ମ୍ୟାଚ୍ ଛଡ଼ାଇ ନେଇଥିଲେ ସାମ୍‌ କୁରାନ୍‌, କିନ୍ତୁ ସିରିଜ୍‌ ଜିତିଲା ଭାରତ

ପୁନେ: ଆଜି ଦେଖିବାକୁ ମିଳିଲାନି ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ। ଓପନର ଜେସନ ରୟ ଓ ଅଧିନାୟକ ଜୋସ୍‌ ବଟଲର୍‌ ବି ଫେଲ୍ ମାରିଲେ। କିନ୍ତୁ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ ସାମ୍ କୁରାନ୍‌। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାମ୍ ୯୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। କିନ୍ତୁ ଶେଷ ଓଭରରେ ମାର୍କ ଉଡ୍ ରନ୍‌ ଆଉଟ୍ ହୋଇଯିବା ପରେ ବଦଳି ଯାଇଥିଲା ମ୍ୟାଚ୍‌ର ମୋଡ଼। […]

Team India

Team India

Jitendra Garnayak
  • Published: Sunday, 28 March 2021
  • Updated: 29 March 2021, 11:02 AM IST

Sports

Latest News

ପୁନେ: ଆଜି ଦେଖିବାକୁ ମିଳିଲାନି ଜନ୍ନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ। ଓପନର ଜେସନ ରୟ ଓ ଅଧିନାୟକ ଜୋସ୍‌ ବଟଲର୍‌ ବି ଫେଲ୍ ମାରିଲେ। କିନ୍ତୁ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ ସାମ୍ କୁରାନ୍‌। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାମ୍ ୯୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। କିନ୍ତୁ ଶେଷ ଓଭରରେ ମାର୍କ ଉଡ୍ ରନ୍‌ ଆଉଟ୍ ହୋଇଯିବା ପରେ ବଦଳି ଯାଇଥିଲା ମ୍ୟାଚ୍‌ର ମୋଡ଼। ୭ ରନ୍‌ରେ ପରାସ୍ତ ହୋଇଥିଲା ଇଂଲଣ୍ଡ। ଆଉ ମ୍ୟାଚ୍ ଜିତିବା ସହିତ ୨-୧ରେ ଦିନିକିଆ ସିରିଜ୍‌ ହାତେଇଛି ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ।

କ’ଣ ହେଲା ଶେଷ ଓଭରରେ

ଶେଷ ଓଭରରେ ଇଂଲଣ୍ଡ ହାତରେ ବିଜୟ ପାଇଁ ଥିଲା ୧୪ ରନ୍‌। ହାତରେ ୨ଟି ୱିକେଟ୍ ବି ଥିଲା। ଷ୍ଟ୍ରାଇକର ଏଣ୍ଡରେ ଥିଲେ ସାମ୍ କୁରାନ। ବୋଲିଂ କରୁଥିଲେ ନଟରାଜନ। ନଟରାଜନଙ୍କ ବଲ୍‌କୁ ହିଟ୍ କରି ରନ୍ ନେଇଥିଲେ କୁରାନ। କିନ୍ତୁ ଦୁଇ ରନ୍ ନେବା ଚକ୍କରେ ରନ୍ ଆଉଟ୍ ହୋଇଯାଇଥିଲେ ମାର୍କ ଉଡ୍‌। ତା’ପରେ ବ୍ୟାଟିଂ କରିବାକୁ ଆସିଲେ ଟପ୍‌ଲୀ। ସେ ୧ ରନ୍ କରିବାକୁ ସମର୍ଥ ହୋଇଥିଲେ। ଷ୍ଟ୍ରାଇକ୍‌କୁ ଫେରିଥିଲେ କୁରାନ। ଶେଷ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌ରେ କିଛି ରନ୍ କରି ପାରି ନଥିଲେ କୁରାନ୍‌। ପଞ୍ଚମ ବଲ୍‌ରେ ସେ ଚୌକା ମାରିଥିଲେ। ଶେଷ ବଲ୍‌ରେ ବିଜୟ ପାଇଁ ୮ ରନ୍ ଦରକାର ହେଉଥିଲା। କୁରାନ ଶଟ୍‌ ମାରିଥିଲେ। କିନ୍ତୁ ରନ୍ ନେଇ ନଥିଲେ।  ଫଳରେ ଦଳ ୫୦ ଓଭରରେ ୩୨୨ ରନ୍‌ରେ ଅଟକି ଯାଇଥିଲା।

