ନୂଆଦିଲ୍ଲୀ: ଭାରତର ସିନିୟର ସ୍କ୍ୱାଡରେ ସାମିଲ ହୋଇ ଏକାଧିକ ମ୍ୟାଚ୍ ଖେଳି ସାରିଥିବା ଶେଫାଳି ବର୍ମା ଏବେ ଅଣ୍ଡର ୧୯ ମହିଳା ବିଶ୍ୱକପରେ ଟିମ୍ର ନେତୃତ୍ୱ ନେବେ। ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଅଣ୍ଡର ୧୯ ଟି-୨୦ ମହିଳା ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପରେ ଭାରତୀୟ ଅଣ୍ଡର ୧୯ ଟିମ ଶେଫାଳି ବର୍ମାଙ୍କ କ୍ୟାପ୍ଟେନ୍ସିରେ ଖେଳିବ। ଶେଫାଳି ସିନିୟର ଟିମ ସହ ଖେଳୁଥିବାରୁ ଅଣ୍ତର ୧୯ ବିଶ୍ୱକପରେ ଏହା ଭାରତୀୟ ମହିଳା ଦଳକୁ ନିଶ୍ଚିତ ଭାବେ ଫାଇଦା ଦେବ ବୋଲି ଆଶା କରାଯାଉଛି। ଶେଫାଳି ବର୍ମାଙ୍କ ବ୍ୟତୀତ ସିନିୟର ଟିମ ସହ ଖେଳିଥିବା ରିଚା ଘୋଷଙ୍କ ନାଁ ମଧ୍ୟ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛି।
ସୋମବାର ଅଲଇଣ୍ଡିଆ ୱେମନ ସିଲେକସନ କମିଟି ଭାରତର ଅଣ୍ଡ ୧୯ ମହିଳା ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିପାକ୍ଷିକ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ସ୍କ୍ୱାଡରେ ଶେଫାଳିଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଥିବା ବେଳେ ଶ୍ୱେତା ଶେରାୱତ ଉପ ଅଧିନାୟକ ହୋଇଛନ୍ତି। ରିଚା ଘୋଷ ଉଭୟ ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ୱିକେଟ କିପର ଦାୟିତ୍ୱରେ ରହିବେ।
ପ୍ରଥମଥର ପାଇଁ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ ୧୬ଟି ଟିମ ଭାଗ ନେବେ। ଜାନୁଆରୀ ୧୪ରୁ ୨୯ ତାରିଖ ଯାଏ ଦକ୍ଷିଣ ଆଫ୍ରିକାରେ ଟି-୨୦ ବିଶ୍ୱକପ ଖେଳାଯିବ। ଭାରତୀୟ ମହିଳା ଟିମ ଗ୍ରୁପ ଡି’ରେ ରହିଛି। ଏହି ଗ୍ରୁପରେ ଭାରତ ବ୍ୟତୀତ ଆୟୋଜକ ଦକ୍ଷିଣ ଆଫ୍ରିକା, ୟୁଏଇ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି।
ପ୍ରତି ଗ୍ରୁପରୁ ଟପ ୩ଟି ଲେଖାଏ ଦଳ ସୁପର ସିକ୍ସକୁ ଯିବେ। ସେଠାରେ ୬ଟି ଲେଖାଏ ଦଳକୁ ନେଇ ୨ଟି ଗ୍ରୁପ ତିଆରି ହେବ। ପ୍ରତି ଗ୍ରୁପରୁ ଟପ୍ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଯିବେ। ୨୭ ତାରିଖରେ ୨ଟି ଯାକ ସେମି ଫାଇନାଲ ଓ ୨୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।
ବିଶ୍ୱକପ ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିସେମ୍ବର ୨୭, ୨୯, ୩୧, ଜାନୁଆରୀ ୨ ଓ ୪ରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ।
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସ୍କ୍ୱାଡ: ଶେଫାଳି ବର୍ମା(ଅଧିନାୟକ), ଶ୍ୱେତା ଶେରାୱତ(ଉପ ଅଧିନାୟକ), ରିଚା ଘୋଷ(ୱିକେଟ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେୟ ଗାଲା, ହର୍ଷିତା ବାସୁ(ୱିକେଟ କିପର), ସୋନମ ଯାଦବ, ମନତ କଶ୍ୟପ, ଅର୍ଚ୍ଚନା ଦେବୀ, ପରଶବୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ, ଶିଖା, ନଜଲା ସିଏମସି ଓ ଯଶଶ୍ରୀ।
ଟି-୨୦ ବିଶ୍ୱକପ ପାଇଁ ସ୍କ୍ୱାଡ: ଶେଫାଳି ବର୍ମା(ଅଧିନାୟକ), ଶ୍ୱେତା ଶେରାୱତ(ଉପ ଅଧିନାୟକ), ରିଚା ଘୋଷ(ୱିକେଟ କିପର), ଜି ତ୍ରିଶା, ସୌମ୍ୟା ତିୱାରୀ, ସୋନିଆ ମେହଦିୟା, ହୁରଲେୟ ଗାଲା, ହର୍ଷିତା ବାସୁ(ୱିକେଟ କିପର), ସୋନମ ଯାଦବ, ମନତ କଶ୍ୟପ, ଅର୍ଚ୍ଚନା ଦେବୀ, ପରଶବୀ ଚୋପ୍ରା, ତିତାସ ସାଧୁ, ଫଲକ ନାଜ, ଶବନମ ମହମ୍ମଦ।
ଷ୍ଟାଣ୍ଡବାଇ ଖେଳାଳି: ଶିଖା, ନଜଲା ସିଏମସି ଓ ଯଶଶ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।