କ୍ରମାଗତ ୧୧ତମ ଟାଇଟଲ୍ ଜିତିଲେ ବିଜେନ୍ଦର୍

ନିୱାର୍କ: ଭାରତୀୟ ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ ଆମେରିକାର ପେସାଦାର ସର୍କିଟରେ ପଦାର୍ପଣ କରି ନିଜଠାରୁ ଅଭିଜ୍ଞ ମାଇକ ସ୍ନାଇଡରଙ୍କୁ ଟେକ୍ନିକାଲ୍ ନକଆଉଟ୍ ଦ୍ୱାରା ହରାଇ ବିଜୟ ହାସଲ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଚାଲିଥିବା ୮ ରାଉଣ୍ଡ ବିଶିଷ୍ଟ ସୁପର ମିଡିଲୱେଟ୍ ବାଉଟ୍‌ରେ ହରିୟାଣାର ଏହି ୩୩ ବର୍ଷୀୟ ବକ୍ସର ଚାରି ରାଉଣ୍ଡରେ ଦବଦବା କାଏମ୍ ରଖି ସର୍କିଟରେ ଲଗାତାର ୧୧ତମ ବିଜୟ ହାସଲ କରିଛନ୍ତି। ଏହି ମ୍ୟାଚରେ ବିଜେନ୍ଦରଙ୍କୁ ପୂରା ୮ ରାଉଣ୍ଡ ଖେଳିବାକୁ […]

bijender

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 06:30 PM IST

ନିୱାର୍କ: ଭାରତୀୟ ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ ଆମେରିକାର ପେସାଦାର ସର୍କିଟରେ ପଦାର୍ପଣ କରି ନିଜଠାରୁ ଅଭିଜ୍ଞ ମାଇକ ସ୍ନାଇଡରଙ୍କୁ ଟେକ୍ନିକାଲ୍ ନକଆଉଟ୍ ଦ୍ୱାରା ହରାଇ ବିଜୟ ହାସଲ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଚାଲିଥିବା ୮ ରାଉଣ୍ଡ ବିଶିଷ୍ଟ ସୁପର ମିଡିଲୱେଟ୍ ବାଉଟ୍‌ରେ ହରିୟାଣାର ଏହି ୩୩ ବର୍ଷୀୟ ବକ୍ସର ଚାରି ରାଉଣ୍ଡରେ ଦବଦବା କାଏମ୍ ରଖି ସର୍କିଟରେ ଲଗାତାର ୧୧ତମ ବିଜୟ ହାସଲ କରିଛନ୍ତି।

ଏହି ମ୍ୟାଚରେ ବିଜେନ୍ଦରଙ୍କୁ ପୂରା ୮ ରାଉଣ୍ଡ ଖେଳିବାକୁ ପଡ଼ିନଥିଲା। ବିଜେନ୍ଦର ଚତୁର୍ଥ ରାଉଣ୍ଡରେ ବାଜିମାରି ନେଇଥିଲେ। ଚତୁର୍ଥ ରାଉଣ୍ଡର ଦ୍ୱିତୀୟ ମିନିଟରେ ବିଜେନ୍ଦର ସ୍ନାଇଡରଙ୍କୁ ଲଗାତାର ସିଧା ପଞ୍ଚ୍‌ରେ ଧୂଳିସାତ୍ କରିଥିଲେ, ଯଦ୍ଦ୍ୱାରା ରେଫରୀ ଏହି ବାଉଟକୁ ଭାରତୀୟ ବକ୍ସରଙ୍କ ସପକ୍ଷରେ କରିବାକୁ ବାଧ୍ୟ ହୋଇଥିଲେ।

ପୂରା ବାଉଟରେ ୩୮ ବର୍ଷୀୟ ସ୍ନାଇଡରଙ୍କ ପଞ୍ଚ୍‌ରେ କୌଣସି ଦମ୍ ଥିବା ଦେଖିବାକୁ ମିଳିନଥିଲା। ଅନ୍ୟପକ୍ଷରେ ବର୍ଷକ ପରେ ରିଙ୍ଗ୍‌କୁ ଫେରିଥିବା ବିଜେନ୍ଦରଙ୍କ ପଞ୍ଚ୍ ବେଶ୍ ସଠିକ୍ ଏବଂ ଦମଦାର ମଧ୍ୟ ଥିଲା। ଏହି ମୁକାବିଲା ପାଇଁ ସ୍ନାଇଡରଙ୍କୁ ଦୃଢ଼ ଦାବିଦାର କୁହାଯାଉଥିଲା, କିନ୍ତୁ ବିଜେନ୍ଦର ଯେଉଁଭଳି ପ୍ରଦର୍ଶନ କଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ସ୍ନାଇଡରଙ୍କ ଦୁର୍ବଳ ଆକ୍ରମଣକୁ ବିଜେନ୍ଦର ସହଜରେ ଡିଫେଣ୍ଡ୍ କରିଥିଲେ। ଏହି ଫାଇଟ୍ ପୂର୍ବରୁ ସ୍ନାଇଡରଙ୍କ ଓଭରଅଲ୍ ରେକର୍ଡ ୧୩-୫-୩ ଥିଲା।

ମୁକାବିଲା ଜିତିବା ପରେ ବିଜେନ୍ଦର କହିଥିଲେ, ଦୀର୍ଘ ଦିନ ପରେ ରିଙ୍ଗକୁ ଫେରିବା ଭଲ ରହିଛି। ଆମେରିକାକୁ ଆସି ମ୍ୟାଚ୍ ଜିତିବାର ଅନୁଭୂତି ନିଆରା। ବାସ୍ତବରେ ଏହା ବେଶ୍ ରୋମାଞ୍ଚକର ଥିଲା। ଆମେରିକାର ପଦାର୍ପଣରେ ବିଜୟୀ ହୋଇ ମୁଁ ବହୁତ ଖୁସି। ମୋତେ ମ୍ୟାଚରେ ଦବଦବା କାଏମ କରିବା ପାଇଁ ମାତ୍ର ୪ ରାଉଣ୍ଡ ଲଢ଼ିବାକୁ ପଡ଼ିଥିଲା। ବିଜେନ୍ଦରଙ୍କ ଏହା ଅଷ୍ଟମ ନକଆଉଟ୍ ବିଜୟ ଥିଲା।

Related story