ଝୁଲଣ ଗୋସ୍ୱାମୀଙ୍କ ଶେଷ ମ୍ୟାଚ୍‌: ଲୁହ ଅଟାଇକାଇ ପାରିଲେନି ଅଧିନାୟକ କୌର

ଲର୍ଡସ: ଦୀର୍ଘ ୨୦ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବାକୁ ଆଜି ଭାରତୀୟ ମହିଳା ଦଳର ଝୁଲଣ ଗୋସ୍ୱାମୀ ଐତିହାସିକ ଲର୍ଡସ ପଡ଼ିଆକୁ ଓହ୍ଲାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଶେଷ ମ୍ୟାଚ୍‌ ଖେଳୁଛନ୍ତି। ମ୍ୟାଚ୍‌ ପୂର୍ବରୁ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ୱର୍ଦ୍ଧିତ କରାଯାଇଥିଲା। ତେବେ ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାବବିହ୍ୱଳ ହୋଇଯାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏପରି କି ସେ କାନ୍ଦି […]

Jhulan

Jhulan

Hemant Lenka
  • Published: Saturday, 24 September 2022
  • Updated: 24 September 2022, 06:21 PM IST

Sports

Latest News

ଲର୍ଡସ: ଦୀର୍ଘ ୨୦ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବାକୁ ଆଜି ଭାରତୀୟ ମହିଳା ଦଳର ଝୁଲଣ ଗୋସ୍ୱାମୀ ଐତିହାସିକ ଲର୍ଡସ ପଡ଼ିଆକୁ ଓହ୍ଲାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଶେଷ ମ୍ୟାଚ୍‌ ଖେଳୁଛନ୍ତି। ମ୍ୟାଚ୍‌ ପୂର୍ବରୁ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ୱର୍ଦ୍ଧିତ କରାଯାଇଥିଲା।

ତେବେ ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାବବିହ୍ୱଳ ହୋଇଯାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ଏପରି କି ସେ କାନ୍ଦି ମଧ୍ୟ ପକାଇଥିଲେ। ଏହା ଦେଖି ତାଙ୍କ ପାଖରେ ଥିବା ଝୁଲଣ ଗୋସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌର ଅଧିନାୟକ ହୋଇଥିଲେ ମଧ୍ୟ ଆଜି ଝୁଲଣ ଗୋସ୍ୱାମୀଙ୍କୁ ସେ ଟସ୍‌ ବେଳେ କଲ୍‌ କରିବାକୁ କହିଥିଲେ।

ମ୍ୟାଚ୍‌ ପୂର୍ବରୁ ୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ମୋମେଣ୍ଟୋ ଦିଆଯାଇଥିଲା। ଏହାକୁ କ୍ୟାପ୍ଟେନ ହିସାବରେ ହରମନପ୍ରୀତ କୌର ତାଙ୍କୁ ଦେଇଥିଲେ। କୌର ଓ ଗୋସ୍ୱାମୀଙ୍କ ସମ୍ପର୍କ ବେଶ ପୁରୁଣା। ୩୩ ବର୍ଷୀୟ କୌର ଭାରତ ପାଇଁ ୨୦୦୯ରେ ଡେବ୍ୟୁ କରିବା ବେଳେ ଝୁଲଣ ଅଧିନାୟକ ରହିଥିଲେ। ଏବେ କୌରଙ୍କ କ୍ୟାପ୍ଟେନ୍ସି ସମୟରେ ଝୁଲଣ ଅବସର ନେଇଛନ୍ତି।

ଝୁଲଣ ଗୋସ୍ୱାମୀ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଆଜି ଅବସର ନେଉଛନ୍ତି। ସେ କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୩ ୱିକେଟ ଦଖଲ କରିଛନ୍ତି। ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି। ଅନ୍ତର୍ଜାତୀୟ କ୍ରିକେଟରେ ସେ ସବୁଠାରୁ ଅଧିକ ୨୨୬୦.୨ ଓଭର ଏଯାଏ ବୋଲିଂ କରିଛନ୍ତି।