ପ୍ରଥମ ଓଭରରେ ଇଂଲଣ୍ଡକୁ ଲାଗିଥିଲା ଝଟକା

ଆଜି ଗୋଟିଏ ସମୟରେ ଟିମ୍‌ ଇଣ୍ଡିଆ ୪୦୦ ରନ୍‌ କଲା ଭଳି ଲାଗୁଥିଲା। ସେତେବେଳେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜ୍‌ରେ ଥିଲେ। ଦୁହେଁ ପୂରା ସେଟ୍ ହୋଇ ଇଂଲଣ୍ଡ ବୋଲରଙ୍କ ଧୂଲେଇ କରୁଥିଲେ। ହେଲେ ଶେଷରେ ଟିମ୍‌ ଇଣ୍ଡିଆ ୩୨୯ ରନ୍‌ରେ ଅଟକି ଯାଇଥିଲା। ଦଳ ୪୮.୨ ଓଭରରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

୩୩୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡକୁ ପ୍ରଥମ ଓଭରରେ ଲାଗିଥିଲା ପ୍ରଥମ ଝଟକା। ଏହି ଓଭରରେ ଜେସନ ରୟ ଆଉଟ୍ ହୋଇଥିଲେ। ୩ଟି ଚୌକା ସହିତ ୧୪ ରନ୍ ସଂଗ୍ରହ କରିଥିବା ଜେସନଙ୍କୁ ଭୁବନେଶ୍ୱର କୁମାର ବୋଲ୍ଡ କରି ଦେଇଥିଲେ।

ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ଜନ୍ନି ବେୟାରଷ୍ଟୋ ଆଜି ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଭୁବନେଶ୍ୱର କୁମାର ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ସେହିପରି ଗତ ମ୍ୟାଚ୍‌ରେ ବେୟାରଷ୍ଟୋଙ୍କ ସହ ଏକ ବଡ ପାର୍ଟନରଶିପ୍ କରିଥିବା ବେନ୍ ଷ୍ଟୋକ୍ସଙ୍କ ବ୍ୟାଟ୍ ଆଜି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ନଥିଲା। ୩୯ଟି ବଲ୍‌ରୁ ୩୪ ରନ୍ (୪ ଚୌକା, ୧ ଛକା) କରି ସେ ଆଉଟ୍ ହୋଇଯାଇଥିଲେ। ଟି. ନଟରାଜନଙ୍କ ବଲ୍‌ରେ ସେ ଶିଖର ଧୱନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଚତୁର୍ଥ ୱିକେଟ୍ ଭାବେ ଦଳ ଅଧିନାୟକ ଜୋସ୍ ବଟ୍‌ଲର୍‌ଙ୍କୁ ହରାଇଥିଲା। ସେ ମାତ୍ର ୧୫ ରନ୍ କରିବାକୁ ସମର୍ଥ ହୋଇଥିଲେ। ଶର୍ଦ୍ଦୁଲ ଠାକୁରଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଡାୱିଡ୍ ମଲାନ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ଙ୍କ ମଧ୍ୟରେ ଏକ ଭଲ ପାର୍ଟନରଶିପ୍ ହୋଇଆସୁଥିଲା। ଧୀରେ ଧୀରେ ସେମାନେ କ୍ରିଜ୍‌ରେ ଜମି ଆସୁଥିଲେ। କିନ୍ତୁ ୩୧ ବଲ୍‌ରୁ ୩୬ ରନ୍ କରି ଆଉଟ୍ ହୋଇଯାଇଥିଲେ ଲିଭିଙ୍ଗଷ୍ଟୋନ୍‌। ଶର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା ସେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ଡାୱିଡ୍ ମଲାନ୍ ଅର୍ଦ୍ଧଶତକ ହାସଲ କରିଥିଲେ। ୬ଟି ଚୌକା ମାରି ସେ ୫୦ ରନ୍‌ କରିଥିଲେ। କିନ୍ତୁ ଶର୍ଦ୍ଦୁଲ ଠାକୁରଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ମୋଇନ ଅଲି ୨୫ ବଲ୍‌ରୁ ୨୯ ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଦିଲ ରଶିଦ ୨୨ଟି ବଲ୍‌ରୁ ୧୯ ରନ୍ କରିଥିବା ବେଳେ ଶର୍ଦ୍ଦୁଲ ଠାକୁରଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

୪୯ ଓଭରର ପ୍ରଥମ ବଲ୍‌ରେ ମାର୍କ ଉଡ୍ ରନ୍ ଆଉଟ୍ ହୋଇଥିଲେ। ସେ ୧୪ ରନ୍ କରିଥିଲେ। ସାମ୍ କୁରାନ୍ ୮୩ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ଅପରାଜିତ ୯୫ ରନ୍ କରିଥିଲେ। ଟପ୍‌ଲୀ ଗୋଟିଏ ବଲ୍ ଖେଳି ୧ ରନ୍ କରିଥିଲେ।

ଭାରତ ପକ୍ଷରୁ ଶର୍ଦ୍ଦୁଲ ଠାକୁର ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ୩ଟି ୱିକେଟ୍ ନେଇଛନ୍ତି। ଟି ନଟରାଜନ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos