ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମ ଟି-୨୦ ଭଳି ଗୌହାଟୀରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚକୁ ଭାରତ ଜିତି ନେଇଛି। ଏଥିସହ ଟିମ ଇଣ୍ଡିଆ ୩ଟିକିଆ ସିରିଜକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ଜିତି ନେଇଛି। ଦ୍ୱିତୀୟ ଟି-୨୦ରେ ଭାରତ ବିଶାଳ ୨୩୬ ରନ କରିଥିଲେ ମଧ୍ୟ ୧୬ ରନରେ ମ୍ୟାଚ୍ ଜିତିଥିବା ବୋଲିଂ ବାହିନୀର ଦୁର୍ବଳତାକୁ ପଦାରେ ପକାଇଛି।
ତଥାପି ଭାରତ ମ୍ୟାଚ୍ ଜିତି ଦୀର୍ଘ ବର୍ଷ ଧରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଲଜ୍ଜାଜନକ ରେକର୍ଡକୁ ମାତ ଦେବାରେ ସକ୍ଷମ ହୋଇଛି। ଆଜି ଯାଏ ଭାରତର କୌଣସି ଅଧିନାୟକ ଘରୋଇ ମାଟିରେ ଯାହା କରିପାରି ନଥିଲେ, ରବିବାର ତାହା ରୋହିତ ଶର୍ମା କରି ଦେଖାଇଛନ୍ତି। ଏଥିସହ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିବା ପରେ ଏକାଧିକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି।
ଘରାଇ ମାଟିରେ ଟିମ ଇଣ୍ଡିଆର ରେକର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଦୌ ଭଲ ନଥିଲା। ଟି-୨୦ରେ ଟିମ ଇଣ୍ଡିଆ କେବେ ହେଲେ ଭାରତ ମାଟିରେ ଦକ୍ଷିଣ ଆଫ୍ରିକାକୁ ହରାଇନଥିଲା। ଶେଷ ୩ ଟି-୨୦ ସିରିଜ କଥା ଦେଖିଲେ, ଭାରତ ଗୋଟିଏରେ ହାରିଥିଲା ଓ ୨ଟି ସିରିଜ୍ ଡ୍ର ରହିଥିଲା। ହେଲେ ରବିବାର ଭାରତ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ କୌଣସି ଟି-୨୦ରେ ସିରିଜରେ ହରାଇବାକୁ ସକ୍ଷମ ହୋଇଛି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଏହି ରେକର୍ଡ କରିଛି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ବିଜୟ
ରୋହିତ ଶର୍ମା ପ୍ରଥମ ଭାରତୀୟ ଅଧିନାୟକ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଚଳିତ ବର୍ଷ ରୋହିତଙ୍କ ନେତୃତ୍ୱରେ ଭାରତ ୧୭ଟି ଟି-୨୦ ମ୍ୟାଚ୍ ଜିତି ସାରିଲାଣି। ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଏହି ରେକର୍ଡ ଥିଲା। ସେ ୨୦୧୬ରେ ସର୍ବାଧିକ ୧୫ଟି ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଥିଲେ। କିନ୍ତୁ ଏବେ ରୋହିତ ଶର୍ମା ତାଙ୍କ ଠାରୁ ଅଧିକ ଦୁଇଟି ମ୍ୟାଚ୍ ଜିତି ସାରିଲେଣି।
୪୦୦ ଟି-୨୦ ମ୍ୟାଚ୍ ଖେଳିବାର ରେକର୍ଡ
ରୋହିତ ଶର୍ମା ବିଶ୍ୱର ୯ମ କ୍ରିକେଟର ଭାବେ ୪୦୦ ଟି-୨୦ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ସେ ମୈଦାନକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ୪୦୦ ବା ତା’ଠାରୁ ଅଧିକ ମ୍ୟାଚ ଖେଳିଥିବା ତାଲିକାର ୧ନଂ ସ୍ଥାନରେ କାଏରନ ପୋଲାର୍ଡ(୬୧୪) ଓ ଦ୍ୱିତୀୟରେ ଡ୍ୱେନ ବ୍ରାଭୋ(୫୫୬) ରହିଛନ୍ତି।
ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଟ କ୍ରିକେଟରଙ୍କ ମଧ୍ୟରୁ ରୋହିତ ଶର୍ମା ହେଉଛନ୍ତି ଅନ୍ୟତମ। ସେ ଭାରତ ପାଇଁ ୧୪୧ ଟି-୨- ମ୍ୟାଚ ଖେଳି ସାରିଲେଣି। ସେହିପରି ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୯୧ ମ୍ୟାଚ୍ ଖେଳିଥିବା ବେଳେ ଡେକାନ ଚାରର୍ଜସ ପାଇଁ ୪୭ଟି ମ୍ୟାଚ୍ ଖେଳିଛନ୍ତି। ହିଟମ୍ୟାନ ଭାବେ ଜଣାଶୁଣା ରୋହିତ ଘରୋଇ ଟିମ୍ ମୁମ୍ବାଇ ପାଇଁ ୧୭ଟି ମ୍ୟାଚ ଓ ଭାରତ ଏ’ ପାଇଁ ମଧ୍ୟ ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।