ବସେଲ: ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରମୋଦ ଚାମ୍ପିୟନଶିପ୍ର ଡବଲ୍ସ ଓ ସିଙ୍ଗଲ୍ସ ବିଭାଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଆଜିର ପୁରୁଷ ଏକକ ବର୍ଗର ଫାଇନାଲ୍ରେ ପ୍ରମୋଦଙ୍କ ମୁକାବିଲା ଇଂଣ୍ଡର ଡାନିଏଲ ବେଥେଲଙ୍କ ସହ ହୋଇଥିଲା। ଡାନିଏଲ୍ ଏକପାଖିଆ ଭାବେ ପ୍ରଥମ ସେଟ୍ରେ ପ୍ରମୋଦଙ୍କୁ ୨୧-୬ରେ ପରାସ୍ତ କରି ଦେଇଥିଲେ। ହେଲେ ପ୍ରମୋଦ ଏଥିରେ ହାର ମାନି ନଥିଲେ। ଦ୍ୱିତୀୟ ସେଟ୍ରେ ସେ ଜବରଦସ୍ତ କମବ୍ୟାକ୍ କରି ଡାନିଏଲଙ୍କୁ ୨୧-୧୪ରେ ପରାସ୍ତ କରିଥିଲେ।
ଦ୍ୱିତୀୟ ସେଟ୍ ପରେ ସ୍ଥିତି ୧-୧ରେ ବରାବର ହୋଇଯାଇଥିଲା। ନିର୍ଣ୍ଣାୟକ ତୃତୀୟ ସେଟ୍ରେ ପ୍ରମୋଦ ଆହୁରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ସେ ଡାନିଏଲଙ୍କୁ କମବ୍ୟାକ୍ କରିବାର କୌଣସି ସୁଯୋଗ ଦେଇ ନଥିଲେ। ଏହି ସେଟ୍ଟିକୁ ୨୧-୫ରେ ଜିତି ପ୍ରମୋଦ ଦେଶ ତଥା ରାଜ୍ୟ ପାଇଁ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ।
ଏହାପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍ର ଡବଲ୍ସରେ ମଧ୍ୟ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରମୋଦ ଓ ମନୋଜ ଯୋଡ଼ି ଫାଇନାଲ୍ରେ ଭାରତର ଅନ୍ୟତମ ଦୁଇ ଶଟଲର ତରୁଣ ଓ ନିତେଶ କୁମାରଙ୍କୁ ଭେଟିଥିଲେ।
ତୁରଣ ଓ ନୀତେଶ ଯୋଡ଼ି ପ୍ରଥମ ସେଟ୍କୁ ୨୧-୧୪ରେ ଜିତି ନେଇଥିଲେ। ହେଲେ ପ୍ରମୋଦ ଓ ମନୋଜ ଯୋଡ଼ି ପରବର୍ତ୍ତୀ ଦୁଇଟି ଯାକ ସେଟ୍କୁ ୨୧-୧୫ ଓ ୨୧-୧୬ରେ ଜିତି ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲେ।
ପ୍ରମୋଦଙ୍କ ଏହି ଡବଲ ସ୍ୱର୍ଣ୍ଣର ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ ତଥା ଦେଶର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। ପ୍ରମୋଦ ଏକାଧାରାରେ ଜଣେ ବ୍ୟାଡମିଣ୍ଟନ ଖେଳାଳି ଏବଂ କୋଚ୍। ୪ ବର୍ଷର ହୋଇଥିଲା ବେଳେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ପ୍ରମୋଦ ଜାତୀୟ ସ୍ତରରେ ୩୦ ସ୍ୱର୍ଣ୍ଣ, ୧୨ ରୌପ୍ୟ, ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସେ ୨୧ ସ୍ୱର୍ଣ୍ଣ, ୭ ରୌପ୍ୟ ଏବଂ ୧୨ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି।