ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ସମସ୍ୟା ଶେଷ ହେବାର ନାଁ ନେଉ ନାହିଁ। ଭାରତର ଆଉ ଜଣେ ଖେଳାଳି ନଟ୍ଟିଂହାମ୍ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ପ୍ରାକ୍ଟିସ୍ ସେସନରେ ଆଘାତପ୍ରାପ୍ତ ହୋଇଛନ୍ତି। ପେସ୍ ବୋଲର ମହମ୍ମଦ ସିରାଜଙ୍କ ବାଉନ୍ସର ସିଧା ମୟଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ମୟଙ୍କଙ୍କୁ ବାହାରକୁ ନିଆଯାଇଥିଲା। ମୟଙ୍କଙ୍କ ଆହତ ଗୁରୁତର ଥିବାରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।
ବିସିସିଆଇ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କଙ୍କୁ ବ୍ୟାଟିଂ ପ୍ରାକ୍ଟିସ୍ ବେଳେ ଆଘାତ ଲାଗିଥିଲା। ମୟଙ୍କଙ୍କ ମୁଣ୍ଡରେ ବଲ୍ ବାଜିଛି। ବିସିସିଆଇର ମେଡିକାଲ୍ ଟିମ୍ ମୟଙ୍କଙ୍କର ଯାଞ୍ଚ କରୁଛି ଏବଂ ତାଙ୍କର କନକସନ୍ ଟେଷ୍ଟ ମଧ୍ୟ ହୋଇଛି। ତାଙ୍କ ଭିତରେ କନକସନ୍ ଲକ୍ଷଣ ଦେଖା ଦେଇଛି, ଯାହା ପରେ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତେବେ ମୟଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ମେଡିକାଲ୍ ଟିମ୍ ତାଙ୍କ ଉପରେ ନଜର୍ ରଖିଛି।
https://twitter.com/BCCI/status/1422182862883889153?s=20
ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୪ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। କିନ୍ତୁ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତର ୪ଜଣ ଖେଳାଳି ଆହତ ହୋଇଛନ୍ତି। ଶୁବମନ୍ ଗିଲ୍, ୱାଶିଂଟନ୍ ସୁନ୍ଦର ଓ ଆଭେଶ୍ ଖାନ୍ ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଏବେ ମୟଙ୍କ ମଧ୍ୟ ଆହତ ଯୋଗୁ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ।
ଶୁବମନ୍ ଗିଲ୍ ଓ ସୁନ୍ଦରଙ୍କ ସ୍ଥାନରେ ପୃଥ୍ୱୀ ଶ' ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ପାଇଁ ଡାକରା ମିଳିଛି। ଦୁହେଁ ଇଂଲଣ୍ଡ ଗସ୍ତ କରିବେ ଏବଂ ତୃତୀୟ ଟେଷ୍ଟରୁ ହିଁ ଟିମ୍ ପାଇଁ ଉପଲବ୍ଧ ହେବେ। ଏବେ ମୟଙ୍କଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କ ସହ କିଏ ଇନିଂସ୍ ଓପନ୍ କରିବ, ତାହା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ମୟଙ୍କ ହେଉଛନ୍ତି ସ୍ପେଶାଲିଷ୍ଟ ଓପ୍ନର। ମୟଙ୍କ ସ୍ଥାନରେ ଲୋକେଶ ରାହୁଲ୍ କିମ୍ବା ହନୁମା ବିହାରୀ ଓପନ୍ କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।