରଡ୍ ଲେଭର୍ ଏରିନାଠାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ନାଡାଲ୍ ୬-୩, ୩-୬, ୭-୬ (୮/୬), ୭-୬ (୭/୪) ସେଟରେ ଅଷ୍ଟ୍ରେଲିଆର ନିକ୍ କିର୍ଗିଅସଙ୍କୁ ହରାଇଛନ୍ତି।

୧୯ଥରର ଗ୍ରାଣ୍ଡସ୍ଲାମ୍ ବିଜେତା ନାଡାଲ୍ ଏହି ମୁକାବିଲାକୁ ଜିତିବା ପାଇଁ ୩ ଘଣ୍ଟା ୩୬ ମିନିଟ୍ ସମୟ ନେଇଥିଲେ। ଏହି ବିଜୟ ସହ ୩୩ ବର୍ଷୀୟ ସ୍ପେନୀୟ ତାରକା ଦ୍ୱାଦଶଥର ପାଇଁ ଓପନର କ୍ୱାର୍ଟରରେ ପହଞ୍ଚିଛନ୍ତି। ନାଡାଲ୍ କ୍ୱାର୍ଟରଫାଇନାଲରେ ଡୋମିନିକ୍ ଥିମଙ୍କୁ ଭେଟିବେ, ଯିଏ ଚତୁର୍ଥ ରାଉଣ୍ଡରେ ଫ୍ରାନ୍ସର ଗାଇଲ୍ ମୋନଫିଲ୍ସଙ୍କୁ ସିଧାସଳଖ ୬-୨, ୬-୪, ୬-୪ ସେଟରେ ହରାଇ ଅନ୍ତିମ-୮ରେ ସ୍ଥାନ ହାସଲ କରିଛନ୍ତି।

ଅନ୍ୟ ମୁକାବିଲା ଗୁଡ଼ିକରେ ସ୍ୱିଜରଲ୍ୟାଣ୍ଡର ଷ୍ଟାନିସ୍ଲାସ୍ ୱାରିଙ୍କା ଚତୁର୍ଥ ତଥା ପ୍ରି-କ୍ୱାର୍ଟରରେ ରୁଷର ଡାନିଲ୍ ମେଡଭେଡେଭଙ୍କୁ ୬-୨, ୨-୬, ୪-୬, ୭-୬ (୭/୨), ୬-୨ ସେଟରେ ହରାଇଥିବା ବେଳେ ଜର୍ମାନୀର ଆଲେକଜାଣ୍ଡର୍ ଜ୍ୱେରେଭ୍ ସିଧାସଳଖ ୬-୪, ୬-୪, ୬-୪ ସେଟରେ ରୁଷର ଆନ୍ଦ୍ରେ ରୁବଲେଭଙ୍କୁ ପରାସ୍ତ କରି କ୍ୱାର୍ଟରରେ ସ୍ଥାନ ପକ୍କା କରିଛନ୍ତି।