ଶେଷ ଯାଏ ଲଢ଼ିଲେ ବ୍ରେସୱେଲ, ମାତ୍ର ୧୨ ରନରେ ଜିତିଲା ଭାରତ

ହାଇଦ୍ରାବାଦ: ଶେଷ ଯାଏ ନ୍ୟୁଜିଲ୍ୟାଣ୍ଡ ପାଇଁ ମାଇକେଲ ବ୍ରେସୱେଲ ଲଢ଼େଇ କରିଥିଲେ ହେଁ ମ୍ୟାଚରେ ବାଜି ମାରି ନେଇଛି ଟିମ ଇଣ୍ଡିଆ। ବ୍ରେସୱେଲ ୭୮ ବଲରେ ବିସ୍ଫୋରକ ୧୪୦ ରନର ଇନିଂସ ଖେଳିବା ସହ ଭାରତ ହାତରୁ ଏକଦା ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷ ଓଭରେ ଶାର୍ଦ୍ଦୁଲ ଠାକୁର ତାଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି। ଭାରତ ଦେଇଥିବା ୩୫୦ ରନର ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ […]

shardul

  • Published: Wednesday, 18 January 2023
  • , Updated: 18 January 2023, 10:10 PM IST

ହାଇଦ୍ରାବାଦ: ଶେଷ ଯାଏ ନ୍ୟୁଜିଲ୍ୟାଣ୍ଡ ପାଇଁ ମାଇକେଲ ବ୍ରେସୱେଲ ଲଢ଼େଇ କରିଥିଲେ ହେଁ ମ୍ୟାଚରେ ବାଜି ମାରି ନେଇଛି ଟିମ ଇଣ୍ଡିଆ। ବ୍ରେସୱେଲ ୭୮ ବଲରେ ବିସ୍ଫୋରକ ୧୪୦ ରନର ଇନିଂସ ଖେଳିବା ସହ ଭାରତ ହାତରୁ ଏକଦା ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଶେଷ ଓଭରେ ଶାର୍ଦ୍ଦୁଲ ଠାକୁର ତାଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି। ଭାରତ ଦେଇଥିବା ୩୫୦ ରନର ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ୪୯.୨ ଓଭରରେ ସମସ୍ତ ୱିକେଟ ହରାଇ ୩୩୭ ରନ କରିପାରିଛି। ଫଳରେ ଭାରତ ୧୨ ରନରେ ମ୍ୟାଚ୍‌କୁ ଜିତି ନେଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଶୁବମନ ଗିଲ୍‌ଙ୍କ ବିସ୍ଫୋରକ ୨୦୮ ରନର ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା। ୩୫୦ ରନ ଟାର୍ଗେଟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଡେଭୋନ କନୱେ(୧୦)ଙ୍କୁ ମହମ୍ମଦ ସିରାଜ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଝଟକା ଦେଇଥିଲା। ଏହାପରେ ଫିନ ଆଲେନ ୪୦ ରନ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ହେନରୀ ନିକୋଲସ ୧୮, ଡାରେଲ ମିଚେଲ ୯, ଅଧିନାୟକ ଟମ ଲାଥମ ୨୪ ଓ ଗ୍ଲେନ ଫିଲିପ୍ସ ୧୧ ଆଉଟ ହୋଇଥିଲେ। ଦଳ ୧୩୧ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଲାଗୁଥିଲା ନ୍ୟୁଜିଲ୍ୟାଣ୍ଡ ୨୦୦ ରନ କରିପାରିବ ନାହିଁ। ହେଲେ ବ୍ରେସୱେଲ ଓ ସାଣ୍ଟନର ଦମଦାର ବ୍ୟାଟିଂ କରିଥିଲେ। ବିଶେଷ କରି ବ୍ରେସୱେଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। କୁଲଦୀପ ଯାଦବଙ୍କ ଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମିଙ୍କ ଯାଏ କେହି ବି ତାଙ୍କୁ ଅଟକାଇ ପାରି ନଥିଲେ।

ସେ ମାତ୍ର ୫୭ଟି ବଲରେ ଶତକ ହାସଲ କରି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର କମବ୍ୟାକ କରାଇଥିଲେ। ସାଣ୍ଟନର ମଧ୍ୟ ୫୭ ରନର ଇନିଂସ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ବିଜୟ ଆଡ଼କୁ ଯାଉଥିବା ବେଳେ ମହମ୍ମଦ ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଗୋଟିଏ ଓଭରରେ ସାଣ୍ଟର ଓ ହେନରୀ ଶିପଲେ(୦)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତଥାପି ବ୍ରେସୱେଲ କ୍ରିଜରେ ଥିବାରୁ ମ୍ୟାଚ୍‌ର ମୋଡ଼ ବଦଳିବାର ଆଶଙ୍କା ରହିଥିଲା।

ସେ ପ୍ରଥମେ ହାର୍ଦ୍ଦିକଙ୍କ ଓଭରରୁ ୧୫ ରନ ଆଦାୟ କରିଥିଲେ। ଏହାପରେ ୪୮ତମ ଓଭରରେ ବୋଲିଂ କରୁଥିବା ଶାମିଙ୍କୁ ଦୁଇଟି ଛକା ମାରି ୧୭ ରନ ହାସଲ କରିଥିଲେ। ଶେଷ ଦୁଇ ଓଭରରେ ଦଳକୁ ଜିତିବାକୁ ୨୪ ରନ ଦରକାର ଥିଲା। ୪୯ତମ ଓଭର ବୋଲିଂ କରୁଥିବା ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ମାତ୍ର ୪ ରନ ଦେଇଥିଲେ। ଏଥିସହ ଲକି ଫର୍ଗୁସନ(୮)ଙ୍କ ୱିକେଟ ନେଇଥିଲେ। ଶେଷ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୨୦ ରନ ଦରକାର ଥିଲା। ଶାର୍ଦ୍ଦୁଲ ଠାକୁରଙ୍କ ପ୍ରଥମ ବଲକୁ ୬ ମାରି ବ୍ରେସୱେଲ ଆହୁରି ରୋମାଞ୍ଚ ସୃଷ୍ଟି କରିଥିଲେ।

ଏହାର ପରବର୍ତ୍ତୀ ବଲ ୱାଇଡ୍ ହୋଇଥିଲା। ୫ ବଲରେ ୧୩ ରନ ଦରକାର ଥିବା ବେଳେ ଶାର୍ଦ୍ଦୁଲ ଚମତ୍କାର ୟର୍କର ପକାଇଥିଲେ। ଏହାକୁ ବ୍ରେସୱେଲ ଫ୍ଲିକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବ୍ୟାଟରେ ବାଜି ନଥିଲା। ଫଳରେ ସେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ତାଙ୍କ ୱିକେଟ ସହ ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ବ୍ରେସୱେଲ ତାଙ୍କ ୧୪୦ ରନର ଇନିଂସରେ ୧୦ଟି ଛକା ଓ ୧୨ଟି ଚୌକା ମାରିଛନ୍ତି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ କୁଲଦୀପ ଓ ଶାର୍ଦ୍ଦୁଲ ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାମି ଓ ହାର୍ଦ୍ଦିକ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

Related story