ଆଇପିଏଲର ପ୍ଲେଅଫ ଗଣିତ: ଆଗରେ ଦିଲ୍ଲୀ, ଚିନ୍ତାରେ ଆରସିବି

ମୁମ୍ବାଇ: ଚଳିତ ଆଇପିଏଲରେ ଏଯାଏ ୬୪ଟି ଲିଗ୍‌ ମ୍ୟାଚ୍‌ ଖେଳା ଯାଇ ସାରିଲାଣି। ତଥାପି ପ୍ଲେ ଅଫ କେଉଁ ୪ ଦଳ ଖେଳିବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗୁଜରାଟ ଏକମାତ୍ର ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ମୁମ୍ବାଇ ଓ ଚେନ୍ନାଇ ଏହି ରେସ୍‌ରୁ ବାଦ ପଡ଼ିଛନ୍ତି। ଟେକ୍ନିକାଲ ଦୃଷ୍ଟି କୋଣରୁ ୭ଟି ଦଳ ମଧ୍ୟରେ ୩ଟି ସ୍ଥାନକୁ ନେଇ ଚାଲିଛି ଟଣା ଓଟରା। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ୧୭ ରନ୍‌ରେ […]

IPL

Hemant Lenka
  • Published: Tuesday, 17 May 2022
  • , Updated: 17 May 2022, 05:28 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ଏଯାଏ ୬୪ଟି ଲିଗ୍‌ ମ୍ୟାଚ୍‌ ଖେଳା ଯାଇ ସାରିଲାଣି। ତଥାପି ପ୍ଲେ ଅଫ କେଉଁ ୪ ଦଳ ଖେଳିବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗୁଜରାଟ ଏକମାତ୍ର ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ମୁମ୍ବାଇ ଓ ଚେନ୍ନାଇ ଏହି ରେସ୍‌ରୁ ବାଦ ପଡ଼ିଛନ୍ତି।

ଟେକ୍ନିକାଲ ଦୃଷ୍ଟି କୋଣରୁ ୭ଟି ଦଳ ମଧ୍ୟରେ ୩ଟି ସ୍ଥାନକୁ ନେଇ ଚାଲିଛି ଟଣା ଓଟରା। ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ୧୭ ରନ୍‌ରେ ପଞ୍ଜାବ କିଙ୍ଗସକୁ ହରାଇବା ପରେ ପ୍ଲେ ଅଫକୁ ନେଇ ରୋମାଞ୍ଚ ଆହୁରି ବଢ଼ିଛି। ବିଜୟ ପରେ ଦିଲ୍ଲୀ ୪ର୍ଥ ସ୍ଥାନକୁ ଉଠିଥିବା ବେଳେ ଆରସିବି ୫ମ ସ୍ଥାନକୁ ଖସିଛି। ଉଭୟ ଦଳ ପାଖରେ ଆଉ ଗୋଟିଏ ଲେଖାଏ ମ୍ୟାଚ୍‌ ବାକି ରହିଛି। ଦିଲ୍ଲୀ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଓ ଆରସିବି ପ୍ରତିପକ୍ଷ ଗୁଜରାଟକୁ ଭେଟିବ।

ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଲକ୍ଷ୍ନୌ ଓ ରାଜସ୍ଥାନର ପଲ୍ଲା ସାମାନ୍ୟ ଭାରୀ ରହିଛି। କାରଣ ଉଭୟ ଦଳ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍‌ ବାକି ରହିଛି। ସେମାନଙ୍କ ପଏଣ୍ଟ ସଂଖ୍ୟା ମଧ୍ୟ ୧୬। ଦିଲ୍ଲୀ ଓ ଆରସିବି ସମାନ ୧୪ ଲେଖାଏ ପଏଣ୍ଟ ପାଇଛନ୍ତି। ହେଲେ ରନରେଟ ଦୃଷ୍ଟିକୋଣରୁ ଦିଲ୍ଲୀ ଆଗରେ ରହିଛି। ଦିଲ୍ଲୀର ନେଟ ରନରେଟ +୦.୨୫୫ ଥିବା ବେଳେ ଆରସିବି -୦.୩୨୩ରେ ରହିଛି।


କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ସାମାନ ୧୨ ପଏଣ୍ଟ ଲେଖାଏ ପାଇଛନ୍ତି। କୋଲକାତାର ନେଟ ରନରେଟ +୦.୧୬୦ ଓ ପଞ୍ଜାବର ରନରେଟ -୦.୦୬୩। ପ୍ଲେ ଅଫ ରେସ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟ ରହିଛି। ଦଳ ୧୦ ପଏଣ୍ଟ ପାଇଥିଲେ ମଧ୍ୟ ହାତରେ ୨ଟି ମ୍ୟାଚ ବାକି ରହିଛି। ତେଣୁ ଯୋଗ୍ୟତା ପାଇଁ ୧୪ ପଏଣ୍ଟକୁ ମାପକାଠି ଭାବେ ଧରା ଯାଏ, ତା’ହେଲେ ହାଇଦ୍ରାବାଦର ପାଖରେ ମଧ୍ୟ ଟପ୍‌ ୪ରେ ରହିବାର ସୁଯୋଗ ରହିଛି।

କିଏ କେମିତି ଯୋଗ୍ୟତା ଅର୍ଜନ କରିବ?

ରାଜସ୍ଥାନ ରୟାଲ୍ସ

୧-ରାଜସ୍ଥାନ ରୟାଲ୍ସ ତା’ର ଶେଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ଦଳକୁ କେବଳ ବଡ଼ ବ୍ୟବଧାନ ପରାସ୍ତ ଆଶଙ୍କାକୁ ଅଟକାଇବାକୁ ପଡ଼ିବ। ଏପରି ହେଲେ ରାଜସ୍ଥାନ ବେଶ ଆରାମରେ ପ୍ଲେ ଅଫ ଖେଳିପାରିବ। କାରଣ ଦଳର ରନରେଟ +୦.୩୦୪ ରହିଛି। ଯଦି ରାଜସ୍ଥାନ ବୃହତ ବ୍ୟବଧାନରେ ଚେନ୍ନାଇ ଠାରୁ ହାରୁଛି ଏବଂ ଲକ୍ଷ୍ନୌ, ଦିଲ୍ଲୀ ଓ ଆରସିବି ନିଜ ନିଜର ଶେଷ ମ୍ୟାଚ୍‌ ଜିତୁଛନ୍ତି, ତା’ହେଲେ ସଞ୍ଜୁ ସାମସନଙ୍କ ଟିମ୍‌ ପ୍ଲେ ଅଫ ଖେଳିପାରିବ ନାହିଁ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

୨-ଶେଷ ମ୍ୟାଚ୍‌ରେ ଲକ୍ଷ୍ନୌ ମେ’ ୧୮ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ। ଦଳ ଏହି ମ୍ୟାଚ୍‌ ଜିତିଲେ ଟପ୍‌ ୨ରେ ରହିପାରିବ। ତେବେ ଯଦି ଲକ୍ଷ୍ନୌ ବୃହତ ବ୍ୟବଧାନରେ ହାରିବ ଓ ଦିଲ୍ଲୀ, ଆରସିବି ଓ ରାଜସ୍ଥାନ ସେମାନଙ୍କ ମ୍ୟାଚ୍‌ ଜିତିବେ, ତା’ହେଲେ କେଏଲ ରାହୁଲଙ୍କ ଦହ ଟପ୍‌ ୪ରୁ ବାଦ ପଡ଼ିବ।

ଦିଲ୍ଲୀ କ୍ୟାପିଟାଲ୍ସ

୩- ଦିଲ୍ଲୀ କ୍ୟାପିଟାଲ୍ସର ରନରେଟ୍‌ ଭଲ ରହିଛି। ତେଣୁ ପରବର୍ତ୍ତୀ ମ୍ୟାଚ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ମାତ୍ରେ ଟପ୍‌ ୪ରେ ନିଜର ସ୍ଥାନ ସୁରକ୍ଷିତ କରିନେବ। ଯଦି ଦଳ ହାରିବ, ତା’ହେଲେ ଆରସିବି ଉପରେ ଦଳର ଭାଗ୍ୟ ଝୁଲିବ। ଆରସିବି ହାରିଲେ ହିଁ ଦିଲ୍ଲୀ ପ୍ଲେ ଅଫକୁ ଯାଇ ପାରିବ।

