ହାମିଲଟନ: ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ଦିନିକିଆ ମହିଳା ବିଶ୍ୱକପରେ ୩ୟ ବିଜୟ ହାସଲ କରିଛି ଭାରତ। ଆଜି ହାମିଲଟନରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ବାଂଲାଦେଶକୁ ୧୧୦ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚି ଯାଇଛି।
ଏବେ ଭାରତ ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଯଦି ଏହି ମ୍ୟାଚ୍କୁ ଭାରତ ଜିତିବାକୁ ସକ୍ଷମ ହେବ, ତା’ହେଲେ ଦଳ ସେମି ଫାଇନାଲ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯିବ। ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ୍ କରିଥିଲା। ଏହାର ଜବାବରେ ବାଂଲାଦେଶ ସମସ୍ତ ୱିକେଟ ହରାଇ ମାତ୍ର ୧୧୯ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ସ୍ପିନର ସ୍ନେହା ରାଣା ସର୍ବାଧିକ ୪ ୱିକେଟ ନେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୟାସ୍ତିକା ଭାଟିଆଙ୍କ ୫୦, ସ୍ମୃତି ମନ୍ଧାନାଙ୍କ ୩୦ ଓ ଶେଷ ଭାଗରେ ସ୍ନେହା ରାଣାଙ୍କ ୨୭ ଏବଂ ପୂଜା ଭସ୍ତ୍ରକରଙ୍କ ୩୦ ରନ୍ ବଳରେ ୨୨୯ ରନ୍ କରିଥିଲା। ଶେଫାଲି ବର୍ମାଙ୍କ ମଧ୍ୟ ୪୨ ବଲରେ ଦ୍ରୁତ ୪୨ ରନର ଇନିଂସ ଖେଳିଥିଲେ।
୨୩୦ ରନର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବାମହାତୀ ସ୍ପିନର ରାଜେଶ୍ୱରୀ ଗାଏକ୍ୱାଡ ୧ ରନ୍ କରିଥିବା ଶାରମିନ ଅଖତରଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଫାରଗାନା ହକ(୦), ଅଧିନାୟକ ନିଗାର ସୁଲତାନ(୩) ଓ ରୁମାନ ଅହମଦ(୨) ସମସ୍ତଙ୍କୁ ନିରାଶ କରିଥିଲେ। ଓପନର ମୁର୍ଶିଦା ଖାତୁନ ମଧ୍ୟ କେବଳ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ।
୩୫ ରନରେ ଦଳ ୫ ବ୍ୟାଟସମ୍ୟାନଙ୍କୁ ହରାଇ ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୬ଷ୍ଠ ୱିକେଟ ପାଇଁ ଲତା ମୋଣ୍ଡଲ ଓ ସଲମା ଖାତୁନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୬ଷ୍ଠ ୱିକେଟ ପାଇଁ ୪୦ ରନ୍ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ଦଳୀୟ ସ୍କୋର ୭୫ ଥିବା ବେଳେ ବ୍ୟକ୍ତିଗତ ୩୫ ରନ କରିଥିବା ସଲମାଙ୍କୁ ଅଭିଜ୍ଞ ଝୁଲଣ ଗୋସ୍ୱାମୀ ଆଉଟ କରିଦେଇଥିଲେ। ଏହାପରେ ଲତା (୨୪)ଙ୍କ ୱିକେଟ ଭସ୍ତ୍ରକରଙ୍କ ଖାତାକୁ ଯାଇଥିଲା। ଫଇମା ଖାତୁନ(୧) ଓ ନହିଦା ଅକତର(୦)ଙ୍କୁ ଆଉଟ କରି ରାଣା ବାଂଲାଦେଶକୁ ଡବଲ ଝଟକା ଦେଇଥିଲେ।
ଶେଷରେ ୧୬ ରନ୍ କରିଥିବା ରିତୁ ମୋନିଙ୍କ ୱିକେଟ ଝୁଲଣ ନେଇ ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବାଂଲାଦେଶ ମହିଳା ଟିମ୍ ୪୦.୩ ଓଭର୍ରେ ସମସ୍ତ ୱିକେଟ ହରାଇ ୧୧୯ ରନ କରିବାକୁ ସକ୍ଷମ ହୋଇଛି। ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିବା ୟାସ୍ତିକା ଭାଟିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଭାରତ ପକ୍ଷରୁ ରାଣା ୪ ୱିକେଟ ନେଇଥିବା ବେଳେ ଝୁଲଣ ଓ ପୂଜା ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଗାଏକ୍ୱାଡ ଓ ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।