ସ୍ମୃତି ମନ୍ଧାନାଙ୍କ ୯୧, ଇଂଲଣ୍ଡକୁ ହରାଇଲା ଭାରତ

ହୋଭ: ଟି-୨୦ ସିରିଜ୍‌କୁ ୧-୨ରେ ହାରିଥିବା ଭାରତୀୟ ମହିଳା ଦଳ ବିଜୟରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶୁଭାରମ୍ଭ କରିଛି। ଗତକାଲି ରାତିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତୀୟ ମହିଳା ଦଳ ଏକତରଫା ଭାବେ ୩୪ ବଲ ପୂର୍ବରୁ ୩ ୱିକେଟ ହରାଇ ଜିତି ନେଇଛି। ଏହି ବିଜୟର କର୍ଣ୍ଣଧାର ସାଜିଛନ୍ତି ଓପନର ସ୍ମୃତି ମନ୍ଧାନା ଓ ଅଧିନାୟକ ହରମନପ୍ରୀତ କୌର। ମନ୍ଧାନା ୯୯ ବଲରେ ୯୧ ରନର ଇନିଂସ ଖେଳିଥିବା ବେଳେ କୌର […]

India

  • Published: Monday, 19 September 2022
  • , Updated: 19 September 2022, 09:37 AM IST

ହୋଭ: ଟି-୨୦ ସିରିଜ୍‌କୁ ୧-୨ରେ ହାରିଥିବା ଭାରତୀୟ ମହିଳା ଦଳ ବିଜୟରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶୁଭାରମ୍ଭ କରିଛି। ଗତକାଲି ରାତିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତୀୟ ମହିଳା ଦଳ ଏକତରଫା ଭାବେ ୩୪ ବଲ ପୂର୍ବରୁ ୩ ୱିକେଟ ହରାଇ ଜିତି ନେଇଛି। ଏହି ବିଜୟର କର୍ଣ୍ଣଧାର ସାଜିଛନ୍ତି ଓପନର ସ୍ମୃତି ମନ୍ଧାନା ଓ ଅଧିନାୟକ ହରମନପ୍ରୀତ କୌର। ମନ୍ଧାନା ୯୯ ବଲରେ ୯୧ ରନର ଇନିଂସ ଖେଳିଥିବା ବେଳେ କୌର ଅପରାଜିତ ୭୪ ରନ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି।

ଏହି ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଭିଜ୍ଞ ଝୁଲଣ ଗୋସ୍ୱାମୀ ଆରମ୍ଭରୁ ହିଁ ଦମଦାର ବୋଲିଂ କରିଥିଲେ। ସେ ମାତ୍ର ଗୋଟିଏ ୱିକେଟ ନେଇଥିଲେ ମଧ୍ୟ ୧୦ ଓଭର୍‌ରେ ୨୦ ରନ ଦେଇଛନ୍ତି। ତାଙ୍କୁ ରାଜେଶ୍ୱରୀ ଗାଏକ୍ୱାଡ ଓ ଦୀପ୍ତି ଶର୍ମା ମଧ୍ୟ ଭରପୂର ସହଯୋଗ କରିଥିଲେ।

ଇଂଲଣ୍ଡ ମହିଳା ଟିମ୍‌ ୨୧ ରନ୍‌ରେ ଦୁଇ ୱିକେଟ ହରାଇଥିଲେ ମଧ୍ୟ ଶେଷ ଭାଗରେ ଡାନି ୱାଟ୍ଟଙ୍କ ୪୩, ଏଲିସ ଡାଭିଡସନ ରିଚାର୍ଡସଙ୍କ ଅପରାଜିତ ୫୦ ଓ ସୋଫିଆ ଇସେଲଷ୍ଟୋନଙ୍କ ୩୧ ରନ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୨୨୭ ରନ କରିଥିଲା।

୨୨୮ ରନର ଟାର୍ଗେଟ ପିଛା କରୁଥିବା ଭାରତୀୟ ମହିଳା ଦଳ ମାତ୍ର ୩ ରନରେ ଶେଫାଳି ବର୍ମା(୧)ଙ୍କୁ ହରାଇଥିଲା। କିନ୍ତୁ ସ୍ମୃତି ମନ୍ଧାନା ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ୟାସ୍ତିକା ଭାଟିଆ ଦମଦାର ଖେଳ ଦେଖାଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୯୬ ରନ ଭାଗିଦାରୀ କରିଥିଲେ।

ଦଳୀୟ ସ୍କୋର ୯୯ ଥିବା ବେଳେ ୟାସ୍ତିକା ୫୦ ରନ କରି କେଟ କ୍ରସଙ୍କ ବଲରଆ ଆଉଟ ହୋଇଥିଲେ। କିନ୍ତୁ ସ୍ମୃତି ମନ୍ଧାନା ହାର ମାନିବା ମୁଡରେ ନଥିଲେ। ସେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ମିଶି ତୃତୀୟ ୱିକେଟ ପାଇଁ ୯୯ ରନର ଭାଗିଦାରୀ କରିଥିଲେ। କୌର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସ୍ମୃତି ମନ୍ଧାନା ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ କ୍ରସ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ୧୯୮ ରନରେ ଦଳ ତୃତୀୟ ୱିକେଟ ହରାଇଥିଲା। ସ୍ମୃତି ୯୯ଟି ବଲରେ ୯୧ ରନ କରିଥିଲେ। ଏଥିରେ ୧୦ଟି ଚୌକା ଓ ଗୋଟି ଛକା ରହିଛି।

ସେ ଆଉଟ ହେବା ପରେ ବାକି ଆବଶ୍ୟକ ରନ କୌର ଓ ହରଲୀନ ଦେଓଲ ହାସଲ କରି ନେଇଥିଲେ। ଶେଷ ଯାଏ ଉଭୟ ଅପରାଜିତ ରହିବା ସହ ଦଳକୁ ୩୪ ବଲ ପୂର୍ବରୁ ବିଜୟ ଭେଟି ଦେଇଛନ୍ତି। କୌର ତାଙ୍କ ଅପରାଜିତ ୭୪ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ହରଲୀନ ୨୦ ବଲରେ ୬ ରନ କରି କେବଳ କୌରଙ୍କୁ ଶେଷ ଯାଏ ସାଥ ଦେଇଥିଲେ। ନିଜର ଦମଦାର ୯୧ ରନର ଇନିଂସ ପାଇଁ ସ୍ମୃତି ମନ୍ଧାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

Related story