ସେ ଭାରତ ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୪ଟି ୱିକେଟ ନେଇଛନ୍ତି। ଝୁଲଣ ୨୦୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ସେହିପରି ସେ ୨୦ ବର୍ଷ ୨୬୧ ଦିନ ଧରି କ୍ରିକେଟ ଖେଳିବାର ରେକର୍ଡ ମଧ୍ୟ କରିଛନ୍ତି। ୨୦୦୭ରେ ସେ ଆଇସିସି ଶ୍ରେଷ୍ଠ ମହିଳା କ୍ରିକେଟର ସମ୍ମାନ ପାଇଥିଲେ। ସେ ଭାରତ ପାଇଁ ୨୦୦୫ ଓ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ଜିତି ପାରି ନାହାନ୍ତି। କିନ୍ତୁ ଏସିଆ କପରେ ଭାରତ ୩ଥର ଚାମ୍ପିୟନ ହେବା ବେଳେ ଟିମ୍‌ରେ ଝୁଲଣ ରହିଥିଲେ।

ସେ ଦୀର୍ଘ ୨୦ ବର୍ଷ ହେଲା କ୍ରିକେଟ ଖେଳିଥିଲେ ମଧ୍ୟ ଭାରତ ବିଶ୍ୱକପ ଜିତି ନ ପାରିବା ସବୁଠାରୁ ପରିତାପର ବିଷୟ ବୋଲି ଝୁଲଣ କହିଛନ୍ତି। ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ସେ କହିଛନ୍ତି, “ମୁଁ ଦୁଇଟି ବିଶ୍ୱକପ ଫାଇନାଲ ଖେଳିଛି। ହେଲେ ଭାରତ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ। ଏହା ହିଁ ମୋ ଜୀବନର ସବୁଠାରୁ ପରିତାପର ବିଷୟ। କାରଣ ଜଣେ ଖେଳାଳି ୪ ବର୍ଷ ଧରି ବିଶ୍ୱକପ ପାଇଁ ପ୍ରସ୍ତୁତ କରିଥାଏ। କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼େ। ବିଶ୍ୱକପ ଟ୍ରଫି ଜିତିବା ପ୍ରତିଟି କ୍ରିକେଟରଙ୍କ ସ୍ୱପ୍ନ।” ଭାରତ ପାଇଁ ଡେବ୍ୟୁ କରିବା ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ଝୁଲଣ କହିଛନ୍ତି।

ସେ କହିଛନ୍ତି, “ଭାରତ ପାଇଁ ଖେଳିବାର ସୁଯୋଗ ପାଇବା ଓ ପ୍ରଥମ ଓଭର ବୋଲିଂ କରିବା ହିଁ ମୋ ପାଇଁ ସବୁଠାରୁ ବଡ଼ ମୁହୂର୍ତ୍ତ ଥିଲା। କାରଣ ଟ୍ରେନିଂ ପାଇଁ ମୁଁ ପ୍ରତିଦିନ ଲୋକାଲ ଟ୍ରେନରେ ଅଢ଼େଇ ଘଣ୍ଟା ଯାତ୍ରା କରେ। ୧୯୯୭ ମସିହାରେ ଇଡେନ ଗାର୍ଡେନରେ ମହିଳା ବିଶ୍ୱକପ ଫାଇନାଲ ଚାଲିଥିଲା। ଏହି ସମୟରେ ମୁଁ ବଲଗାର୍ଲ ଭାବେ ରହିଥିଲି। ପ୍ରଥମଥର ପାଇଁ ମୁଁ ମହିଳା ବିଶ୍ୱକପ ଫାଇନାଲ ଦେଖିଥିଲି। ଏଥିସହ ସେବେଠାରୁ ଭାରତ ପାଇଁ ଖେଳିବାର ସ୍ୱପ୍ନ ମୁଁ ଦେଖିବା ଆରମ୍ଭ କରିଥିଲି। ଯେଉଁଦିନ ଭାରତ ପାଇଁ ଡେବ୍ୟୁ କଲି ସେଦିନ ମୋ ସ୍ୱପ୍ନ ପୂରଣ ହୋଇଥିଲା।”


ଝୁଲଣ ଗୋସ୍ୱାମୀ ଭାରତ ପାଇଁ ୨୦୦୨ ମସିହା ଜାନୁଆରୀ ୬ରେ ଡେବ୍ୟୁ କରିଥିଲେ। ଇତି ମଧ୍ୟରେ ସେ ଦେଶ ପାଇଁ ୧୨ଟି ଟେଷ୍ଟ, ୨୦୪ ଦିନିକିଆ ଓ ୬୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos