ଢାକା: ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଘରୋଇ ବାଂଲାଦେଶ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। କମବ୍ୟାକ୍ ମ୍ୟାଚ୍ରେ ମୋମିନୁଲ ହକ୍ ଲଢ଼ୁଆ ୮୪ ରନର ଇନିଂସ ଖେଳିଥିଲେ ମଧ୍ୟ ବାଂଲାଦେଶ ତା’ର ପ୍ରଥମ ଇନିଂସରେ କେବଳ ୨୨୭ ରନ କରିବାକୁ ସକ୍ଷମ ହୋଇଛି। ଭାରତର ଦ୍ରୁତ ବୋଲର ଉମେଶ ଯାଦବ ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୪ଟି ଲେଖାଏ ୱିକେଟ ନେଇ ବାଂଲାଦେଶ ବ୍ୟାଟିଂ ଲାଇନ ଅପ୍କୁ ଛିନଛତ୍ର କରି ଦେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୩୯ ରନରେ ଦୁଇ ଓପନର ଜାକିର ହାସନ(୧୫) ଓ ନଜମୁଲ ହୁସେନ ସାଣ୍ଟୋ(୨୪)ଙ୍କୁ ହରାଇଥିଲା। ସାଣ୍ଟୋଙ୍କୁ ଅଶ୍ୱିନ ଓ ଜାକିରଙ୍କୁ ଜୟଦେବ ଉନାଦକତ ଆଉଟ କରିଥିଲେ। ୩୯ ରନରେ ଦୁଇ ୱିକେଟ ହରାଇଥିବା ବାଂଲାଦେଶ ଲଞ୍ଚ ଯାଏ ଆଉ କୌଣସି କ୍ଷତି ଘଟାଇ ନଥିଲା। ସାକିବ ଅଲ ହାସନ ଓ ମୋମିନୁଲ ଦମଦାର ବ୍ୟାଟିଂ କରି ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୮୨ରେ ପହଞ୍ଚାଇ ଦେଇଥିଲେ।
କିନ୍ତୁ ଲଞ୍ଚ ପରର ପ୍ରଥମ ବଲରେ ଉମେଶ ଯାଦବ ୧୬ ରନ କରିଥିବା ସାକିବଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ମୋମିନୁଲଙ୍କ ସହ ମିଶି ଅଭିଜ୍ଞ ମୁସଫିକର ରହିମ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ୪ର୍ଥ ୱିକେଟ ପାଇଁ ଉଭୟ ୪୮ ରନ ଯୋଡ଼ିଥିଲେ। ଏଥିସହ ମୋମିନୁଲ ମଧ୍ୟ ନିଜର କମବ୍ୟାକ୍ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ବାଂଲାଦେଶ ବଡ଼ ସ୍କୋର ଆଡ଼କୁ ଯାଉଥିବା ବେଳେ ୨୬ ରନ କରିଥିବା ରହିମଙ୍କୁ ଉନାଦକତ ଆଉଟ କରି ଦଳକୁ ୪ର୍ଥ ସଫଳତା ଦେଇଥିଲେ।
ଲିଟନ ଦାସ ୨୫ ରନ କରିଥିବା ବେଳେ ତାଙ୍କୁ ଅଶ୍ୱିନ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ମହେଦୀ ହାସନ ମିରଜା(୧୫), ନୁରୁଲ ହାସନ(୬) ଓ ତସ୍କିନ ଅହମଦ(୧)ଙ୍କୁ ଉମେଶ ଯାଦବ ଆଉଟ କରି ବାଂଲାଦେଶ ବ୍ୟାକଫୁଟକୁ ଠେଲି ଦେଇଥିଲେ।
ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ମୋମିନୁଲ ଲଢ଼େଇ ଜାରି ରଖିଥିଲେ। ସେ ନିଜର ୫ମ ଟେଷ୍ଟ ଶତକ ଆଡ଼କୁ ଯାଉଥିବା ବେଳେ ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୨ ଚୌକା ଓ ଗୋଟିଏ ଛକା ସହ ୮୪ ରନର ଇନିଂସ ଖେଳିଛନ୍ତି। ମୋମିନୁଲଙ୍କୁ ଆଉଟ କରିବା ପରେ ସେହି ସମାନ ଓଭରର ୫ମ ବଲରେ ଅଶ୍ୱିନ ଶେଷ ବ୍ୟାଟର ଭାବେ ଖାଲେଦ ଅହମଦଙ୍କୁ ଆଉଟ କରି ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ମୋମିନୁଲ ଲଢ଼େଇ କରିଥିଲେ ମଧ୍ୟ ବାଂଲାଦେଶ ୧୪ ରନରେ ଶେଷ ୫ ୱିକେଟ ହରାଇବାରୁ ଦଳ ୨୨୭ ରନରେ ଅଟକି ଯାଇଛି।
ଅନ୍ୟପକ୍ଷରେ ଆଜି ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୯ ରନ୍ ସଂଗ୍ରହ କରିଛି। ଅଧିନାୟକ କେ ଏଲ୍ ରାହୁଲ ୩ ରନ୍ (୩୦ ବଲ୍) ଓ ଶୁବମନ ଗିଲ୍ ୧୪ ରନ୍ (୨୦ ବଲ୍) କରି ଅପରାଜିତ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।