ରୋହିତ୍‌, କୋହଲି ଓ ଦୀପକଙ୍କୁ ଆଇସିସିର ବଡ଼ ଉପହାର

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୧୯ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛି। ଗତ ରାତିରେ ଭାରତ ଅଷ୍ଟ୍ରେଲିଆଠାରୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା, କିନ୍ତୁ ବୁଧବାର ସକାଳେ ହିଟମ୍ୟାନ୍ ରୋହିତ୍ ଶର୍ମାଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ୩୨ ବର୍ଷୀୟ ଭାରତୀୟ ଓପ୍ନର ରୋହିତଙ୍କୁ ଆଇସିସି ବଡ଼ ଉପହାର ସଦୃଶ ୨୦୧୯ ବର୍ଷର ‘ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌’ ଭାବେ ବିବେଚିତ କରିଛି। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ […]

rohit

rohit

Ranjit Kumar Jena
  • Published: Wednesday, 15 January 2020
  • Updated: 15 January 2020, 06:37 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୧୯ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛି। ଗତ ରାତିରେ ଭାରତ ଅଷ୍ଟ୍ରେଲିଆଠାରୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା, କିନ୍ତୁ ବୁଧବାର ସକାଳେ ହିଟମ୍ୟାନ୍ ରୋହିତ୍ ଶର୍ମାଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ୩୨ ବର୍ଷୀୟ ଭାରତୀୟ ଓପ୍ନର ରୋହିତଙ୍କୁ ଆଇସିସି ବଡ଼ ଉପହାର ସଦୃଶ ୨୦୧୯ ବର୍ଷର 'ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌' ଭାବେ ବିବେଚିତ କରିଛି। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଦୀପକ ଚହରଙ୍କ ମଧ୍ୟ ଆଇସିସିର ବଡ଼ ପୁରସ୍କାର ମିଳିଛି।

କୋହଲିଙ୍କୁ ଉଭୟ ଆଇସିସି ଟେଷ୍ଟ ଓ ଦିନିକିଆ କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ଏହାଛଡ଼ା କୋହଲିଙ୍କୁ ଆଇସିସି 'ସ୍ପିରିଟ୍ ଅଫ୍ କ୍ରିକେଟ୍‌' ପୁରସ୍କାର ପାଇଁ ଚୟନ କରାଯାଇଛି। ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଷ୍ଟିଭ୍ ସ୍ମିଥ୍ ଯେତେବେଳେ ହୁଟିଂର ଶିକାର ହେଉଥିଲେ, କୋହଲି ଦର୍ଶକଙ୍କୁ ଏଭଳି ନକରିବାକୁ ଇସାରା କରିଥିଲେ। ଏହି ମହାନ କାମ ପାଇଁ କୋହଲିଙ୍କୁ ଆଇସିସି ଖେଳଭାବନାର ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଇଂଲଣ୍ଡର ବିଶ୍ୱକପ୍ ବିଜେତା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ସବୁଠାରୁ ବଡ଼ ପୁରସ୍କାର ମିଳିଛି। ଷ୍ଟୋକ୍ସଙ୍କୁ 'ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି' ଅର୍ଥାତ୍ କ୍ରିକେଟର୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଦଳର ଷ୍ଟାର୍ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କୁ ଆଇସିସି ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ଭାରତୀୟ ପେସ୍ ବୋଲର ଦୀପକ ଚହରଙ୍କୁ ଟି-୨୦ ଅନ୍ତର୍ଜାତୀୟ ପରଫରମାନ୍ସ ଅଫ୍ ଇଭର୍ ଭାବେ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନଙ୍କୁ ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍ ଏବଂ ସ୍କଟଲ୍ୟାଣ୍ଡର କାଇଲ୍ କୋଏଜରଙ୍କୁ ଆସୋସିଏସଟ୍ କ୍ରିକେଟର୍ ଅଫ୍ ଦି ଇଭୟର୍ ଭାବେ ବଛା କରାଯାଇଛି।

୩୨ ବର୍ଷୀୟ ରୋହିତ୍ ୨୦୧୯ ଆଇସିସି ଦିନିକିଆ ବିଶ୍ୱକପରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ବିଶ୍ୱକପରେ ୮୧ ହାରରେ ସର୍ବାଧିକ ୬୪୮ ରନ୍ କରିଥିଲେ, ଯେଉଁଥିରେ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା। ଏହାସହ ସେ ରୋହିତ୍ ବିଶ୍ୱକପର କୌଣସି ସିଜନରେ ୫ଟି ଶତକ ମାରିବାର ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ। ରୋହିତ୍ ୨୦୧୯ରେ ୨୮ ମ୍ୟାଚରେ ୧୪୦୯ ରନ୍ କରିଥିଲେ। ଏହି ପୁରସ୍କାରର ବିଜେତା ହେବା ନେଇ ରୋହିତ୍ କହିଛନ୍ତି, ଏଭଳି ସମ୍ମାନ ମିଳିବା ନିଶ୍ଚିତ ଭଲ କଥା। ୨୦୧୯ରେ ମୁଁ ନିଜର ପ୍ରଦର୍ଶନରେ ବହୁତ ଖୁସି। ଆମେ ଆହୁରି ଭଲ ଖେଳିପାରିଥାନ୍ତୁ, କିନ୍ତୁ ୨୦୨୦ରେ ଆମେ ଏସବୁର ଭୁଲରୁ ଶିଖି ନୂଆ ଆରମ୍ଭ କରିବାକୁ ଚେଷ୍ଟା କରିବୁ।

