ଜୋହାନ୍ସବର୍ଗ: ଆଇପିଏଲ ପ୍ରାଞ୍ଚାଇଜିଙ୍କ ପାଇଁ ଆଶ୍ୱସ୍ତ କରିବା ଭଳି ଖବର। ଆଇପିଏଲ ଖେଳିବାକୁ କଣ୍ଟ୍ରାକ୍ଟ କରିଥିବା ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳିମାନେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ନାହିଁ। ସେମାନେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଅପେକ୍ଷା ଆଇପିଏଲ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।
ତେଣୁ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ଆଇପିଏଲ ପାଇଁ ସାଇନ କରିଥିବା ଖେଳାଳିଙ୍କ ବିନା ଦକ୍ଷିଣ ଆଫ୍ରିକା ଖେଳିବ। ଆଜି କ୍ରିକେଟ ସାଉଥ ଆଫ୍ରିକା ଏହି ଘୋଷଣା କରିଛି।
ଦକ୍ଷିଣ ଆଫ୍ରିକାର ଟେଷ୍ଟ ସ୍କ୍ୱାଡରେ ମାର୍କୋ ଜାନେସନ, ଆଡେନ ମାର୍କମ, ଲୁଙ୍ଗି ଏନଗିଡି, କାଗିସୋ ରାବଡା ଓ ରସେଇ ଭାନ ଡେର ଡୁସେନଙ୍କ ଭଳି ଖେଳାଳି ସାମିଲ ହେବାର ଥିଲା। ତେବେ ଏମାନେ ଆଇପିଏଲର ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ଖେଳିବାକୁ ଥିବାରୁ ସେମାନଙ୍କୁ ବାଂଲାଦେଶ ବିପକ୍ଷ ୧୫ ଜଣିଆ ଟେଷ୍ଟ ସ୍କ୍ୱାଡରୁ ବାଦ ଦିଆଯାଇଛି।
ମାର୍କୋ ଜାନେସନ, ଆଡେନ ମାର୍କମ, ଲୁଙ୍ଗି ଏନଗିଡି ଓ ରସେଇ ଭାନ ଡେର ଡୁସେନ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ। ସେହିପରି ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ମଧ୍ୟ ଏମାନେ ଯାଇଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ୍ରୁ ଏମାନଙ୍କୁ ବାଦ ଦିଆଯାଇଛି।
ଏବେ ଏହି ୫ ଖେଳାଳି କ୍ୱିଣ୍ଟନ ଡି’କକ, ଡୱିନ ପ୍ରେଟୋରିୟସ ଓ ଡାଭିଡ ମିଲରଙ୍କ ସହ ଆଇପିଏଲ ଖେଳିବେ। ବାଂଲାଦେଶ ଟେଷ୍ଟ ସିରିଜ୍ ଓ ଆଇପିଏଲ ଏକା ସମୟରେ ପଡ଼ୁଥିବାରୁ କ୍ରିକେଟ ସାଉଥ ଆଫ୍ରିକା ଏହି ଖେଳାଳିଙ୍କୁ ଭାରତ ଆସିବାକୁ ଅନୁମତି ଦେଇଛି। ଆଇପିଏଲ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ସେହିପରି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାର ଅଛି।
ଆଇପିଏଲରେ ଭାଗ ନେବାର ସୁଯୋଗରୁ କ୍ରିକେଟ ସାଉଥ ଆଫ୍ରିକା ଖେଳାଳିଙ୍କୁ ବଞ୍ଚିତ କରିପାରିବ ନାହିଁ। ତେଣୁ ଦକ୍ଷିଣ ଆଫ୍ରିକା ସ୍କ୍ୱାଡ ଆଇପିଏଲ ଖେଳାଳିଙ୍କ ବିନା ତିଆରି ହେବ। ଜାତୀୟ ଡ୍ୟୁଟି ଓ ଖେଳାଳିଙ୍କ ମଧ୍ୟରେ ବାଲାନ୍ସ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ସିଏସ୍ଏ କହିଛି।
ଅନ୍ୟପକ୍ଷରେ ଶୁକ୍ରବାର ଠାରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହି ସ୍କ୍ୱାଡରେ ଥିବା ୮ ଖେଳାଳି ଆଇପିଏଲ ଖେଳିବାର ଅଛି। ହେଲେ ଦିନିକିଆ ସିରିଜ୍ ମାର୍ଚ୍ଚ ୨୩ରେ ଶେଷ ହୋଇଯିବ। ତେଣୁ ସେମାନେ ବେଶ ଆରାମରେ ନିଜ ନିଜର ଆଇପିଏଲ ଟିମ୍ ସହ ଯୋଗ ଦେଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।