୧୩ ବର୍ଷ ପରେ ରଣଜୀ ଫାଇନାଲରେ ପହଞ୍ଚିଲା ବେଙ୍ଗଲ

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ରଣଜୀ ଟ୍ରଫି ସେମିଫାଇନାଲର ଚତୁର୍ଥ ଦିବସରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରି ୧୩ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ବେଙ୍ଗଲ ଦ୍ୱାରା ଧାର୍ଯ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକା ଦ୍ୱିତୀୟ ଇନିଂସରେ ୧୭୭ ରନରେ ହିଁ ସୀମିତ ରହିଯାଇଥିଲା। ବେଙ୍ଗଲ ପକ୍ଷରୁ ମୁକେଶ ୬୧ ରନ୍ ଦେଇ ସର୍ବାଧିକ ୬ ୱିକେଟ୍ ନେଇଛନ୍ତି। ସେହିପରି […]

bengal

bengal

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 05:20 PM IST

Sports

Latest News

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ରଣଜୀ ଟ୍ରଫି ସେମିଫାଇନାଲର ଚତୁର୍ଥ ଦିବସରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରି ୧୩ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ବେଙ୍ଗଲ ଦ୍ୱାରା ଧାର୍ଯ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା କର୍ଣ୍ଣାଟକା ଦ୍ୱିତୀୟ ଇନିଂସରେ ୧୭୭ ରନରେ ହିଁ ସୀମିତ ରହିଯାଇଥିଲା। ବେଙ୍ଗଲ ପକ୍ଷରୁ ମୁକେଶ ୬୧ ରନ୍ ଦେଇ ସର୍ବାଧିକ ୬ ୱିକେଟ୍ ନେଇଛନ୍ତି। ସେହିପରି ଇଶାନ୍ ପୋରେଲ୍ ଓ ଆକାଶ ଦୀପ ୨ଟି ଲେଖାଏ ୱିକେଟ୍ ପାଇଛନ୍ତି। କର୍ଣ୍ଣାଟକା ଟିମ୍ ମଙ୍ଗଳବାର ସକାଳେ ୩ ୱିକେଟରେ ୯୮ ରନରୁ ଖେଳ ଆରମ୍ଭ କରିଥିଲା ଏବଂ ଟିମ୍ ପ୍ରଥମ ସେସନରେ ହିଁ ୧୭.୩ ଓଭରରେ ୭୯ ରନ୍ ଯୋଡ଼ି ବାକି ୭ ୱିକେଟ୍ ହରାଇଥିଲା।

ବେଙ୍ଗଲ ଶେଷଥର ପାଇଁ ୧୯୮୯-୯୦ରେ ସୌରଭ ଗାଙ୍ଗୁଲିଙ୍କ ପଦାର୍ପଣ ସିଜନରେ ହିଁ ରଣଜୀ ଟାଇଟଲ୍ ଜିତିଥିଲା। ଏହାଛଡ଼ା ଶେଷଥର ପାଇଁ ୨୦୦୭ ସଂସ୍କରଣରେ ବେଙ୍ଗଲ ଫାଇନାଲରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଟାଇଟଲ୍ ମୁକାବିଲାରେ ଦଳ ମୁମ୍ବାଇଠାରୁ ୧୩୨ ରନରେ ହାରିଯାଇଥିଲା। ଚଳିତ ସଂସ୍କରଣର ଫାଇନାଲରେ ବେଙ୍ଗଲର ସାମ୍ନା ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ଅନ୍ୟ ଏକ ସେମିଫାଇନାଲର ବିଜେତାଙ୍କ ସହ ହେବ। ଅନ୍ୟପକ୍ଷରେ ପରାଜୟ ସହ କର୍ଣ୍ଣାଟକାକୁ ନିରାଶ ହେବାକୁ ପଡ଼ିଛି। କର୍ଣ୍ଣାଟକା ନିକଟରେ ଘରୋଇ ଦିନିକିଆ ସିରିଜ୍ ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ଟାଇଟଲ୍ ଜିତିଥିଲା। ରଣଜୀରେ ମଧ୍ୟ କର୍ଣ୍ଣାଟକା ଟ୍ରଫି ଜିତିବା ଆଶାରେ ଥିଲା, କିନ୍ତୁ ବେଙ୍ଗଲ ସେମାନଙ୍କର ଆଶାକୁ ଧୂଳିସାତ୍ କରିଦେଇଛି।

ମଙ୍ଗଳବାର କର୍ଣ୍ଣାଟକାର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକଲ (୬୨) ଓ ମନିଷ ପାଣ୍ଡେ (୧୨)ଙ୍କ ଉପରେ ଗୁରୁଦାୟିତ୍ୱ ଥିଲା। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ମୁକେଶ କୁମାର ପ୍ୟାଭିଲିୟନ୍ ପଠାଇ କର୍ଣ୍ଣାଟକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ମନିଷ ନିଜ ସ୍କୋରରେ ଆଉ ୧ ରନ୍ ଯୋଡ଼ିବା ପରେ ୱିକେଟକିପର ଶ୍ରୀବତ୍ସ ଗୋସ୍ୱାମୀଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସେହିପରି ଅର୍ଦ୍ଧଶତକ ମାରିଥିବା ପାଡିକଲ ନିଜ ଖାତାରେ ଆଉ ୧୨ ରନ୍ ଯୋଡ଼ି ଗୋସ୍ୱାମୀଙ୍କ ହାତରେ ଧରା ପଡ଼ିଥିଲେ।

କ୍ରିଷ୍ଣମୂର୍ତ୍ତୀ ସିଦ୍ଧାର୍ଥ ଓ ଶ୍ରୀନିବାସ ଶରତ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଶେଷଭାଗରେ କ୍ରିଷ୍ଣାପ୍ପା ଗୌତମ (୨୨) ଓ ଅଭିମନ୍ୟୁ ମିଥୁନ୍ (୩୮) ଦ୍ରୁତ ରନ୍ କରିଥିଲେ ହେଁ, ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ରୋନିତ୍ ମୋରେ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଏମ୍ ପ୍ରସିଦ୍ଧ କ୍ରିଷ୍ଣା ୨ ରନ୍ କରି ଅପରାଜିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ବେଙ୍ଗଲ ପ୍ରଥମ ଇନିଂସରେ ୩୧୨ ରନ୍ କରିଥିବା ବେଳେ କର୍ଣ୍ଣାଟକା ୧୨୨ ରନ୍ କରି ଅଲଆଉଟ୍ ହୋଇଥିଲା। ବେଙ୍ଗଲ ଦ୍ୱିତୀୟ ଇନିଂସରେ ୧୬୧ ରନ୍ କରି ଭ୍ରମଣକାରୀ ଦଳ ଆଗରେ ୩୫୨ ରନର ଟାର୍ଗେଟ୍ ଧାର୍ଯ୍ୟ କରିଥିଲା। ପ୍ରଥମ ଇନିଂସରେ ଅପରାଜିତ ୧୪୯ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୪୧ ରନ୍ କରିଥିବା ଅନୁସ୍ତୁପ ମଜୁମଦାର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos