ଭାରତ ବିପକ୍ଷ ଫାଇନାଲ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଘୋଷିତ

ସାଉଥାମ୍ପଟନ୍: ଜୁନ୍ ୧୮ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ୧୫ ଜଣିଆ ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ ସମସ୍ୟାରୁ ଫେରିଥିବା କେନ୍ ୱିଲିୟମସନ୍ ଟିମର ନେତୃତ୍ୱ ନେବେ। ୱିଲିୟମସନ୍ କହୁଣୀରେ ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଟମ୍ ଲାଥନ ଟିମର ନେତୃତ୍ୱ ନେଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ୮ ୱିକେଟରେ ଜିତାଇ ସିରିଜ୍ ନିଜ ନାଁରେ କରିଥିଲା। ଅଣ୍ଟାରେ ଯନ୍ତ୍ରଣା […]

nz

Ranjit Kumar Jena
  • Published: Tuesday, 15 June 2021
  • , Updated: 15 June 2021, 04:38 PM IST

ସାଉଥାମ୍ପଟନ୍: ଜୁନ୍ ୧୮ ତାରିଖରୁ ଭାରତ ବିପକ୍ଷ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ପାଇଁ ୧୫ ଜଣିଆ ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ ସମସ୍ୟାରୁ ଫେରିଥିବା କେନ୍ ୱିଲିୟମସନ୍ ଟିମର ନେତୃତ୍ୱ ନେବେ। ୱିଲିୟମସନ୍ କହୁଣୀରେ ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଟମ୍ ଲାଥନ ଟିମର ନେତୃତ୍ୱ ନେଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ୮ ୱିକେଟରେ ଜିତାଇ ସିରିଜ୍ ନିଜ ନାଁରେ କରିଥିଲା। ଅଣ୍ଟାରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିବା ବିଜେ ୱାଟଲିଙ୍ଗ୍ ମଧ୍ୟ ଟିମରେ ସ୍ଥାନ ପାଇଛନ୍ତି ।

ଫାଇନାଲ ମୁକାବିଲା ପାଇଁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଏଠାରେ ପହଞ୍ଚିବା ପରେ ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ ସାମ୍ବାଦିକଙ୍କୁ କହିଛନ୍ତି, କେନ୍ ଓ ବିଜେଙ୍କୁ ଏକ ସପ୍ତାହର ବିଶ୍ରାମ ମିଳିବା ଦ୍ୱାରା ଫାଇଦା ହୋଇଛି ଏବଂ ଦୁହେଁ ଫିଟ୍ ହେବା ସହ ଫାଇନାଲ୍ ପାଇଁ ଉପଲବ୍ଧ ହେବେ। ବିଶ୍ୱ ଚାମ୍ପିୟନଶିପ ଫାଇନାଲ୍ ଖେଳିବା ଏକ ବିଶେଷ ମୁହୂର୍ତ୍ତ ଏବଂ ସବୁ ଖେଳାଳି ଏହି ମ୍ୟାଚ୍ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରି ରହିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ ସତ୍ତ୍ୱେ ଭାରତର ସାମ୍ନା କରିବା ଆମ ପାଇଁ କଠିନ ଚ୍ୟାଲେଞ୍ଜ ହେବ।

ଷ୍ଟିଡ୍ କହିଛନ୍ତି, ଭାରତୀୟ ଟିମ୍ ବିଶ୍ୱ ସ୍ତରୀୟ ଏବଂ ସେମାନଙ୍କ ପାଇଁ ଅନେକ ମ୍ୟାଚ୍ ୱିନର୍ ଅଛନ୍ତି। ସେମାନଙ୍କୁ ହରାଇବା ଆମ ପାଇଁ କଠିନ ହେବ। ତେଣୁ ଭାରତ ବିପକ୍ଷରେ ଆମକୁ ବିଶେଷ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଷ୍ଟିଡ୍ କହିଛନ୍ତି ।

ନ୍ୟୁଜିଲ୍ୟାଣ୍ଡ୍ ତା’ର ସ୍କ୍ୱାଡରେ ୩୨ ବର୍ଷୀୟ ଏଜାଜ ପଟେଲଙ୍କ ଏକମାତ୍ର ସ୍ପିନର ଭାବେ ସ୍ଥାନ ଦେଇଛି। ତାଙ୍କ ସହ ଅଲରାଉଣ୍ଡର କଲିନ୍ ଡି’ ଗ୍ରାଣ୍ଡହୋମଙ୍କୁ ମଧ୍ୟ ସାମିଲ୍ କରାଯାଇଛି। ଇଂଲଣ୍ଡ ବିପକ୍ଷ ୨୦ ଜଣିଆ ଦଳରୁ ୫ ଜଣଙ୍କୁ ବାହାର ରଖାଯାଇଛି । ସେମାନେ ହେଲେ ଡଗ୍ ବ୍ରେସୱେଲ୍, ଜ୍ୟାକବ୍ ଡଫି, ଡାରିଏଲ୍ ମିଚେଲ୍‌, ରଚିନ୍ ରବୀନ୍ଦ୍ର ଓ ମିଚେଲ୍ ସାଣ୍ଟନର୍।

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ୍: କେନ୍ ୱିଲିୟମସନ୍ (କ୍ୟାପଟେନ୍), ଟମ୍ ବ୍ଲଣ୍ଡେଲ୍, ଟ୍ରେଣ୍ଟ ବୋଲ୍ଟ, ଡେଭନ୍ କନୱେ, କଲିନ୍ ଡି’ ଗ୍ରାଣ୍ଡହୋମ୍, ମ୍ୟାଟ୍ ହେନରୀ, କାଇଲ୍ ଜେମିସନ୍, ଟମ୍ ଲାଥମ, ହେନରୀ ନିକୋଲ୍ସ, ଏଜାଜ ପଟେଲ, ଟିମ୍ ସାଉଦୀ, ରସ୍ ଟେଲ୍, ନିଲ୍ ୱାଗନର୍, ବିଜେ ୱାଟଲିଙ୍ଗ୍, ୱିଲ୍ ୟଙ୍ଗ୍।

Related story