ଡେଭିସ୍ କପ୍‌: ପ୍ରଥମ ଦିନରେ ଭାରତ ୨-୦ରେ ଆଗୁଆ

ନୁର୍‌-ସୁଲତାନ: ଭାରତ ଓ ପାକିସ୍ତାନ ବିପକ୍ଷରେ ଡେଭିସ୍ କପ୍ ଟାଇର ଏସିଆ/ଓସେନିଆର ଗ୍ରୁପ୍‌-ଆଇ ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଭାରତୀୟ ଟେନିସ୍ ଖେଳାଳି ରାମକୁମାର ରାମନାଥନ୍ ଓ ସୁମିତ୍ ନାଗଲ୍ ଦମଦାର ପ୍ରଦର୍ଶନ କରିଛନ୍ତି। ଦୁହେଁ ନିଜ ନିଜର ସିଙ୍ଗଲ୍ସ ମୁକାବିଲା ଜିତି ଭାରତକୁ ପାକିସ୍ତାନ ବିପକ୍ଷରେ ୨-୦ରେ ଆଗୁଆ କରାଇଥିଲେ। ଆସନ୍ତାକାଲି ଆଉ ଗୋଟିଏ ମ୍ୟାଚ୍ ଜିତିଲେ, ଭାରତ ପରବର୍ତ୍ତୀ ରାଉଣ୍ଡକୁ କ୍ୱାଲିଫାଲ୍ କରିନେବ। ଆଜି ଖେଳାଯାଇଥିବା ସିଙ୍ଗଲ୍ସ ମ୍ୟାଚ୍ ସମ୍ପୂର୍ଣ୍ଣ ଏକତରଫା […]

ramkumar

Ranjit Kumar Jena
  • Published: Friday, 29 November 2019
  • , Updated: 29 November 2019, 05:32 PM IST

ନୁର୍‌-ସୁଲତାନ: ଭାରତ ଓ ପାକିସ୍ତାନ ବିପକ୍ଷରେ ଡେଭିସ୍ କପ୍ ଟାଇର ଏସିଆ/ଓସେନିଆର ଗ୍ରୁପ୍‌-ଆଇ ମ୍ୟାଚ୍ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଭାରତୀୟ ଟେନିସ୍ ଖେଳାଳି ରାମକୁମାର ରାମନାଥନ୍ ଓ ସୁମିତ୍ ନାଗଲ୍ ଦମଦାର ପ୍ରଦର୍ଶନ କରିଛନ୍ତି। ଦୁହେଁ ନିଜ ନିଜର ସିଙ୍ଗଲ୍ସ ମୁକାବିଲା ଜିତି ଭାରତକୁ ପାକିସ୍ତାନ ବିପକ୍ଷରେ ୨-୦ରେ ଆଗୁଆ କରାଇଥିଲେ। ଆସନ୍ତାକାଲି ଆଉ ଗୋଟିଏ ମ୍ୟାଚ୍ ଜିତିଲେ, ଭାରତ ପରବର୍ତ୍ତୀ ରାଉଣ୍ଡକୁ କ୍ୱାଲିଫାଲ୍ କରିନେବ।

ଆଜି ଖେଳାଯାଇଥିବା ସିଙ୍ଗଲ୍ସ ମ୍ୟାଚ୍ ସମ୍ପୂର୍ଣ୍ଣ ଏକତରଫା ରହିଥିଲା। ରାମକୁମାର ପ୍ରଥମ ମ୍ୟାଚରେ ପାକିସ୍ତାନର ୧୭ ବର୍ଷୀୟ ଖେଳାଳି ମହମ୍ମଦ ଶୋଏବଙ୍କୁ ମାତ୍ର ୪୨ ମିନିଟରେ ୬-୦, ୬-୦ ପରାସ୍ତ କରିଥିଲେ। ଶୋଏବ ଦ୍ୱିତୀୟ ସେଟର ଷଷ୍ଠ ଗେମରେ ରାମକୁମାରଙ୍କୁ ସାମାନ୍ୟ ଚ୍ୟାଲେଞ୍ଜ ଦେଇଥିଲେ। ଏଥିରେ ରାମକୁମାରଙ୍କୁ ଦୁଇଟି ଡ୍ୟୁସ୍ ପଏଣ୍ଟ ହାସଲ କରିବାକୁ ବିଳମ୍ବ ହୋଇଥିଲା।

