ଶ୍ରୀଲଙ୍କାକୁ ବିଜୟ ପାଇଁ ବଡ଼ ଟାର୍ଗେଟ୍‌ ଦେଲା ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଏହି ଟାର୍ଗେଟ୍ ପୂରଣ କରିବା ଭ୍ରମଣକାରୀ ଦଳ ପାଇଁ ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨୮ ରନ୍‌ କରି ଗୋଟିଏ ୱିକେଟ୍ ହରାଇ ଦେଇଛି। ଶ୍ରୀଲଙ୍କାକୁ ୧୦୯ ରନ୍‌ରେ ଆଜି ଅଲ୍‌ଆଉଟ୍ କରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ। […]

Shreyash

Jitendra Garnayak
  • Published: Sunday, 13 March 2022
  • , Updated: 13 March 2022, 09:46 PM IST

ବେଙ୍ଗାଲୁରୁ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଏହି ଟାର୍ଗେଟ୍ ପୂରଣ କରିବା ଭ୍ରମଣକାରୀ ଦଳ ପାଇଁ ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨୮ ରନ୍‌ କରି ଗୋଟିଏ ୱିକେଟ୍ ହରାଇ ଦେଇଛି।

ଶ୍ରୀଲଙ୍କାକୁ ୧୦୯ ରନ୍‌ରେ ଆଜି ଅଲ୍‌ଆଉଟ୍ କରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ। ପ୍ରଥମ ଇନିଂସ ଅପେକ୍ଷା ଏହି ଇନିଂସ୍‌ରେ ସମସ୍ତେ ଆଉ ଟିକେ ଅଧିକ ଦାୟିତ୍ୱର ସହିତ ଖେଳିଥିଲେ। ଯଦିଓ କେହି ବହୁତ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ।

ପ୍ରଥମ ଇନିଂସରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଓପନର ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା ଏହି ଇନିଂସରେ ଆଉ ଟିକେ ଅଧିକ ସମୟ କ୍ରିଜ୍‌ରେ ରହିଥିଲେ। ମୟଙ୍କ ୩୪ଟି ବଲ୍‌ର ସମ୍ମୁଖୀନ ହୋଇ ୨୨ ରନ୍ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୭୯ ବଲ୍‌ରୁ ୪ ଚୌକା ସହାୟତାରେ ୪୬ ରନ୍ କରିଥିବା ବେଳେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ବଲ୍‌ରେ ଆଞ୍ଜେଲୋ ମାଥ୍ୟୁସଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ହନୁମା ବିହାରୀ ମଧ୍ୟ ପ୍ରଥମ ଇନିଂସ ଅପେକ୍ଷା ଆଜି ଭଲ ଖେଳିଥିଲେ। ଅଧିକ ସମୟ କ୍ରିଜ୍‌ରେ ରହିଥିଲେ। ୭୯ଟି ବଲ୍ ଖେଳି ୩୫ ରନ୍ କରିଥିଲେ। ତା’ ମଧ୍ୟରେ ୪ଟି ଚୌକା ଥିଲା। ତାଙ୍କୁ ପ୍ରବୀଣ ଜୟବିକ୍ରମା ବୋଲ୍ଡ କରି ଦେଇଥିଲେ।

ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ସବୁଠୁ ଖରାପ ଖେଳିଲେ। ତାଙ୍କ ଠାରୁ ଏକ ଶତକ ଆଶା ରଖିଥିବା ଦର୍ଶକ ଆଜି ପୁଣି ନିରାଶ ହେଲେ। ପ୍ରଥମ ଇନିଂସରେ ୨୩ ରନ୍ କରିଥିବା ବିରାଟ ଆଜି ୧୬ଟି ବଲ୍‌ରେ ୧୩ ରନ୍ କରିଥିବା ବେଳେ ପ୍ରବୀଣ ଜୟବିକ୍ରମାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ପ୍ରଥମ ଇନିଂସ୍‌ରେ ୨୬ଟି ବଲ୍‌ରୁ ୩୯ ରନ୍ କରିଥିବା ୱିକେଟ୍ କିପର ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ୩୧ଟି ବଲ୍‌ରୁ ୫୦ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ସେ ୨୮ଟି ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି କପିଲ ଦେବଙ୍କ ନାଁରେ ଥିବା ୪୦ ବର୍ଷର ରେକର୍ଡକୁ ଭାଙ୍ଗି ଥିଲେ। ଟେଷ୍ଟରେ ଭାରତୀୟ ଭାବେ କପିଲ ୩୦ଟି ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ।

ସେହିଭଳି ପ୍ରଥମ ଇନିଂସରେ ଦମଦାର ପ୍ରଦର୍ଶନ କରି ୯୨ ରନ୍ କରିଥିବା ଶ୍ରେୟସ ଆୟର ଦ୍ୱିତୀୟ ଇନିଂସରେ ବି ଶତକ ଆଡ଼କୁ ଆଗେଇ ଚାଲିଥିବା ବେଳେ ଆଉଟ୍ ହୋଇଯାଇଥିଲେ। ସେ ୮୭ଟି ବଲ୍‌ରୁ ୬୭ ରନ୍ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ତାଙ୍କର ୬୭ ରନ୍ ମଧ୍ୟରେ୯ଟି ଚୌକା ସାମିଲ ଅଛି।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୨୨, ରବିଚନ୍ଦ୍ରନ ଅଶ୍ୱିନ ୧୩ ଓ ଅକ୍ଷର ପଟେଲ ୯ ରନ୍ କରିଥିଲେ। ଦଳ ଦ୍ୱିତୀୟ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୩୦୩ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଏହା ସହିତ ଦଳ ଶ୍ରୀଲଙ୍କାକୁ ୪୪୭ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି।

ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଇନିଂସରେ ପ୍ରବୀଣ ଜୟବିକ୍ରମା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଲସିଥ ଏମ୍ବୁଲଡେନିୟା ୩ଟି ୱିକେଟ୍ ନେଇଛନ୍ତି। ବିଶ୍ୱ ଫର୍ଣ୍ଣାଡୋ ଓ ଧନଞ୍ଜୟ ଡି’ସିଲ୍‌ଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story