କୋଲକାତା: ଭାରତ ଓ ଶ୍ରୀଲଙ୍କା ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି କୋଲକାତାରେ ଚାଲିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଟିମ୍ ୩୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିଛି।
ଅଭିଷ୍କା ଫର୍ଣ୍ଣାଣ୍ଡୋ ଓ ନୁୱାନିଦୁ ଫର୍ଣ୍ଣାଣ୍ଡୋ ଇନିଂସ୍ ଓପନ୍ କରିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ମାତ୍ର ୨୯ ରନ୍ର ପାର୍ଟନରଶିପ୍ ହୋଇଥିଲା। ୫.୬ ଓଭରରେ ଅଭିଷ୍କା ମାତ୍ର ୨୦ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ତାଙ୍କୁ ବୋଲ୍ଡ କରି ଦେଇଥିଲେ।
ଅନ୍ୟପକ୍ଷରେ ନୁୱାନିଦୁ ଓ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍ଙ୍କ ମଧ୍ୟରେ ୭୩ ରନ୍ର ଏକ ଭଲ ପାର୍ଟନରଶିପ୍ ହୋଇଥିଲା। ଦୁହେଁ ଦ୍ରୁତ ଗତିରେ ଦଳର ସ୍କୋରକୁ ଆଗେଇ ନେଉଥିବା ବେଳେ ଆଉଟ୍ ହୋଇଯାଇଥିଲେ କୁଶଲ। ସେ ୩୪ଟି ବଲ୍ରେ ୩୪ ରନ୍ (୩ ଚୌକା, ଗୋଟିଏ ଛକା) କରିଥିବା ବେଳେ କୁଲଦୀପ ଯାଦବଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ସେ ଆଉଟ୍ ହେଲା ବେଳକୁ ଦଳର ସ୍କୋର ୧୦୨ରେ ପହଞ୍ଚିଥିଲା। କିନ୍ତୁ ତା’ପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଦଳ ଲଗାତାର ୱିକେଟ୍ ହରାଇଥିଲା।
ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଧନଞ୍ଜୟ ଡି’ସିଲ୍ଭା ଖାତା ଖୋଲିପାରି ନଥିଲେ। ପ୍ରଥମ ବଲ୍ରେ ଅକ୍ଷର ପଟେଲ୍ଙ୍କ ଦ୍ୱାରା ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ଚରିତ ଅସଲଙ୍କା ସହ ମିଶି ଇନିଂସ୍କୁ ଆଗେଇ ନେବାକୁ ପ୍ରୟାସ କରିଥିଲେ ନୁୱାନିଦୁ। ତେବେ ୬୩ ବଲ୍ରୁ ୫୦ ରନ୍ କରିଥିବା ବେଳେ ୨୧.୧ ଓଭରରେ ଆଉଟ୍ ହୋଇଯାଇଥିଲେ ନୁୱାନିଦୁ। ଶୁବମନ ଗିଲ୍ଙ୍କ ଦ୍ୱାରା ସେ ରନ୍ ଆଉଟ୍ ହୋଇଥିଲେ।
ନୁୱାନିଦୁଙ୍କ ପରେ କ୍ରିଜ୍କୁ ଆସିଥିବା ଅଧିନାୟକ ଦାଶୁନ ଶାଣକା ମାତ୍ର ୪ଟି ବଲ୍ର ସମ୍ମୁଖୀନ ହୋଇପାରିଥିଲେ। ପ୍ରଥମ ଦିନିକିଆରେ ଅପରାଜିତ ରହି ୧୦୮ ରନ୍ କରିଥିବା ଶାଣକା ଆଜି ୪ଟି ବଲ୍ରୁ ୨ ରନ୍ କରିଥିଲେ। କୁଲଦୀପ ଯାଦବ ତାଙ୍କୁ ବୋଲ୍ଡ କରି ଦେଇଥିଲେ।
ଦଳୀୟ ସ୍କୋର ୧୨୬ରେ ପହଞ୍ଚିଥିବା ବେଳେ ଚରିତ ଅସଲଙ୍କା ଆଉଟ୍ ହୋଇଯାଇଥିଲେ। ସେ ୨୧ଟି ବଲ୍ରୁ ୧୫ ରନ୍ କରିଥିଲେ। ସେ କୁଲ୍ଦୀପ ଯାଦବଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ୭ ନମ୍ବରରେ ଆସିଥିବା ୱାନିନ୍ଦୁ ହସରଙ୍ଗା ୧୭ଟି ବଲ୍ରୁ ୨୧ ରନ୍ (୩ ଚକୌ ଓ ଗୋଟିଏ ଛକା) କରିଥିଲେ। ଦୁନିଥ ୱେଲାଲାଗେଙ୍କ ସହିତ ମିଶି ସେ ୨୬ ରନ୍ର ପାର୍ଟନରଶିପ୍ କରିଥିଲେ।
ହସରଙ୍ଗା ଆଉଟ୍ ହୋଇଯିବା ପରେ ଦଳୀୟ ସ୍କୋରକୁ ୧୫୨ରୁ ୧୭୭ ପର୍ଯ୍ୟନ୍ତ ଆଣିଥିଲେ ଦୁନିଥ ଓ ଚମିକା କରୁଣାରତ୍ନେ। ତେବେ କରୁଣାରତ୍ନେ ୨୫ଟି ବଲ୍ରୁ ୧୭ ରନ୍ କରିଥିବା ବେଳେ ଉମ୍ରାନ ମଲିକଙ୍କ ବଲ୍ରେ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
୮ଟି ୱିକେଟ୍ ପଡ଼ି ଯାଇଥିଲେ ବି ଆତ୍ମବିଶ୍ୱାସ ନହରାଇ ଦୁନିତ ୱେଲାଲାଗେ ୩୪ଟି ବଲ୍ରୁ ୩୨ ରନ୍ (୩ ଚୌକା, ଗୋଟିଏ ଛକା) କରିଥିଲେ। ସେହିପରି କସୁନ ରଜିତା ୨୧ଟି ବଲ୍ରୁ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଲହିରୁ କୁମାରା ଖାତା ଖୋଲି ପାରି ନଥିଲେ।
କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲିକ ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେଇଛନ୍ତି।
ସୂଚନାଯୋଗ୍ୟ, ତିନିଟି ମ୍ୟାଚ୍ ବିଶିଷ୍ଟ ଚଳିତ ଦିନିକିଆ ସିରିଜ୍ରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।