ଏହା ପରେ ନାଗଲ ଡେଭିସ୍ କପରେ ନିଜର ପ୍ରଥମ ବିଜୟ ହାସଲ କରିଛନ୍ତି। ସେ ଦ୍ୱିତୀୟ ସିଙ୍ଗଲ୍ସରେ ହୁଫୈଜା ଅବଦୁଲ ରେହମାନଙ୍କୁ ୬୪ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ୬-୦, ୬-୨ ସେଟରେ ହରାଇଥିଲେ। ଏହି ମ୍ୟାଚରେ ପାକିସ୍ତାନ ତା'ର ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତି ଅନୁଭୂତ କରିଥିଲା। ଭାରତ ବିପକ୍ଷ ନିରପେକ୍ଷ ଭେନ୍ୟୁରେ ମ୍ୟାଚକୁ ବିରୋଧ କରି ପାକିସ୍ତାନ ଖେଳାଳି ହଟିଯାଇଥିଲେ।

ଶୁକ୍ରବାର ଖେଳାଯାଇଥିବା ଦୁଇଟି ଯାକ ସିଙ୍ଗଲ୍ସ ଏକତରଫା ଥିଲା। ପ୍ରଥମ ମୁକାବିଲା ଆଦୌ ଚ୍ୟାଲେଞ୍ଜିଂ ନଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ମୁକାବିଲାରେ ପାକିସ୍ତାନର ଯୁବ ଖେଳାଳି ହୁଫୈଜା ନାଗଲଙ୍କ ବିପକ୍ଷରେ ମ୍ୟାଚକୁ ଯଥାସମ୍ଭବ ଟାଣିବାକୁ ପ୍ରୟାସ କରିଥିଲେ। ଦ୍ୱିତୀୟ ସେଟର ତୃତୀୟ ଗେମ୍ ଜିତି ହୁଫୈଜା ପାକିସ୍ତାନ ନାଁରେ ଗୋଟିଏ ଗେମ୍ କରିଥିଲେ। ଏହା ଦ୍ୱାରା ନାଗଲଙ୍କୁ ମୁକାବିଲା ଜିତିବା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ଅଷ୍ଟମ ଗେମକୁ ନିଜ ନାଁରେ କରିଥିଲେ।

ଅଭିଜ୍ଞ ଲିଆଣ୍ଡର ପେସ୍ ଓ ଜୀବନ ନେଦୁନଛେଝିୟାନ୍ ଶନିବାର ଡବଲ୍ସ ମୁକାବିଲାରେ ହୁଫୈଜା ଓ ଶୋଏବଙ୍କୁ ଭେଟିବେ। ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ମୁକାବିଲାରେ ହାରିନାହିଁ। ଆସନ୍ତାକାଲି ଭାରତ ଏହାକୁ କାଏମ ରଖିବାକୁ ପ୍ରୟାସ କରିବ। ଶନିବାର ମ୍ୟାଚ୍ ଜିତି ଭେଟେରାନ୍ ପେସ୍ ନୂଆ ବିଶ୍ୱ କୀର୍ତ୍ତିମାନ କରିବାକୁ ଚାହିଁବେ। ସେ ଏପର୍ଯ୍ୟନ୍ତ ୪୩ ମ୍ୟାଚ୍ ଜିତି ଶୀର୍ଷରେ ଅଛନ୍ତି। ଭାରତ ଓ ପାକିସ୍ତାନ ମ୍ୟାଚର ବିଜେତା ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସରେ କ୍ରୋଏସିଆକୁ ଭେଟିବ। କ୍ୱାଲିଫାୟର୍ସ ମ୍ୟାଚ୍ ଆସନ୍ତାବର୍ଷ ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଭାରତ ଏହାକୁ ନିରପେକ୍ଷ ଭେନ୍ୟୁରେ ଆୟୋଜିତ କରିବାକୁ ଆଇଟିଏଫ୍ ନିକଟରେ ଦାବି କରିଥିଲା। ଫଳରେ ଏହି ମ୍ୟାଚ୍ ପାଇଁ କଜାଖସ୍ତାନର ରାଜଧାନୀ ନୁର୍-ସୁଲତାନକୁ ବଛା ଯାଇଥିଲା। ଏହାକୁ ପାକିସ୍ତାନ ଟେନିସ୍ ଫେଡେରେସନ୍ (ପିଟିଏଫ୍‌) ବିରୋଧ କରିଥିଲା। ଏପରିକି ପାକିସ୍ତାନର କିଛି ସିନିୟର୍ ଖେଳାଳି ବିରୋଧ କାରଣରୁ ମ୍ୟାଚରୁ ଓହରିଯାଇଥିଲେ।

Related story