କୋଲକାତା ନାଇଟ ରାଇଡର୍ସ

୪-ଲକ୍ଷ୍ନୌ ବିପକ୍ଷରେ କୋଲକାତାକୁ ଯେମିତି ହେଲେ ଜିତିବାକୁ ପଡ଼ିବ। ମ୍ୟାଚ୍‌ ଜିତିଲେ ହିଁ ଦଳ ନିଜକୁ ପ୍ଲେ ଅଫ ଦୌଡ଼ରେ ରଖିପାରିବ। ଯଦି କେକେଆର ହାରିବ, ତା’ହେଲେ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ। ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ ଦଳର ଫଳାଫଳ ଉପରେ କୋଲକାତାର ଭାଗ୍ୟ ନିର୍ଭର କରିବ। କୋଲକାତାକୁ ପ୍ଲେ ଅଫ ଯିବାକୁ ହେଲେ ଦିଲ୍ଲୀ, ଆରସିବି, ପଞ୍ଜାବ ଓ ହାଇଦ୍ରାବାଦକୁ ସେମାନଙ୍କ ମ୍ୟାଚ୍‌ ଗୁଡ଼ିକ ହାରିବାକୁ ପଡ଼ିବ।

ପଞ୍ଜାବ କିଙ୍ଗସ

୫- ପଞ୍ଜାବ ତା’ର ଶେଷ ମ୍ୟାଚ୍‌ ହାଇଦ୍ରାବାଦ ସହ ଖେଳିବ। ଏହି ମ୍ୟାଚ୍‌ରେ ପଞ୍ଜାବ ବୃହତ ବ୍ୟବଧାନରେ ହାଇଦ୍ରାବାଦକୁ ହରାଇବାକୁ ପଡ଼ିବ। ଏଥିସହ କୋଲକାତା, ଆରସିବି ଓ ଦିଲ୍ଲୀ ସେମାନଙ୍କ ଶେଷ ମ୍ୟାଚ୍‌ ହାରିଲେ ଦଳ ପ୍ଲେ ଅଫକୁ ଯାଇ ପାରିବ।

ସନ ରାଇଜର୍ସ ହାଇଦ୍ରାବାଦ 

୬- ହାଇଦ୍ରାବାଦ ପାଖରେ ଦୁଇଟି ମ୍ୟାଚ୍‌ ରହିଛି। ପ୍ରଥମେ ଦଳକୁ ଏହି ଦୁଇଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଆଜି ହାଇଦ୍ରାବାଦ ପ୍ରତିପକ୍ଷ ମୁମ୍ବାଇକୁ ଭେଟିବ। ଆଜି ମ୍ୟାଚ୍‌ ହାରିଲେ ଦଳର ପ୍ଲେ ଅଫ ଖେଳିବା ସ୍ୱପ୍ନ ଅଧା ରହିଯିବ। ସେହିପରି ୨୨ ତାରିଖରେ ହାଇଦ୍ରାବାଦ ଓ ପଞ୍ଜାବ ମୁହାଁମୁହିଁ ହେବେ। ଏହି ଦୁଇଟି ଯାକ ମ୍ୟାଚ୍‌କୁ ହାଇଦ୍ରାବାଦ ପ୍ରଥମେ ବୃହତ ବ୍ୟବଧାନରେ ଜିତିବ। ଏହାପରେ ଦିଲ୍ଲୀ, କୋଲକାତା ଓ ଆରିସିବି ହାରିଲେ ହିଁ ହାଇଦ୍ରାବାଦ ପ୍ଲେ ଅଫକୁ ଯାଇ ପାରିବ।

Related story