ପ୍ରଥମ ଟି-୨୦ରେ ଜିମ୍ବାୱେକୁ ହରାଇଲା ବାଂଲାଦେଶ

ଢାକା: ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନସୁଇପ କରିଥିବା ଘରୋଇ ବାଂଲାଦେଶ ବିଜୟରୁ ତା’ର ଟି-୨୦ ଅଭିଯାନ ଆରମ୍ଭ କରିଛି। ସୌମ୍ୟ ସରକାରଙ୍କ ବିସ୍ଫୋରକ ଅପରାଜିତ ୬୨ ଓ ଲିଟନ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ୫୯ ରନ୍‌ ବଳରେ ବାଂଲାଦେଶ ଭ୍ରମଣକାରୀ ଜିମ୍ବାୱେକୁ ୪୮ ରନ୍‌ରେ ପରାସ୍ତ କରିଛି। ଏଥିସହ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୨୦୦ ରନ କରିଥିବା ବେଳେ ଜିମ୍ବାୱେ ୧୯ ଓଭରରେ ୧୫୨ ରନ୍‌ […]

rg

Hemant Lenka
  • Published: Monday, 09 March 2020
  • , Updated: 09 March 2020, 09:21 PM IST

ଢାକା: ଦିନିକିଆ ସିରିଜ୍‌କୁ ୩-୦ରେ କ୍ଲିନସୁଇପ କରିଥିବା ଘରୋଇ ବାଂଲାଦେଶ ବିଜୟରୁ ତା’ର ଟି-୨୦ ଅଭିଯାନ ଆରମ୍ଭ କରିଛି। ସୌମ୍ୟ ସରକାରଙ୍କ ବିସ୍ଫୋରକ ଅପରାଜିତ ୬୨ ଓ ଲିଟନ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ୫୯ ରନ୍‌ ବଳରେ ବାଂଲାଦେଶ ଭ୍ରମଣକାରୀ ଜିମ୍ବାୱେକୁ ୪୮ ରନ୍‌ରେ ପରାସ୍ତ କରିଛି। ଏଥିସହ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୨୦୦ ରନ କରିଥିବା ବେଳେ ଜିମ୍ବାୱେ ୧୯ ଓଭରରେ ୧୫୨ ରନ୍‌ କରି ଅଲଆଉଟ ହୋଇଯାଇଛି।

ଟସ୍‌ ଜିତି ଜିମ୍ବାୱେ ଅଧିନାୟକ ସେନ ୱିଲିୟମ୍ସ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବାଂଲାଦେଶର ଦୁଇ ଓପନର ତାମିଲ ଇକବାଲ ଓ ଲିଟନ ଦାସ ଜିମ୍ବାୱେର ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି କାଉଣ୍ଟର ଆଟାକ କରିଥିଲେ। ପ୍ରଥମ ୱିକେଟ ପାଇଁ ଉଭୟ ୯୨ ରନ୍‌ର ଭାଗିଦାରୀ କରି ଦୃଢ଼ ମୂଳଦୁଆ ପକାଇଥିଲେ।

ଏହି ସମୟରେ ତାମିମ ୩୩ ବଲରେ ୪୧ ରନ୍‌ କରି ମାଧଭେରେଙ୍କ ବଲରେ ଆଉଟ ହୋଇଯାଇଥିଲେ। କିନ୍ତୁ ବାଂଲାଦେଶର ରନ୍‌ ସଂଗ୍ରହ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ତାମିମ ଆଉଟ ହେବା ପରେ ୫୯ ରନ୍‌ କରିଥିବା ଲିଟନ ଦାସ ବଡ଼ ଶଟ ଖେଳିବା ଲୋଭରେ ସିକନ୍ଦର ରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ତେବେ ସୌମ୍ୟ ସରକାର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ମାତ୍ର ୩୨ଟି ବଲରେ ୬୨ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମୁଶଫିକର ରହିମ ୧୭ ଓ ମହମୁଦୁଲ୍ଲା ୯ ରନ୍‌ କରିଥିଲେ। ଶେଷରେ ବାଂଲାଦେଶ ୨୦ ଓଭରରେ ୩ ୱିକେଟ ହରାଇ ୨୦୦ ରନ୍‌ କରିଥିଲା।

ଏହାର ଜବାବରେ ଜିମ୍ବାୱେ ୧୧ ରନ୍‌ରେ ଅଭିଜ୍ଞ ବ୍ରେଣ୍ଡନ ଟେଲର(୧)ଙ୍କୁ ହରାଇଥିଲା। ସିଆର ଇରଭାଇନ (୮) ଓ ମାଧଭେରେ(୪) ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। କିଛି ସମୟ ପାଇଁ ଓପନର ତିନାଶେ କାମୁନହୁକାମୱେ ଓ ଅଧିନାୟକ ୱିଲିୟମ୍ସ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ତିନାଶେ ୨୮ ରନ୍‌ କରିଥିବା ବେଳେ ଅମିନୁଲ ଇସଲାମଙ୍କ ବଲରେ ଲିଟନ ଦାସଙ୍କୁ କ୍ୟାଚ୍‌ ଦେଇଥିଲେ।

ୱିଲିୟମ୍ସ ବି କେବଳ ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସିକନ୍ଦର ରାଜା ୧୦, ରିଚମଣ୍ଡ ୨୦, ମୁଟମବୋଡଜି ୨ ରନ୍‌ କରିଥିଲେ। ଶେଷ ଭାଗରେ କାରଲ ମୁମ୍ବା ୨୫ ଓ ଡୋନାଲ୍ଡ ତିରିପାନୋ ୨୦ ରନ୍‌ କରିବାରୁ ଦଳୀୟ ସ୍କୋର ୧୫୦ ପାର ହୋଇଥିଲା। ତିରିପାନୋଙ୍କୁ ମହମ୍ମଦ ସୈଫୁଦ୍ଦିନ ଆଉଟ କରିଥିବା ବେଳେ ମୁମ୍ବାଙ୍କୁ ମୁସ୍ତାଫିଜୁର ରେହମାନ ପ୍ୟାଭିଲିୟନ ପଠାଇ ଜିମ୍ବାୱେ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ଓ ଅମିନୁଲ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ସୈଫୁଲ ଇସଲାମ, ମହମ୍ମଦ ସୈଫୁଦ୍ଦିନ ଏବଂ ଅଫିଫ ହୁସେନ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story