ପୁଣି ହାରିଲା ନ୍ୟୁଜିଲ୍ୟାଣ୍ଡ୍, ୨୭ ବର୍ଷ ପରେ ସେମିରେ ଇଂଲଣ୍ଡ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ […]

eng1

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 10:48 PM IST

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିଛି।

ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଜନ୍ନି ବେୟାରଷ୍ଟୋଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୪୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୬ ରନ୍ କରି ପରାସ୍ତ ହୋଇଛି। ଇଂଲଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବେୟାରଷ୍ଟୋ ୯୯ ବଲରେ ୧୫ ଚୌକା ଓ ୧ ଛକା ସହ ୧୦୬ ଓ ରୟ ୬୧ ବଲରେ ୮ ଚୌକା ସହ ୬୦ ରନ୍ କରିଥିଲେ।

ଏହି ବଡ଼ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ମଧ୍ୟକ୍ରମରେ ଟମ୍ ଲାଥାମଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଟିମ୍ ପାଇଁ ଯୋଗଦାନ କରିପାରିନଥିଲେ। ଲାଥାମ ସର୍ବାଧିକ ୫୭ ରନ୍ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ୍ ୨୭, ରସ୍ ଟେଲର ୨୮, ଜେମ୍ସ ନିଶାମ୍ ୧୯ ଓ ମିଚେଲ୍ ସାଣ୍ଟନର୍ ୧୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୨ଟି ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମର ଦୁଇ ଓପ୍ନର ପୁଣିଥରେ ଶତକୀୟ (୧୨୩) ଭାଗୀଦାରୀ କରିଥିଲେ। ବେୟାରଷ୍ଟୋ ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟିମ୍ ସାଉଦିଙ୍କୁ ଆକ୍ରମଣ କରିଥିଲେ। ଏହିପରି ଭାବେ ବେୟାରଷ୍ଟୋ ମାତ୍ର ୪୬ ବଲରେ ଏବଂ ରୟ ୫୫ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଅର୍ଦ୍ଧଶତକକୁ ରୟ ଶତକରେ ପୂରଣ କରିପାରିନଥିଲେ।

ତାଙ୍କୁ ଜେମ୍ସ ନିଶାମ ଆଉଟ୍ କରିଥିଲେ। ବେୟାରଷ୍ଟୋ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୯୫ ବଲରେ ଦ୍ୱାଦଶ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ସହ ରୁଟ୍ ଭଲ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ। ତେବେ ଦୁହିଁଙ୍କ ଆଉଟ୍ ପରେ ଇଂଲଣ୍ଡର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ରୁଟ୍ ୨୪ ରନ୍ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିବା ବେଳେ ବେୟାରଷ୍ଟୋଙ୍କୁ ମ୍ୟାଟ୍ ହେନରୀ କ୍ଲିନ୍ ବୋଲ୍ଡ କରିଥିଲେ।

ବେୟାରଷ୍ଟୋଙ୍କ ଆଉଟ୍ ସମୟରେ ଇଂଲଣ୍ଡର ସ୍କୋର ୩୧.୪ ଓଭରରେ ୩ ୱିକେଟରେ ୨୦୬ ରନରେ ଥିଲା। ଯଦି ଇଂଲଣ୍ଡ ଏହି ରନ୍ ରେଟ୍ ଆଧାରରେ ଖେଳିଥାନ୍ତା, ତାହେଲେ ସ୍କୋର ୩୫୦ ଅତିକ୍ରମ କରିଥାନ୍ତା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଟିମକୁ ବଡ଼ ସ୍କୋରରେ ପହଞ୍ଚାଇପାରିନଥିଲା। ବିଶେଷକରି ଭାରତ ବିପକ୍ଷ ମ୍ୟାଚରେ ଦ୍ରୁତ ରନ୍ କରିଥିବା ବେନ୍ ଷ୍ଟୋକ୍ସ ଆଜି ଏହାର ବିପରୀତ ବ୍ୟାଟିଂ କରିଥିଲେ। ସେ ୨୭ ବଲରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ।

କ୍ୟାପଟେନ୍ ମୋର୍ଗାନ୍ ଲଢ଼ୁଆ ୪୨ ରନର ଇନିଂସ୍ ଖେଳିଥିବା ବେଳେ ଜୋସ ବଟଲର୍ (୧୧), କ୍ରିସ୍ ଓକ୍ସ (୪), ଆଦିଲ୍ ରଶିଦ୍ (୧୬) ନିରାଶ କରିଥିଲେ। ଲିଆମ୍ ପ୍ଲଙ୍କେଟ୍ ୧୫ ଓ ଜୋଫ୍ରା ଆର୍ଚର୍ ୧ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବୋଲ୍ଟ, ହେନରୀ ଓ ଜେମ୍ସ ନିଶାମ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

Related story