ଚହର୍ ଗତବର୍ଷ ନାଗପୁରରେ ବାଂଲାଦେଶ ବିପକ୍ଷ ଟି-୨୦ ମ୍ୟାଚରେ ମାତ୍ର ୭ ରନ୍ ଦେଇ ୬ ୱିକେଟ୍ ନେଇଥିଲେ ଏବଂ ଏହି କାରଣରୁ ତାଙ୍କୁ ଟି-୨୦ ପରଫରମାନ୍ସ ଅଫ୍ ଦି ଇୟର ପୁରସ୍କାର ପାଇଁ ବିବେଚିତ କରାଯାଇଛି। ଚହର୍ କହିଛନ୍ତି, ମାତ୍ର ୭ ରନ୍ ଦେଇ ୬ ୱିକେଟ୍ ନେବା କୌଣସି ସ୍ୱପ୍ନଠାରୁ କମ୍ ନୁହେଁ। ଏହା ସର୍ବଦା ମୋ ପାଇଁ ସ୍ମରଣୀୟ ହୋଇ ରହିବ।

ଅଷ୍ଟ୍ରେଲୀୟ ପେସର୍ କମିନ୍ସ ୨୦୧୯ରେ ୧୨ ଟେଷ୍ଟ ଖେଳି ୫୯ ୱିକେଟ୍ ନେଇଥିଲେ ଏବଂ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି। ସେ କହିଛନ୍ତି, ୨୦୧୯ ସର୍ବଶ୍ରେଷ୍ଠ ଖେଳାଳି ଚୟନ ହେବା ମୋ ପାଇଁ ବଡ଼ ସମ୍ମାନ। ବାସ୍ତବରେ ଏହା ଅପ୍ରତ୍ୟାଶିତ। ଏଥିପାଇଁ ମୁଁ ନିଜ ଟିମ୍‌, ସାଥୀ ଖେଳାଳି ଏବଂ ଅଷ୍ଟ୍ରେଲିଆ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି।

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ଷ୍ଟୋକ୍ସଙ୍କ ପାଇଁ ୨୦୧୯ ସବୁଠାରୁ ସଫଳ ବର୍ଷ ଥିଲା। ଷ୍ଟୋକ୍ସ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡକୁ ନାଟକୀୟ ବିଜୟ କରାଇବାରେ ମୁଖ୍ୟ ସୂତ୍ରଧର ସାଜିଥିଲେ। ଷ୍ଟୋକ୍ସ ମଧ୍ୟ ଆଶେସ୍ ସିରିଜରେ ଶତକ ମାରିଥିଲେ । ଏହି ପୁରସ୍କାର ଜିତିବା ପରେ ଷ୍ଟୋକ୍ସ କହିଛନ୍ତି, ଏହି ପୁରସ୍କାରର ଶ୍ରେୟ ମୋର ସାଥୀ ଖେଳାଳି ଏବଂ ସହଯୋଗୀ ଷ୍ଟାଫଙ୍କ ଦିଆଯିବ, ଯେଉଁମାନେ ପ୍ରତିଟି ମୁହୂର୍ତ୍ତରେ ମୋ ସହ ଥିଲେ। ସେମାନଙ୍କ ବିନା ମୁଁ ଏଭଳି ସଫଳତା କେବେବି ହାସଲ କରିପାରିନଥାନ୍ତି।

ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ଲାବୁଶେନ୍ ୨୦୧୯ରେ ୧୧ ଟେଷ୍ଟ ଖେଳି ୧୧୦୪ ରନ୍ କରିଛନ୍ତି ଏବଂ ଏହି କାରଣରୁ ସେ ରାଙ୍କିଙ୍ଗରେ ଏକାଥରକେ ୧୧୦ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡ ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥ ଅମ୍ପାୟାର ଅଫ୍ ଇୟର୍ ଭାବେ ଡେଭିଡ୍ ଶେଫର୍ଡ ଟ୍ରଫି ଜିତିଛନ୍ତି।

ଆଇସିସି ପୁରୁଷ କ୍ରିକେଟ୍ ପୁରସ୍କାର
ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି (କ୍ରିକେଟର୍ ଅଫ୍ ଦି ଇୟର): ବେନ୍ ଷ୍ଟୋକ୍ସ (ଇଂଲଣ୍ଡ)
ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର୍‌: ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ)
ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌: ରୋହିତ୍ ଶର୍ମା (ଭାରତ)
ଟି-୨୦ ପରଫରମାନ୍ସ ଅଫ୍ ଦି ଇୟର୍‌: ଦୀପକ ଚହର୍ (ଭାରତ ୬/୭ ବନାମ ବାଂଲାଦେଶ)
ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍‌: ମାର୍ନସ୍ ଲାବୁଶେନ୍ (ଅଷ୍ଟ୍ରେଲିଆ)
ଆସୋସିଏସନ୍ କ୍ରିକେଟର୍ ଅଫ୍ ଦି ଇୟର୍‌: କାଇଲ୍ କୋଏଜର୍ (ସ୍କଟଲ୍ୟାଣ୍ଡ୍‌)
ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର: ବିରାଟ୍ କୋହଲି
ଡେଭିଡ୍ ଶେଫର୍ ଟ୍ରଫି (ଅମ୍ପାୟାର୍ ଅଫ୍ ଦି ଇୟର୍‌): ରିଚାର୍ଡ ଇଲିଙ୍ଗୱର୍ଥ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos