କୋଲକାତା: ବାଂଲାଦେଶ ବିପକ୍ଷରେ ୪୬ ରନର ଇନିଂସ୍ ବିଜୟ ସହ ଟିମ୍ ଇଣ୍ଡିଆ ନୂଆ ବିଶ୍ୱ କୀର୍ତ୍ତିମାନ କରିଛି। ଇନ୍ଦୋର ପରେ କୋଲକାତା ଟେଷ୍ଟରେ ମଧ୍ୟ ଭାରତ ମାତ୍ର ତିନି ଦିନ ଭିତରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ଭାରତ ବିଶ୍ୱର ପ୍ରଥମ ଟିମ୍ ଭାବେ ଲଗାତାର ଚାରୋଟି ଇନିଂସ୍ ବିଜୟ ହାସଲ କରିଛି।
ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ୍ ଓ ୧୩୭ ରନ୍) ଓ ରାଞ୍ଚି (ଇନିଂସ୍ ଓ ୨୦୨ ରନ୍) ଟେଷ୍ଟରେ ଇନିଂସ୍ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷ ଚଳିତ ସିରିଜର ଦୁଇଟି ଯାକ ମ୍ୟାଚରେ ମଧ୍ୟ ଇନିଂସ୍ ବିଜୟ ଲାଭ କରିଛି। ୧୪୨ ବର୍ଷର କ୍ରିକେଟ୍ ଇତିହାସରେ କୌଣସି ଦଳ ଏହି ରେକର୍ଡ କରିନାହାନ୍ତି।