ଦୁବାଇ: ଦୀର୍ଘ ୩ ବର୍ଷ ହେଲା କ୍ରିକେଟ ପ୍ରେମୀ ଆଶା କରିଥିବା ଅପେକ୍ଷାର ଅନ୍ତ ଘଟିଛି। ୨୦୧୯ ନଭେମ୍ବର ମାସ ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରି ନଥିବା ବିରାଟ କୋହଲି ଆଜି ସେଞ୍ଚୁରୀ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଏହା ବିରାଟଙ୍କ ୭୧ତମ ଶତକ। ସେହିପରି ଟି-୨୦ରେ ପ୍ରଥମ ଶତକ।
ଆଫଗାନିସ୍ତାନ ବିପକ୍ଷ ଏସିଆ କପ ସୁପର ୪ର ଶେଷ ମ୍ୟାଚ୍ରେ ବିରାଟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ ବଲରେ ଛକା ମାରି ଶତକ ହାସଲ କରିଛନ୍ତି। ଶତକ ହାସଲ ପରେ ପରେ ତାଙ୍କ ମୁହଁରେ ବିରାଟ ହସ ଫୁଟିବା ସହ ସେ ନିଜର ବିବାହ ରିଗିଂକୁ କିସ୍ ମଧ୍ୟ କରିଥିଲେ। ବିରାଟଙ୍କ ଏହି ଅବିଶ୍ୱସନୀୟ ଇନିଂସ ଯୋଗୁ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ବିଶାଳ ୨୧୩ ରନର ଟାର୍ଗେଟ ଦେଇଛି। ଦଳ ନିର୍ଦ୍ଧାରିତ ୨୦ ଓଭରେ ମାତ୍ର ୨ଟି ୱିକେଟ ହରାଇ ୨୧୨ ରନ କରିଛି। ବିରାଟ ଏକାକୀ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି।
ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ରୋହିତ ଶର୍ମା ଖେଳୁ ନଥିବାରୁ କାମଚଳା ଅଧିନାୟକ କେଏଲ ରାହୁଲଙ୍କ ସହ ବିରାଟ କୋହଲି ଇନିଂସ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ପ୍ରଥମ ୱିକେଟ ପାଇଁ ରାହୁଲ ଓ ବିରାଟ ୧୨.୪ ଓଭରରେ ୧୧୨ ରନ ଯୋଡ଼ିଥିଲେ। ଏହି ସମୟରେ ୪୧ ବଲରେ ୬୨ ରନ କରିଥିବା ରାହୁଲଙ୍କୁ ଫରୀଦ ଅହମଦ ଆଉଟ କରିଦେଇଥିଲେ। ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ପ୍ରଥମ ବଲରେ ଛକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।
୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତଙ୍କୁ ସାଥୀ କରି ବିରାଟ ଦମଦାର ବ୍ୟାଟିଂ କରିବା ସହ ଶେଷ ଯାଏ ଭାରତକୁ ଆଉ କୌଣସି କ୍ଷମତି ସହିବାକୁ ଦେଇ ନଥିଲା। ୧୯ତମ ଓଭରରେ ସେ ୧୦୦ ରନ ପୂରଣ କରିବା ପରେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଶେଷ ଓଭର ବୋଲିଂ କରୁଥିବା ଫଜଲହକ ଫାରୁକୀଙ୍କୁ ବିରାଟ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।
ସେ ଶେଷ ଯାଏ ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଛନ୍ତି। ପନ୍ତ ତାଙ୍କ ସହ ଶେଷ ଯାଏ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିଲେ। ଭାରତ ୨୧୨ ରନ କରିଥିବାରୁ ଆଫଗାନକୁ ଏହି ମ୍ୟାଚ ଜିତିବା ପାଇଁ ୨୧୩ ରନର ଟାର୍ଗେଟ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।