ବିରାଟଙ୍କ ପରେ ବଟଲର କଲେ ଏମିତି ରେକର୍ଡ

ମୁମ୍ବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଜୋଶ ବଟଲର ଶୁକ୍ରବାର ତୃତୀୟ ଶତକ ହାସଲ କରିଛନ୍ତି। ଦିଲ୍ଲୀ ବିପକ୍ଷରେ ସେ ୬୫ ବଲରେ ୧୧୬ ରନର ଇନିଂସ ଖେଳି ରାଜସ୍ଥାନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ଆଇପିଏଲରେ ଅରେଞ୍ଜ କ୍ୟାପ ନିଜ ପାଖରେ ରଖିଥିବା ବଟଲର ୫୭ ବଲ୍‌ରେ ନିଜର ଶତକ ହାସଲ କରିଥିଲେ। ବଟଲରଙ୍କ ୧୧୬ ଓ ଦେବଦତ୍ତ ପାଡିକ୍କଲଙ୍କ ୫୪ ରନ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୨ ୱିକେଟ ହରାଇ ୨୨୨ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୮ ୱିକେଟ ହରାଇ ୨୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷରେ ମଧ୍ୟ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ବଟଲର ଚଳିତ ସିଜିନରେ ତୃତୀୟ ଶତକ ହାସଲ କରି ବିରାଟ କୋହଲିଙ୍କ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। ବିରାଟଙ୍କ ପରେ ବଟବଲ ଦ୍ୱିତୀୟ କ୍ରିକେଟ ଭାବେ ଗୋଟିଏ ଆଇପିଏଲ ସିଜିନରେ ୩ କିମ୍ବା ତା’ର ଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୦୧୬ରେ ବିରାଟ କୋହଲି ଆଇପିଏଲର ଗୋଟିଏ ସିଜିନରେ ୯୭୩ ରନ୍ କରିଥିଲେ।

୧୬ଟି ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟିଂ ହାର ୮୧.୦୮ ରହିଥିଲା। ଏହି ସିଜିନରେ ସେ ୪ଟି ଶତକ ହାସଲ କରିଥିଲେ। ଏଯାଏ କୌଣସି ବ୍ୟାଟର ତାଙ୍କ ରେକର୍ଡ ଭାଙ୍ଗି ନାହାନ୍ତି। କିନ୍ତୁ ଚଳିତ ବର୍ଷ ବଟଲରଙ୍କ ଫର୍ମକୁ ଦେଖିଥିଲେ ସେ ବିରାଟଙ୍କ ପଛରେ ପକାଇ ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ବଟଲର ଚଳିତ ସିଜନରେ ୭ଟି ମ୍ୟାଚ୍ ଖେଳି ୪୯୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଶତକ ରହିଛି। ଦିଲ୍ଲୀ ପୂର୍ବରୁ ବଟଲର ଚଳିତ ସିଜିନରେ କୋଲକାତା ଓ ମୁମ୍ବାଇ ବିପକ୍ଷରେ ମଧ୍ୟ ଶତକ ହାସଲ କରିଥିଲେ। ସେହିପରି ବଟଲର ତାଙ୍କ ଆଇପିଏଲ କ୍ୟାରିୟର୍‌ରେ ମୋଟ ୪ଟି ଶତକ ହାସଲ କରିଛନ୍ତି।

ଏହାବାଦ ବଟଲର ଚଳିତ ବର୍ଷ ପଞ୍ଜାବ ପାଇଁ ଖେଳୁଥିବା ଶିଖର ଧୱନଙ୍କ ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି। ଶିଖର ଧୱନ ଦିଲ୍ଲୀ ପକ୍ଷରୁ ଖେଳିବା ବେଳେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିଥିଲେ। ଏବେ ବଟଲର ମଧ୍ୟ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିଛନ୍ତି। ଗତ ମ୍ୟାଚ୍‌ରେ ସେ କୋଲକାତା ବିପକ୍ଷରେ ଶତକ ହାସଲ କରିଥିଲେ। ଶୁକ୍ରବାର ମ୍ୟାଚ୍‌ରେ ସେ ଦିଲ୍ଲୀ ବିପକ୍ଷରେ ସେଞ୍ଚୁରୀ ମାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।