ମେଲବର୍ଣ୍ଣ: ସର୍ବିୟାର ଷ୍ଟାର୍ ଖେଳାଳି ତଥା ଡିଫେଣ୍ଡିଂ ଚାମ୍ପିୟନ୍ ନୋଭାକ୍ ଜୋକୋଭିଚ୍ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡୋମିନିକ୍ ଥିମଙ୍କୁ ହରାଇ ରେକର୍ଡ ଅଷ୍ଟମଥର ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ବିଜୟ ସହ ଜୋକୋଭିଚ୍ ସୋମବାର ଏଟିପିର ନୂଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିବେ।
ଦ୍ୱିତୀୟ ସିଡ୍ ଜୋକୋଭିଚ୍ ୧-୨ରେ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରିଆର ପଞ୍ଚମ ସିଡ୍ ଥିମଙ୍କୁ ପାଞ୍ଚ ସେଟ୍ ବିଶିଷ୍ଟ ବିଶିଷ୍ଟ ମ୍ୟାଚରେ ୬-୪, ୪-୬, ୨-୬, ୬-୩, ୬-୪ ସେଟରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା। ଜୋକୋଭିଚଙ୍କ କ୍ୟାରିୟରର ୧୭ଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ଜୋକୋଭିଚ୍ ଏବେ ସର୍ବାଧିକ ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାରେ ରାଫେଲ୍ ନାଡାଲ୍ (୧୯ ଗ୍ରାଣ୍ଡସ୍ଲାମ୍)ଙ୍କଠାରୁ ଦୁଇ ଏବଂ ରୋଜର ଫେଡେରର୍ (୨୦ ଗ୍ରାଣ୍ଡସ୍ଲାମ୍)ଙ୍କଠାରୁ ତିନି ଟାଇଟଲ୍ ପଛରେ ଅଛନ୍ତି।
ସର୍ବାଧିକ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବାର ରେକର୍ଡ କରିଥିବା ଜୋକୋଭିଚଙ୍କର ଏହା ଅଷ୍ଟମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍। ଏହା ପୂର୍ବରୁ ସେ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୯ରେ ମଧ୍ୟ ଟାଇଟଲ୍ ଜିତିଥିଲେ।
ପୁରୁଷ ସିଙ୍ଗଲ୍ସର ଓପନ୍ ଏରାରେ ଜୋକୋଭିଚ୍ ପ୍ରଥମ ଖେଳାଳି ଭାବେ ତିନି ଅଲଗା ଦଶକରେ ଗ୍ରାଣ୍ଡସ୍ଲାମ୍ ଜିତିବାର ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ କେନ୍ ରୋଜୱେଲ୍ ୧୯୫୦ ଏବଂ ୧୯୭୦ରେ ତିନି ଅଲଗା ଅଲଗା ଦଶକରେ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିଲେ। ଜୋକୋଭିଚ୍ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ୨୦୦୮ରେ ଜିତିଥିଲେ। ଏହା ପରେ ୨୦୧୦ରେ ସେ ନିଜର ଦବଦବା କାଏମ୍ ରଖି ୧୫ ଟାଇଟଲ୍ ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।