ପୁଣି ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି!

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ଉପରେ ପୁଣିଥରେ ବୟସ ଜାଲିଆତି ଦାଗ ଲାଗିଛି। ଓଡ଼ିଶା ପକ୍ଷରୁ ଖେଳାଳିମାନେ ବୟସ ଜାଲିଆତି କରି ଖେଳୁଥିବା ଅଭିଯୋଗ ହେବା ପରେ ଏବେ ବିସିସିଆଇ ଏହା ଉପରେ ନଜର ପକାଇଛି। ପୂର୍ବରୁ ୨ଜଣ ଖେଳାଳି ବୟସ ଜାଲିଆତି କରି ଧରା ପଡ଼ି ବାସନ୍ଦ ହେବା ପରେ ଏବେ ଆଉ ୨ ଜଣ ବିଶ୍ୱଜିତ ମଲ୍ଲିକ ଓ ସୌମେନ ଚାନ୍ଦଙ୍କ ନାଁରେ ସମାନ ଅଭିଯୋଗ ଆସିଛି। ସୌମେନ ଚାନ୍ଦ ୨୩ ବର୍ଷରୁ କମ୍ […]

dds

Hemant Lenka
  • Published: Saturday, 25 January 2020
  • , Updated: 25 January 2020, 06:48 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ଉପରେ ପୁଣିଥରେ ବୟସ ଜାଲିଆତି ଦାଗ ଲାଗିଛି। ଓଡ଼ିଶା ପକ୍ଷରୁ ଖେଳାଳିମାନେ ବୟସ ଜାଲିଆତି କରି ଖେଳୁଥିବା ଅଭିଯୋଗ ହେବା ପରେ ଏବେ ବିସିସିଆଇ ଏହା ଉପରେ ନଜର ପକାଇଛି।

ପୂର୍ବରୁ ୨ଜଣ ଖେଳାଳି ବୟସ ଜାଲିଆତି କରି ଧରା ପଡ଼ି ବାସନ୍ଦ ହେବା ପରେ ଏବେ ଆଉ ୨ ଜଣ ବିଶ୍ୱଜିତ ମଲ୍ଲିକ ଓ ସୌମେନ ଚାନ୍ଦଙ୍କ ନାଁରେ ସମାନ ଅଭିଯୋଗ ଆସିଛି। ସୌମେନ ଚାନ୍ଦ ୨୩ ବର୍ଷରୁ କମ୍ ଦଳର ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି। ବିଶ୍ୱଜିତ ମଲ୍ଲିକ ଜଣେ ଅଫ୍ ସ୍ପିନର। ଏହି ଦୁଇ ଖେଳାଳି ବୟସ ଜାଲିଆତି କରିଥିବା ଅଭିଯୋଗରେ ଫସିଛନ୍ତି।

ବିସିସିଆଇକୁ ସୌମେନ ଚାନ୍ଦ ଦେଇଥିବା ଜନ୍ମ ପ୍ରମାଣ ପତ୍ରରେ ତାଙ୍କ ଜନ୍ମ ତାରିଖ ୨୪ ଡିସେମ୍ବର ୧୯୯୯ ରହିଛି। ହେଲେ ତାଙ୍କର ପ୍ରକୃତ ଜନ୍ମ ପ୍ରମାଣପତ୍ରରେ ଏହା ୨୪ ଜୁଲାଇ ୧୯୯୭। ସେହିପରି ୨୩ ବର୍ଷରୁ କମ ଟିମର ନିୟମିତ ସଦସ୍ୟ ସୌଭାଗ୍ୟ ରଞ୍ଜନ ମିଶ୍ରଙ୍କ ସାର୍ଟିଫିକେଟ ମଧ୍ୟ ଜାଲ। ଜାମଲା ଭଞ୍ଜନ ମହାପାତ୍ରଙ୍କ ସାର୍ଟିଫିକେଟ ମଧ୍ୟ ଜାଲ ଥିବା ସିଏମସି ପକ୍ଷରୁ ବିସିସିଆଇକୁ ଚିଠି ଲେଖି ଅବଗତ କରାଯାଇଛି।

ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟରଙ୍କ ବୟସ ଜାଲିଆତି ଘଟଣା ନୂଆ ନୁହେଁ। ଏମିତି କି ବୟସ ଜାଲିଆତିକୁ ନେଇ ସିବିଆଇ ତଦନ୍ତ କରିବା ପରେ ଉଭୟ ପୁରୁଷ ଓ ମହିଳା ଦଳର ୨୦ରୁ ଅଧିକ ଖେଳାଳିଙ୍କୁ ବାସନ୍ଦ କରାଯାଇଥିଲା।

ବାରମ୍ବାର ଏଭଳି ଘଟଣା ଘଟିବା ପରେ ଏବେ ଓସିଏର ଚେତା ପଶିଛି। ଏଣିକି ବୟସ ଜାଲିଆତି ରୋକିବା ପାଇଁ ଖେଳାଳିମାନେ ଜିଲ୍ଲା ସ୍ତରୀୟ କ୍ରିକେଟ ମ୍ୟାଚରେ ହିଁ ନିଜ ଜନ୍ମପ୍ରମାଣ ପତ୍ର ଦାଖଲ କରିବେ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

ଜନ୍ମପ୍ରମାଣ ପତ୍ର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଫିସରଙ୍କୁ ନିଯୁକ୍ତି କରାଯିବ ବୋଲି ଓସିଏ ନିଷ୍ପତ୍ତି ନେଇଛି। କେବଳ ଏତିକି ଖେଳାଳି ନୁହନ୍ତି। ବୟସ ଜାଲିଆତିରେ ଆଉ କିଛି ଖେଳାଳିଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ବିସିସିଆଇ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

Related story